ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍ ରୁଷ ରାଷ୍ଟ୍ର ସଂଘର ଅଂଶ ବିଶେଷ ଥିଲା ଏବଂ ୧୯୯୧ରେ ଏହା ରୁଷ ଠାରୁ ସ୍ୱତନ୍ତ୍ର ହେଲା। ଏଠାରେ ଦୁର୍ନୀତି ଏତେ ପ୍ରବଳ ଥିଲା ଯେ ୨୦୦୩ ପର୍ଯ୍ୟନ୍ତ ବିଶ୍ୱର ସବୁଠାରୁ ଭ୍ରଷ୍ଟ ଦେଶମାନଙ୍କ ମଧ୍ୟରେ ଏହା ଅନ୍ୟତମ ଥିଲା। ଏଠି ଉଚ୍ଚ ଦରର ଲାଞ୍ଚ ବିନା କୌଣସି କାର୍ଯ୍ୟ ସମ୍ପାଦନ ହେଉନଥିଲା। ସରକାରୀ ଚାକିରି ପାଇଁ ଯେମିତି ଲାଞ୍ଚ, ଚାକିରିରେ ନିଜ ସ୍ଥାନ ବଞ୍ଚାଇବା ପାଇଁ ମାସକୁ ମାସ ଉପରିସ୍ଥ ଅଫିସରଙ୍କୁ ହାତଗୁଞ୍ଜା ନଦେଲେ ଚାକିରି ଚାଲିଯାଉଥିଲା। ଦରମାଠାରୁ ଅଧିକ ଲାଞ୍ଚ ଦେବାରେ ଯାଉଥିଲା। ସେଥିପାଇଁ ସରକାରୀ କର୍ମଚାରୀମାନେ ଦରମା ଅପେକ୍ଷା ଉପୁରି ଉପରେ ନିର୍ଭର କରୁଥିଲେ। ମାତ୍ର ୨୦୦୩ରେ ଏକ ଚମତ୍କାର ହେଲା। ସେହି ବର୍ଷ ଏକ ଅହିଂସାତ୍ମକ ଆନ୍ଦୋଳନ ଫଳରେ ଜର୍ଜିଆରେ ସରକାରର ପଟ ପରିବର୍ତ୍ତନ ହେଲା। ବର୍ତ୍ତମାନ ଏହି ଦେଶ ଭ୍ରଷ୍ଟ ବା ଦୁର୍ନୀତିର କୁଖ୍ୟାତିରୁ ବାହାରି ଆସି ୨୦୨୪ ଦୁର୍ନୀତି ବିରୋଧୀ ସୂଚକାଙ୍କ ଅନୁସାରେ ବିଶ୍ୱରେ ଏହାର ସ୍ଥାନ ୫୩ ଏବଂ ଏହା ତୁଳନାରେ ଭାରତ ୯୬ ସ୍ଥାନରେ ଥାଇ ଜର୍ଜିଆର ବହୁ ପଛରେ ଅବସ୍ଥିତ। ଦୁର୍ନୀତି ଯୋଗୁଁଁ ଭାରତର ବିକାଶ ଯେ ବ୍ୟାହତ ହେଉଛି, ଏହାକୁ ସମସ୍ତେ ସ୍ୱୀକାର କରିବେ। ଡେନମାର୍କ ଭଳି ବିକଶିତ ରାଷ୍ଟ୍ର ଦୁର୍ନୀତିକୁ ପରାହତ କରିଥିବା ଯୋଗୁଁଁ ଭାରତ ଠାରୁ ବିକାଶରେ ବହୁତ ଆଗରେ ରହିଅଛି। ଉତ୍କଳ ଗୌରବ ମଧୁସୂଧନ ଦାସ ସେଥିପାଇଁ ଯଥାର୍ଥରେ କହିଛନ୍ତି, ‘ଜାତି ନନ୍ଦିଘୋଷ ଚଳିବକି ଭାଇ ସ୍ୱାର୍ଥକୁ ସାରଥି କଲେ, ଟାଣେକିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ା ମୁହେଁ ବନ୍ଧାଥିଲେ।’
ଏଥିପାଇଁ ଦୁର୍ନୀତି, ଭ୍ରଷ୍ଟାଚାର ବା ସ୍ୱାର୍ଥାନ୍ଧ ଏଭଳି ଏକ ବିଷଚକ୍ର, ଯାହା ରାଷ୍ଟ୍ର, ସମ୍ପ୍ରଦାୟ, ସମାଜ ଏବଂ ଏପରି କି ପରିବାରକୁ ମଧ୍ୟ ନଷ୍ଟ ଭ୍ରଷ୍ଟ କରିଦେଉଛି। ଏହା ଦିନ ପ୍ରତିଦିନ ବଢ଼଼ି ବଢ଼଼ି ଚାଲିଛି। ଦୁର୍ନୀତିକୁ ସରଳ ଅର୍ଥରେ କହିବାକୁ ଗଲେ କୌଣସି ପଦପଦବୀ ଅଳଂକୃତ କରୁଥିବା ବ୍ୟକ୍ତି ନିଜ ପଦର ଦୁରୁପୋଯୋଗ କରି କଳାଧନ ସଞ୍ଚୟ କରିବା ଏବଂ ପ୍ରିୟାପ୍ରୀତି ତୋଷଣରେ ଲିପ୍ତରହି ନିଜର ବା ନିଜ ଭାଇ ବନ୍ଧୁଙ୍କ ସ୍ୱାର୍ଥକୁ
ଅଗ୍ରାଧିକାର ଦେବା। ଏଥିପାଇଁ ଅଧୁନା ଆମ ଦେଶର ପ୍ରତ୍ୟେକ ବର୍ଗ ଏହି ଦୁର୍ନୀତି ବା ଭ୍ରଷ୍ଟାଚାର ଦ୍ୱାରା ପ୍ରଭାବିତ ହେଉଛନ୍ତି। ଏହା ଭାରତୀୟ ସମାଜକୁ ଘୁଣ ସଦୃଶ ଭିତରୁ ଫମ୍ପା କରି ସାରିଲାଣି। ଏହି ଭ୍ରଷ୍ଟ ଆଚରଣ ବା ଦୁର୍ନୀତି ଆମର ଭାରତୀୟ ଆଦର୍ଶ, ମୂଲ୍ୟବୋଧ, ପରମ୍ପରା, ସମ୍ବିଧାନ, ଏମିତି କି ସମସ୍ତ ନୀତି ନିୟମକୁ ବଳି ଦେଉଅଛି। ଆଜି ଆମ ଦେଶର ଏମିତି କିଛି କ୍ଷେତ୍ର ନାହିଁ, ଯାହାକୁ ଦୁର୍ନୀତି ସ୍ପର୍ଶ କରିନାହିଁ। ଆଉ ରାଜନୀତି ତ କହିବାକୁ ଗଲେ ଦୁର୍ନୀତିର ଉତ୍ସ। ପ୍ରଶାସନ, ଶିକ୍ଷା, ଏପରି କି ସେବା କ୍ଷେତ୍ରରେ ମଧ୍ୟ ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚିଛି। ଡାକ୍ତରମାନଙ୍କୁ ଦ୍ୱିତୀୟ ଈଶ୍ୱର ବୋଲି କୁହାଯାଏ। ମାତ୍ର ଚିକିତ୍ସା କ୍ଷେତ୍ରରେ ମଧ୍ୟ ଜାଣିଶୁଣି ଭୁଲ ଅସ୍ତ୍ରୋପଚାର କରି ଘରୋଇ ଡାକ୍ତରଖାନା ଏବଂ ଡାକ୍ତରମାନେ ବହୁତ ମୁନାଫା କମାଉଛନ୍ତି। ବ୍ୟବସାୟୀମାନେ ମଉକା ଉଣ୍ଡି କେତେବେଳେ ବାତ୍ୟା ନାମରେ ତ କେତେବେଳେ ଆଳୁ/ପିଆଜ ଆଦି ନିତ୍ୟ ଉପଯୋଗୀ ଜିନିଷର ଉତ୍ପାଦନ ବା ବିତରଣର ଅନିୟମିତତା ଦର୍ଶାଇ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦାମରେ ଦ୍ରବ୍ୟମାନ ବିକ୍ରି କରିଥାନ୍ତି ଓ ବହୁ ପରିମାଣର ଲାଭ ପାଇଥାଆନ୍ତି। ସେହିଭଳି ନିର୍ବାଚନରେ ଅର୍ଥବଳ, ବାହୁବଳ ଓ ନିଶାଦ୍ରବ୍ୟର ପ୍ରୟୋଗ; ବିଭିନ୍ନ ପ୍ରକାରର କର ପ୍ରଦାନରେ ଠକେଇ; ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଠାରୁ ନକଲ କରିବା, ଭୁଲ ମୂଲ୍ୟାଙ୍କନ କରିବା ଆଦି; ନ୍ୟାୟାଳୟରେ ନ୍ୟାୟମୂର୍ତ୍ତିମାନଙ୍କ ଦ୍ୱାରା ପକ୍ଷପାତପୂର୍ଣ୍ଣ ନିର୍ଣ୍ଣୟ; ଚାକିରି କରିବା ଠାରୁ ବଦଳି, ପଦୋନ୍ନତି ପର୍ଯ୍ୟନ୍ତ ସବୁଥିରେ ଦୁର୍ନୀତିର କୁରୂପ ପ୍ରକଟିତ ହେଉଛି।
ପରିତାପର ବିଷୟ ଏହି ଯେ, ଆମର ସର୍ବୋଚ୍ଚ ସ୍ତରୀୟ ନ୍ୟାୟ ବ୍ୟବସ୍ଥା ମଧ୍ୟ ଏହି ଦୁର୍ନୀତି ବ୍ୟାଧିଦ୍ୱାରା ଜର୍ଜରିତ। ନିକଟରେ ଦିଲ୍ଲୀ ଉଚ୍ଚନ୍ୟାୟାଳୟର ବିଚାରପତିଙ୍କ ଘରୁ କୋଟି କୋଟି ଟଙ୍କାର ପୋଡ଼ା ନୋଟ୍ ଉଦ୍ଧାର- ଏହାର ଜ୍ୱଳନ୍ତ ଉଦାହରଣ। ଆମ ଓଡ଼ିଶାରେ ପ୍ରାୟ ପ୍ରତିଦିନ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ସରକାରୀ କର୍ମଚାରୀଙ୍କ ଘରେ ଚଢ଼ାଉ ହୋଇ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତିର ତାଲିକା ସମ୍ବାଦପତ୍ରର ପୃଷ୍ଠା ମଣ୍ଡନ କରୁଛି। ଏହି ସରକାରୀ ବାବୁଙ୍କ ମଧ୍ୟରେ ରହିଛନ୍ତି ମୁଖ୍ୟଯନ୍ତ୍ରୀ ଠାରୁ ସହକାରୀ ଯନ୍ତ୍ରୀ, ତହସିଲଦାର, ବିଡିଓ ତଥା ଜଙ୍ଗଲ ଓ ଅବକାରୀ ଅଧିକାରୀ; ଏମିତି କି ବିଭିନ୍ନ ବିଭାଗର ଦପ୍ତରରେ କାର୍ଯ୍ୟ କରୁଥିବା କିରାଣି ଓ ତଳ ସ୍ତରର କର୍ମଚାରୀ ଅନ୍ତର୍ଭୁକ୍ତ। ନିକଟରେ ଜଣେ ଯୁବ ଆଇଏଏସ୍ ଅଫିସର ଉତ୍କୋଚ ନେବାବେଳେ ଧରାପଡ଼ିବା ଯୋଗୁଁଁ ସାରା ଦେଶରେ ଚହଳ ପଡ଼ିଥିଲା। ମାତ୍ର କେବେ ହେଲେ କୌଣସି ବିଭାଗୀୟ ସଚିବ କିମ୍ବା ମନ୍ତ୍ରୀମାନଙ୍କର ଗୃହ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଚଢ଼ଉ ହୋଇ ସେମାନଙ୍କର ଆୟ ବହିର୍ଭୂତ ସମ୍ପତ୍ତି ବିଷୟରେ ଲୋକଲୋଚନକୁ ଆସିବାର ଦୃଷ୍ଟାନ୍ତ ନାହିଁ। ଏହା ଯେମିତି ‘ଚଟୁ ଆମିଷ, ବେଣ୍ଟ ନିରାମିଷ’ କଥା ଭଳି ଲାଗୁଛି। ଯେତେବେଳେ ଦୁର୍ନୀତି ବର୍ତ୍ତମାନ ସର୍ବବ୍ୟାପୀ ହୋଇସାରିଲାଣି, ସେତେବେଳେ ସର୍ବୋଚ୍ଚ ପଦପଦବୀରେ ଆସୀନ ବ୍ୟକ୍ତି ବିଶେଷ ବାଦ ଯିବେ ବା କେମିତି? ଜଣେ ଅଧେ ଅଧସ୍ତନ ଅଧିକାରୀ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧୃତ ହେଲେ ଏହାର ପ୍ରଭାବ ସମାଜ ଉପରେ ପଡୁନାହିଁ। ପୁଣି ଦେଖାଯାଉଛି, ଥରେ ଧରାପଡ଼ିଥିବା ବ୍ୟକ୍ତି, ପରବର୍ତ୍ତୀ ସମୟରେ ସେହି ଦୁର୍ନୀତିରେ ଲିପ୍ତ ହେଉଛନ୍ତି। ଦୁର୍ନୀତିକୁ ନେଇ ସମସ୍ତେ ଅସହାୟତା ପ୍ରକାଶ କରିବା- ଏହା ଆମ ବ୍ୟବସ୍ଥାର ଘୋର ବିଡ଼ମ୍ବନା ମାତ୍ର।
ଏଥିପାଇଁ ଶାସନ ବ୍ୟବସ୍ଥାରେ ସଂସ୍କାର ଅପରିହାର୍ଯ୍ୟ। ସରକାର ଜାତୀୟ ସ୍ତରରେ ଲୋକପାଳ ଏବଂ ରାଜ୍ୟସ୍ତରରେ ଲୋକାୟୁକ୍ତ ନିଯୁକ୍ତିର ବ୍ୟବସ୍ଥା କରିଛନ୍ତି। ମାତ୍ର ଏହାର ପ୍ରଭାବ ଦୁର୍ନୀତି ଉପରେ ପଡୁଥିବା ଜଣା ପଡୁନାହିଁ। ପୁଣି ଲୋକପାଳ ଭଳି ସଂସ୍ଥା ନିଜ ବ୍ୟବହାର ପାଇଁ ବିଏମ୍ଡବ୍ଲ୍ୟୁ ଯାନ ବ୍ୟବହାର କରିବା ଯୋଗୁଁଁ ଲୋକମାନଙ୍କ ଦ୍ୱାରା ଉପହସିତ ହେଉଛନ୍ତି। ଦୁର୍ନୀତି ରୂପକ କର୍କଟ ରୋଗରୁ ଆରୋଗ୍ୟ ପାଇଁ ଆମ ଶାସନ ବ୍ୟବସ୍ଥାର ବୃହତ୍ ଅସ୍ତ୍ରୋପଚାର ଅବଶ୍ୟମ୍ଭାବି। ଏଥିପାଇଁ ଜର୍ଜିଆ ଭଳି ଆମ ଦେଶରେ ଜନଜାଗରଣ ହେବା ଦରକାର। ଆମେ ଆମର ଭୋଟ ମାଧ୍ୟମରେ ସଚ୍ଚୋଟ ରାଜନେତାଙ୍କୁ ନିର୍ବାଚିତ କଲେ, ସେମାନେ ଶାସନ ବ୍ୟବସ୍ଥାର ପରିବର୍ତ୍ତନ ଆଣିପାରିବେ।
ଦୁର୍ନୀତି ବିରୋଧରେ ସଚେତନତା ପାଇଁ ଜାତିସଂଘ ଦ୍ୱାରା ପ୍ରତିବର୍ଷ ଡିସେମ୍ବର ୯ ତାରିଖକୁ ଅନ୍ତର୍ଜାତୀୟ ଦୁର୍ନୀତି ବିରୋଧୀ ଦିବସ ରୂପେ ପାଳନ କରିବା ପାଇଁ ସ୍ୱୀକୃତି ପ୍ରଦାନ କରାଯାଇଛି। ଅନ୍ତର୍ଜାତୀୟ ସ୍ତରରେ ଦୁର୍ନୀତିର ବିଲୋପ ପାଇଁ ଜାତିସଂଘ ଦ୍ୱାରା ଏକ ଚୁକ୍ତିପତ୍ର ତିଆରି କରାଯାଇଛି, ଯାହାକୁ କାର୍ଯ୍ୟକାରୀ କଲେ ସଭ୍ୟ ରାଷ୍ଟ୍ରମାନେ ଦୁର୍ନୀତିକୁ ଦୂର କରିପାରିବେ। ଭାରତ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ ମଧ୍ୟ ଏହାର ପ୍ରସ୍ତାବନାକୁ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିପାରି ନାହିଁ। ଯାହା କି ତୁରନ୍ତ କାର୍ଯ୍ୟକାରୀ ହେବା ଦରକାର।
ଦୁର୍ନୀତି ରୂପକ ବ୍ୟାଧିର ଉପଚାର ପାଇଁ କେତେକ ପ୍ରସ୍ତାବ ଏଠାରେ ପ୍ରଦତ୍ତ ହେଲା। ପ୍ରଥମତଃ ଆମର ନିର୍ବାଚନରେ ସଂସ୍କାର ଆସିବା ଉଚିତ। ବର୍ତ୍ତମାନର ‘ନୋଟ ବଦଳରେ ଭୋଟ’ର ଧାରା ଚାଲିଛି, ସେଥିରେ ପୂର୍ଣ୍ଣଚ୍ଛେଦ ପଡୁ। ସରକାର ଏକ ପାଣ୍ଠି ଜରିଆରେ ନିର୍ବାଚନକୁ ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ କରନ୍ତୁ। ଦ୍ୱିତୀୟତଃ ଗଣତନ୍ତ୍ରର ଯେଉଁ ତିନିଟି ଅଙ୍ଗ ରହିଛି, ଯଥା- ବ୍ୟବସ୍ଥାପକ, କାର୍ଯ୍ୟନିର୍ବାହୀ ଏବଂ ନ୍ୟାୟପାଳିକାର ସର୍ବୋଚ୍ଚ ସ୍ତରରେ ଥିବା ବ୍ୟକ୍ତି ଅତ୍ୟନ୍ତ ସଚ୍ଚୋଟ ଓ କାର୍ଯ୍ୟଦକ୍ଷ ହେବା ଆବଶ୍ୟକ। ତୃତୀୟଃ ଆମର ଗଣତନ୍ତ୍ରର ସୁରକ୍ଷା ପାଇଁ ଥିବା ଅନୁଷ୍ଠାନ, ଯଥା- ନିର୍ବାଚନ କମିସନ, କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ, କେନ୍ଦ୍ରୀୟ ସତର୍କତା କମିସନ ଆଦି ନରପେକ୍ଷ ଏବଂ ଉତ୍ତରଦାୟୀ ହେବା ଦରକାର। ଚତୁର୍ଥତଃ କାର୍ଯ୍ୟକ୍ରମ ପ୍ରଣୟନ ଏବଂ ରୂପାୟନରେ ସ୍ୱଚ୍ଛତା, ଜନ ସହଭାଗିତାରେ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ, ଦୁର୍ନୀତି ବିରୋଧରେ ଖବର ପ୍ରଦାନକାରୀଙ୍କୁ ସୁରକ୍ଷା, ଲୋକପାଳ ଓ ଲୋକୟୁକ୍ତ ଆଇନରେ ସଂଶୋଧନ କରି ଏହାକୁ ଅଧିକ ସକ୍ରିୟ କରିବା ଆଦି ଦ୍ୱାରା ଦୁର୍ନୀତିକୁ ପ୍ରତିହତ କରାଯାଇ ପାରିବ।
ଭ୍ରଷ୍ଟାଚାର ଯୋଗୁଁଁ ରୋମାନ ସମ୍ରାଜ୍ୟ ଲୋପପାଇଥିଲା। ଏହି ଭ୍ରଷ୍ଟାଚାର ଏବଂ ଦୁର୍ନୀତି ଯୋଗୁଁଁ ଭାରତ ୨୦୦ ବର୍ଷ ଧରି ବ୍ରିଟିଶ୍ ଶାସନାଧୀନ ଥିଲା। ଆମର ରାଜନୈତିକ ଇଚ୍ଛାଶକ୍ତି ରହିଲେ ଆମେ ମଧ୍ୟ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲଢ଼ି ଜୟଯୁକ୍ତ ହୋଇପାରିବୁ। ଜନତା ଜାଗିଲେ, ନେତା ଜାଗିବେ ଏବଂ ଆମେ ଏକ ଦୁର୍ନୀତିମୁକ୍ତ ବିକଶିତ ଦେଶ ଭାବେ ଭାରତକୁ ବିଶ୍ୱରେ ପ୍ରତିଷ୍ଠିତ କରିପାରିବୁ।
ଦେବବ୍ରତ ସ୍ୱାଇଁ,ପୂର୍ବତନ ଲୋକାୟୁକ୍ତ ସଦସ୍ୟ, ଓଡ଼ିଶା
ଦୁର୍ନୀତି ବ୍ୟାଧିର ଉପଚାର
Popular Categories



