କେବେ ଆମେ ସଚେତନ ହେବା ?
ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ ଭୟଙ୍କର ଅଗ୍ନିକାଣ୍ଡ ଘଟିଲା, ତାହା କୌଣସି ଆକସ୍ମିକ ଘଟଣା ନଥିଲା। ପଚିଶରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ଏହି ବିପର୍ଯ୍ୟୟକୁ ଲୋଭୀ ବ୍ୟବସାୟୀ ଏବଂ ଆଖି ବୁଜି ଦେଇଥିବା ପ୍ରଶାସନର ମିଳିତ ଷଡ଼ଯନ୍ତ୍ର କହିଲେ ଭୁଲ ହେବ ନାହିଁ। କ୍ଲବ୍ରେ ନା ଥିଲା ଅଗ୍ନି ନିରାପତ୍ତା ପ୍ରମାଣପତ୍ର, ନା ସ୍ପ୍ରିଙ୍କଲର୍ କିମ୍ବା ଉପଯୁକ୍ତ ଆଲାର୍ମ, ଆଉ ବାହାରିବା ରାସ୍ତା ଥିଲା ଅତ୍ୟନ୍ତ ସଂକୀର୍ଣ୍ଣ। ଅଧିକାଂଶ ଲୋକ ନିଆଁରେ ପୋଡ଼ି ହୋଇ ନୁହେଁ ବରଂ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ମରିଗଲେ। ସବୁଠାରୁ ଦୁଃଖର କଥା ହେଉଛି, ପୂର୍ବରୁ ଏହି ନାଇଟ କ୍ଲବକୁ ବନ୍ଦ କରିବାର ଆଦେଶ ଥିଲେ ମଧ୍ୟ ‘ଉଚ୍ଚ ସ୍ତରର ପ୍ରଭାବ’ ବଳରେ ଏହା ଚାଲୁ ରହିଥିଲା।
ଗୋଆର ଏହି ଦୁର୍ଘଟଣା ପରେ ଯାଇ ଆମ ଓଡ଼ିଶା ସରକାରଙ୍କର ଚେତା ପଶିଛି। ରାଜ୍ୟ ଅଗ୍ନିଶମ ଡିଜିଙ୍କ ନିର୍ଦେଶକ୍ରମେ ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟର କ୍ଲବ୍, ପବ୍ ଏବଂ ବଡ଼ ରେସ୍ତୋରାଁଗୁଡ଼ିକରେ ଅଗ୍ନି ନିରାପତ୍ତା ଯାଞ୍ଚ ପାଇଁ ଆଦେଶ ଦିଆଯାଇଛି। ଯେଉଁଠାରେ ୧୦୦ରୁ ଅଧିକ ଲୋକ ଏକାଠି ହୋଇପାରିବେ, ସେସବୁ ସ୍ଥାନର ଯାଞ୍ଚ କରିବାକୁ କୁହାଯାଇଛି; କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି- ଏଭଳି ଏକ ଯାଞ୍ଚ ପାଇଁ କ’ଣ ଆମକୁ କୌଣସି ବଡ଼ ଦୁର୍ଘଟଣାକୁ ଅପେକ୍ଷା କରିବାକୁ ପଡ଼ିବ ? ନାଇଟ୍ କ୍ଲବ୍ ହେଉ କିମ୍ବା ବାହାଘର ମଣ୍ଡପ, ସଭାଗୃହ, ସିନେମା ହଲ୍, ବଡ଼ ମନ୍ଦିର କିମ୍ବା ବିଭିନ୍ନ ଛୋଟ ବଡ଼ ଅନୁଷ୍ଠାନ- ଯେଉଁଠାରେ ଲୋକେ ଏକତ୍ର ହୁଅନ୍ତି, ସେଠାରେ ଅଗ୍ନି ନିରାପତ୍ତା ଏବଂ ସୁରକ୍ଷା ବ୍ୟବସ୍ଥାକୁ କାହିଁକି ଏତେ ଢିଲା କରାଯାଉଛି? ପ୍ରଶାସନର କାମ କ’ଣ କେବଳ ଦୁର୍ଘଟଣା ପରେ ନିଦରୁ ଉଠି କିଛି ଦିନ ପାଇଁ ଧରପଗଡ଼ କରି ପୁଣି ଶାନ୍ତ ପଡ଼ିଯିବା? ଘଟଣାରୁ କିଛି ନ ଶିଖିବା ସବୁଠୁ ଦୁର୍ଭାଗ୍ୟଜନକ।
ଏଭଳି ପ୍ରତିଷ୍ଠାନମାନଙ୍କରେ ସୁରକ୍ଷା ବ୍ୟବସ୍ଥା ନ ଥିବା ସତ୍ତ୍ୱେ ସେଗୁଡ଼ିକୁ ଲାଇସେନ୍ସ ମିଳୁଛି କିପରି ? କେବଳ ମାଲିକଙ୍କ ଲାଭଖୋର ମନୋଭାବ ଏବଂ ଅଳ୍ପ ଟଙ୍କା ଖର୍ଚ୍ଚ କରି କୋଟି କୋଟି ଟଙ୍କା ରୋଜଗାର କରିବାର ଲାଳସା ଯୋଗୁଁ ଆଜି ନିରୀହ ଜୀବନଗୁଡ଼ିକ ବଳି ପଡ଼ୁଛି। ଏହି ବ୍ୟବସ୍ଥାଗତ ତ୍ରୁଟିକୁ ଲୁଚାଇବା ପାଇଁ ଦୁର୍ନୀତି ଏବଂ ରାଜନୈତିକ ଚାପ ହିଁ ମୁଖ୍ୟ ଭୂମିକା ଗ୍ରହଣ କରେ। ଏକ ସଭ୍ୟ ସମାଜରେ, ଜନସାଧାରଣଙ୍କ ସୁରକ୍ଷାକୁ ସର୍ବଦା ପ୍ରାଥମିକତା ଦିଆଯିବା ଉଚିତ। ସରକାର କେବଳ କ୍ଲବ୍ କିମ୍ବା ରେସ୍ତୋରାଁ ଯାଞ୍ଚ କରି ଚୁପ୍ ବସିଯିବା ଉଚିତ ନୁହେଁ। ସମସ୍ତ ବଡ଼ ଅନୁଷ୍ଠାନର ଏକ ସ୍ୱଚ୍ଛ ପଞ୍ଜୀକରଣ ତାଲିକା ତିଆରି କରାଯିବା ଉଚିତ ଏବଂ ତୃତୀୟ ପକ୍ଷ ଦ୍ୱାରା ବାଧ୍ୟତାମୂଳକ ସୁରକ୍ଷା ଯାଞ୍ଚ କରାଇବା ଆବଶ୍ୟକ। ଯେଉଁ ପ୍ରତିଷ୍ଠାନର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନଥିବ, ତାକୁ ତୁରନ୍ତ ବନ୍ଦ କରିବାର ବ୍ୟବସ୍ଥା ହେବା ଦରକାର। ଏହା ସହିତ ସାଧାରଣ ଲୋକେ ମଧ୍ୟ କୌଣସି ସ୍ଥାନକୁ ଯିବା ପୂର୍ବରୁ ସେଠାରେ ବାହାରିବା ରାସ୍ତା, ଅଗ୍ନି ନିର୍ବାପନ ବ୍ୟବସ୍ଥା ଆଦି ଦେଖି ସଚେତନ ହେବା ଆବଶ୍ୟକ। ଯେ ପର୍ଯ୍ୟନ୍ତ ଏହି ଭଳି ଦୁର୍ଘଟଣାକୁ ଏକ ‘ଆକସ୍ମିକ ଘଟଣା’ ଭାବରେ ନେଇ କିଛି ଅଫିସରଙ୍କ ବିରୋଧରେ କେବଳ ଲୋକଦେଖାଣିଆ କାର୍ଯ୍ୟାନୁଷ୍ଠାନ ନିଆଯିବ, ସେ ପର୍ଯ୍ୟନ୍ତ ପରବର୍ତ୍ତୀ ବିପର୍ଯ୍ୟୟକୁ ଏଡ଼ାଇ ଦିଆଯାଇପାରିବ ନାହିଁ।



