ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ ଶିଷ୍ୟମାନେ ଆଧ୍ୟାତ୍ମିକ ଜୀବନଶୈଳୀ ସହ ଭବିଷ୍ୟତ ଜୀବନକୁ ପୁଷ୍କଳ କରିବାର ଜ୍ଞାନ ଆହରଣରେ ସଚେଷ୍ଟ ଥିଲେ। ଶିଷ୍ୟମାନେ ବ୍ରାହ୍ମମୁହୂର୍ତ୍ତରେ ଶଯ୍ୟା ତ୍ୟାଗ, ସ୍ନାନାଦି କର୍ମ ସମାପନ ସହ ଯୋଗାଭ୍ୟାସ, ଭଗବତ୍ ଧ୍ୟାନ, ଗାୟତ୍ରୀ ଜପ କରୁଥିଲେ। ପରେପରେ ଅଗ୍ନିହୋତ୍ର, ଶାସ୍ତ୍ରର ସ୍ବାଧ୍ୟାୟ ପରେ ସାତ୍ତ୍ବିକ ଭୋଜନ କରୁଥିଲେ। ତତ୍ପରେ ଗୋ-ସେବା, ଗୁରୁ-ସେବା ତଥା ଆଶ୍ରମର ଦାୟିତ୍ବ (ସମିଧ ସଂଗ୍ରହ ଆଦି) ନିର୍ବାହ କରୁଥିଲେ। ଏହି ପ୍ରକାରେ ଆଧ୍ୟାତ୍ମିକ ଦିନଚର୍ଯ୍ୟା ଭିତରେ ଗୁରୁ ଆଶ୍ରମରେ ଶିକ୍ଷା ସମାପ୍ତ କରି ଗୃହସ୍ଥାଶ୍ରମରେ ଶିଷ୍ୟମାନେ ପ୍ରବେଶ କରୁଥିଲେ। ମହର୍ଷି ସ୍ବୟଂ ସଫଳ ଗୃହସ୍ଥାଶ୍ରମ ସମ୍ପର୍କରେ ଶିଷ୍ୟମାନଙ୍କୁ ଉପଦେଶ ଦେଉଥିଲେ। ଏହି କ୍ରମରେ ସେଦିନ ଯେଉଁ ଶିଷ୍ୟଙ୍କୁ ଗୁରୁ ଗୃହସ୍ଥାଶ୍ରମ ପାଳନ ନିମନ୍ତେ ଆଦେଶ ଦେଇଥିଲେ ତାଙ୍କର ନାମ ଥିଲା ଗୋପମାଳା। ମହର୍ଷି ଗୋପମାଳାଙ୍କୁ ବିଦାୟ ଦେବା ସମୟରେ କହିଥିଲେ- ‘ବତ୍ସ! ମୁଁ ଜାଣେ ତୁମର ଅନ୍ତଃକରଣରେ ମୁକ୍ତିର (ନିର୍ବାଣ) ଆକାଙ୍କ୍ଷା ପ୍ରବଳ, ତଥାପି ତୁମେ ଯାଅ। ବର୍ଣ୍ଣାଶ୍ରମ ଧର୍ମର ମର୍ଯ୍ୟାଦା ଜଗି ଗୃହସ୍ଥ ଧର୍ମ ପାଳନକର।’ ‘ଆପଣଙ୍କ ଆଜ୍ଞା ଶିରୋଧାର୍ଯ୍ୟ ଗୁରୁଦେବ। ହେଲେ ସଂସାର ତ ଏକ ବନ୍ଧନ। ଏଥିରେ ପ୍ରବେଶ କଲେ ମୁକ୍ତି ଓ ଭଗବତ୍ପ୍ରାପ୍ତି ଭଳି ଜୀବନର ପରମଲକ୍ଷ୍ୟ ତ ମୁଁ ଭୁଲିଯିବି ଗୁରୁଦେବ।’
‘ଭୁଲିବ ନାହିଁ ବତ୍ସ! ଯଦି ତୁମେ କର୍ମଫଳ ପ୍ରତି ଆସକ୍ତି ତୁଟାଇ ଦିଅ ତେବେ ତୁମେ ସଂସାର ଭିତରେ ରହିଲେ ମଧ୍ୟ ସାଂସାରିକ ବନ୍ଧନ ତୁମକୁ ବାନ୍ଧିରଖି ପାରିବ ନାହିଁ। ସଂସାର ବନ୍ଧନରୁ ମୁକ୍ତ ରହି ଗୃହସ୍ଥାଶ୍ରମର ଦାୟିତ୍ବ କୁଶଳତାପୂର୍ବକ ନିର୍ବାହ କରି ତୁମେ ସ୍ବୟଂ ଜୀବନର ପରମ ଲକ୍ଷ୍ୟପ୍ରାପ୍ତି ଦିଗରେ ଅଗ୍ରସର ହେବା ସୁଯୋଗ ପାଇପାରିବ ଯାହାକୁ ଭୟ କରି ତୁମେ ଗୃହସ୍ଥ ଧର୍ମ ତ୍ୟାଗ କରିବାକୁ ଚାହଁଛ।’ ମହର୍ଷିଙ୍କଠାରୁ ଏହା ଶୁଣିବାପରେ ଗୋପମାଳା ପ୍ରତିବାଦ ନକରି ଗୃହ ପ୍ରତ୍ୟାବର୍ତ୍ତନ କରିଥିଲେ। ଶ୍ରାବସ୍ତିର ଜଣେ ଗ୍ରାମୀଣ ବାଳିକା ସହ ପରିଣୟ ସମ୍ପନ୍ନ ହୋଇଥିଲା। ଗୃହସ୍ଥାଶ୍ରମରେ ରହି ଗୋପମାଳ ସଦ୍ଗୃହସ୍ଥର ଦାୟିତ୍ବ ତୁଲାଇବା ଭିତରେ ଆସୁଥିବା ସମସ୍ୟାସବୁକୁ ସାମନା କରୁଥିଲେ। କେବେ ଖୁସି ତ କେବେ ଦୁଃଖର ପାହାଡ଼କୁ ମୁଣ୍ଡରେ ବୋହିବାକୁ ପଡ଼ୁଥିଲା। କେବେ ପରିସ୍ଥିତି ଅନୁକୂଳ ତ କେବେ ପ୍ରତିକୂଳ ଥିଲା। କେବେ କିଛି ଧନ ପାଉଥିଲେ ତ କେବେ ଘୋର ଧନାଭାବର ସମ୍ମୁଖୀନ ହେଉଥିଲେ। ଏକଦା ଧନାଭାବ କାରଣରୁ ପାଳିତ ଗାଈକୁ ବାଧ୍ୟବାଧକତାରେ ବିକ୍ରି କରିଦେଇଥିଲେ। ତେଣୁ ଦୁଃଖ କରିନଥିଲେ, ହେଲେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଯେତେବେଳେ ସେ ଜାଣିବାକୁ ପାଇଲେ ସେ ଗାଈ ବିକ୍ରିକରି ଧୋକ୍କା ଖାଇଛନ୍ତି, ଘୋର ପାପ ଅର୍ଜନ କରିଛନ୍ତି । ସଂସାର ଧର୍ମ ପାଳନ କରିବାକୁ ଯାଇ ପାପ କରିଥିବା କାରଣରୁ ବିବ୍ରତ ଅବସ୍ଥାରେ ଗୃହତ୍ୟାଗର ନିଷ୍ପତ୍ତି ନେଇଯାଇଥିଲେ।
ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ
Popular Categories



