www.samajalive.in
Tuesday, December 9, 2025
16.1 C
Bhubaneswar

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ

ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩ ବିଲିୟନ ଡଲାର ସାହାଯ୍ୟ ମାଗିଛି; କିନ୍ତୁ ଏହି ସଂଖ୍ୟା ପଛରେ ଲୁଚିଛି ଏକ କରୁଣ ସତ୍ୟ। ଗତବର୍ଷ ତୁଳନାରେ ଜାତିସଂଘ ଏ ବର୍ଷ ଅଧା ଟଙ୍କା ମାଗିଛି। ଏହାର ଅର୍ଥ ଏହା ନୁହେଁ ଯେ ଦୁନିଆରୁ ଦୁଃଖ କଷ୍ଟ କମିଛି; ବରଂ ଏହାର ଅର୍ଥ ହେଉଛି ଯେ ଧନୀ ଦେଶମାନେ ଗରିବଙ୍କୁ ସାହାଯ୍ୟ କରିବା ବନ୍ଦ କରିଦେଇଛନ୍ତି। ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅର୍ଥନୈତିକ ସଙ୍କଟ ଯେତେବେଳେ ବଢ଼ିଚାଲିଛି, ସେତେବେଳେ ସାହାଯ୍ୟ କରିବାର ମନୋଭାବ କମିଯାଉଛି। ଏହା କେବଳ ଅର୍ଥର ଅଭାବ ନୁହେଁ, ମାନବିକତାର ଅଭାବ। ଜାତିସଂଘର ନୂଆ ଯୋଜନା କେବଳ ୮.୭ କୋଟି ଲୋକଙ୍କୁ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଛି- ଯେଉଁମାନେ ମୃତ୍ୟୁ ମୁଖରେ ଠିଆ ହୋଇଛନ୍ତି; କିନ୍ତୁ ପ୍ରକୃତରେ ବିଶ୍ବର ପ୍ରାୟ ୨୫ କୋଟି ଲୋକଙ୍କୁ ତୁରନ୍ତ ସାହାଯ୍ୟ ଦରକାର। ଏହାର ଅର୍ଥ ହେଲା ପ୍ରାୟ ୧୬ କୋଟି ଲୋକଙ୍କୁ ଜାଣି ଶୁଣି ଛାଡ଼ି ଦିଆଯାଉଛି। ସେମାନେ ବଞ୍ଚିବେ କି ମରିବେ, ତାହା ସେମାନଙ୍କ ଭାଗ୍ୟ ଉପରେ ନିର୍ଭର କରେ। ଜାତିସଂଘର ସାହାଯ୍ୟ ବିଭାଗର ମୁଖ୍ୟ ଟମ୍ ଫ୍ଲେଚର କହିଛନ୍ତି ଯେ ସେମାନେ ଅର୍ଥାଭାବ ଜନିତ ଅତ୍ୟଧିକ ଚାପରେ ଅଛନ୍ତି। ଏହା ସହିତ ଯୁଦ୍ଧ କ୍ଷେତ୍ରରେ କାମ କରୁଥିବା ସ୍ୱେଚ୍ଛାସେବୀମାନଙ୍କ ଜୀବନ ମଧ୍ୟ ବିପଦରେ ରହିଛି। ଗାଜା, ସୁଦାନ ଏବଂ ସିରିଆ ଭଳି ଦେଶରେ ସ୍ଥିତି ସବୁଠାରୁ ସଙ୍ଗିନ। କେବଳ ଗାଜା ପାଇଁ ୪ ବିଲିୟନ ଡଲାରର ଆବଶ୍ୟକତା ରହିଛି, ଯେଉଁଠାରେ ଲକ୍ଷ ଲକ୍ଷ ଲୋକ ଘରଦ୍ବାର ହରାଇ ସମ୍ପୂର୍ଣ୍ଣ ଭାବେ ରିଲିଫ୍ ଉପରେ ନିର୍ଭର କରୁଛନ୍ତି। ସୁଦାନ ଏବଂ ସିରିଆରେ ମଧ୍ୟ ପରିସ୍ଥିତି ଭୟଙ୍କର।
ଏହି ସଙ୍କଟର ମୁଖ୍ୟ କାରଣ ହେଲା ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶମାନଙ୍କର ସହଯୋଗ କମିଯିବା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଯୋଗୁଁ ଆମେରିକାର ଅନୁଦାନ ଯଥେଷ୍ଟ ହ୍ରାସ ପାଇଛି। ଗତବର୍ଷ ଜାତିସଂଘ ୪୭ ବିଲିୟନ ଡଲାର ମାଗିଥିଲା; କିନ୍ତୁ ମିଳିଲା ମାତ୍ର ୧୨ ବିଲିୟନ ଯାହାକି ବିଗତ ଦଶ ବର୍ଷରେ ସବୁଠୁ କମ୍। ଆମେରିକା ପୂର୍ବରୁ ମୋଟ ସାହାଯ୍ୟର ଏକ ତୃତୀୟାଂଶରୁ ଅଧିକ ଦେଉଥିଲା, ବର୍ତ୍ତମାନ କେବଳ ୧୫.୬% ଦେଉଛି। ଯଦି ବିଶ୍ୱର ସମର୍ଥ ଦେଶମାନେ ନିଜ ଦାୟିତ୍ୱରୁ ଏଭଳି ମୁହଁ ଫେରାଇ ନିଅନ୍ତି, ତେବେ କ୍ଷୁଧା, ରୋଗ ଏବଂ ଅନାହାରରେ ଅନେକ ନିରୀହ ଜୀବନ ଯିବ।
ଜାତିସଂଘ ଦ୍ୱାରା ମାନବିକ ସହାୟତା ପାଇଁ କମ୍ ଅର୍ଥ ରାଶିର ଦାବି କେବଳ ଏକ ବାସ୍ତବବାଦୀ ଆକଳନ ନୁହେଁ, ବରଂ ଏହାକୁ ବୈଶ୍ୱିକ ସହାନୁଭୂତିର ଅଭାବ ବୋଲି କୁହାଯାଇ ପାରିବ। ଏହା ବିଶ୍ୱକୁ ଏକ ଜଟିଳ ପ୍ରଶ୍ନ ପଚାରୁଛି, ଯଦି ବର୍ତ୍ତମାନର ମାନବିକ ସହାୟତା ବ୍ୟବସ୍ଥା କେବଳ କିଛି ଦେଶର ରାଜନୈତିକ ଇଚ୍ଛାଶକ୍ତି ଏବଂ ବଜେଟ୍ ଉପରେ ନିର୍ଭରଶୀଳ ତେବେ ଏହାର ସ୍ଥାୟୀ ବିକଳ୍ପ କ’ଣ? ଏହି ଅବସ୍ଥା ଦର୍ଶାଉଛି ଯେ ସଙ୍କଟଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବିଶ୍ୱରେ ଏକ ସହଭାଗୀ ଏବଂ ସୁଦୃଢ଼ ଆର୍ଥିକ ଢାଞ୍ଚା ଆବଶ୍ୟକ। ବର୍ତ୍ତମାନର ଅବସ୍ଥା ହେଉଛି ବିଶ୍ୱର ବିବେକ ଉପରେ ଏକ ପ୍ରଶ୍ନବାଚୀ। ଯଦି ଆମେ ସବୁଠାରୁ ଅସହାୟ ଲୋକଙ୍କ ପାଖରେ ଛିଡ଼ା ହୋଇପାରିବା ନାହିଁ, ତେବେ ବିଶ୍ୱ ଏକ ପରିବାର ବୋଲି କହିବାର ନୈତିକ ଅଧିକାର ଆମର ରହିବ ନାହିଁ।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories