ହଜ୍‍ଯାତ୍ରୀରୁ କୁମ୍ଭ ମେଳାର କିନ୍ନର ଆଖଡ଼ା ନେତ୍ରୀ

0

ପ୍ରୟାଗରାଜ: ମାତ୍ର ୧୩ବର୍ଷ ବୟସରେ ଜାଣି ପାରିଥିଲା ସେ ଜଣେ କିନ୍ନର ବୋଲି। ତେଣୁ ସର୍ବଦା ମୁହଁରେ ହସ ନେଇ ପରିବାରବର୍ଗଙ୍କ ସମ୍ମୁଖରେ ଘୁରି ବୁଲୁଥିବା ଏହି ଶିଶୁର ଜୀବନ ଅନ୍ୟାନ୍ୟ ପିଲାଙ୍କ ପରି ସାଧାରଣ ନଥିଲା। ପରିବାରବର୍ଗ ଉକ୍ତ ଶିଶୁକୁ ନେଇ ଲଜ୍ଜିତ ଅନୁଭବ କରିବାକୁ ଲାଗିଲେ। କ୍ରମଶଃ ତା ମୁହଁରୁ ହସ ଉଭେଇ ଗଲା, କିଛି ବର୍ଷ ପରେ ଦିନେ ହଠାତ୍‍ ଏହି ଶିଶୁ ଘର ଛାଡ଼ି ଏକ ଅଜଣା ପଥର ଯାତ୍ରୀ ପାଲଟି ଯାଇଥିଲା। ସେହି ଦିନଠାରୁ ଆଉ କେବେ ଘର ମୁହଁ ହୋଇ ନଥିଲା ଭବାନୀ।
ଏହି ସମୟରେ ଭବାନୀଙ୍କୁ ସ୍କୁଲ ଅଧାରୁ ପାଠପଢା ବନ୍ଦ କରିବାକୁ ପଡ଼ିଲା। ଟାହିଟାପରା ମଧ୍ୟରେ ସ୍କୁଲ ଯିବା ତ’ ଦୂର କଥା ନିଜ ପରିବାରରେ ମଧ୍ୟ ଭବାନୀ ପାଲଟି ଯାଇଥିଲା ଆଲୋଡ଼ା। ଭବାନୀର ଅଜ୍ଞାତ ଗତିପଥ ତାକୁ ଇସଲାମ ଧର୍ମ ପ୍ରତି ଆକୃଷ୍ଟ କରିଥିଲା। କିଶୋରାବସ୍ଥାରେ ପାଦ ଦେଉ ଦେଉ ଭବାନୀ ହଜ ଯାତ୍ରୀଙ୍କ ତାଲିକାରେ ସ୍ଥାନ ପାଇବାରେ ସଫଳ ହୋଇଥିଲା।
ସମୟ ଗଡ଼ି ଚାଲିଲା। ଦିନ ଆସିଲା ଯେତେବେଳେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ତୃତୀୟ ଲିଙ୍ଗକୁ ମାନ୍ୟତା ଦେଲେ। ସୁପ୍ରିମ କୋର୍ଟର ଏହି ରାୟ ଭବାନୀର ଜୀବନରେ ପୁଣି ଥରେ ପଟ୍ଟ ପରିବର୍ତ୍ତନର ସୁଯୋଗ ଆଣିଦେଲା। ଛୋଟବେଳୁ କାଳୀଙ୍କ ଭକ୍ତ ଭବାନୀକୁ ସୁପ୍ରିମ କୋର୍ଟର ରାୟ ପରେ ମିଳିଲା ନାଗରିକର ଅଧିକାର। ତେଣୁ ଆଜି କୁମ୍ଭ ମେଳାରେ ହିନ୍ଦୁ ସନ୍ନ୍ୟାସୀଙ୍କ ମଧ୍ୟରେ ଜଣେ କିନ୍ନର ନେତ୍ରୀ ଭାବେ ଭବାନୀଙ୍କୁ ମାନ୍ୟତା ମିଳିଲା। ଚଳିତ ବର୍ଷ କୁମ୍ଭମେଳାରେ ଭବାନୀକୁ ପୁଣି ଥରେ ଜୀବନର ପଟ୍ଟ ପରିବର୍ତ୍ତନ କରିବାର ସୁଯୋଗ ମିଳିଲା।
୨୦୧୫ରେ ଭବାନୀଙ୍କ ନାମ ବଦଳି ଯାଇ ଭବାନୀ ନାଥ ହୋଇଯାଇ ଥିଲା। ଭବାନୀ ନାଥ ଥିଲେ କିନ୍ନର ଆଖଡ଼ାର ସଂସ୍ଥାପକ ସଦସ୍ୟ। ଉଜ୍ଜୟନୀ କୁମ୍ଭମେଳା ପ୍ରାରମ୍ଭରୁ ଗଠିତ ହୋଇଥିବା ଏହି ଆଖଡ଼ା ଦଳର ନେତ୍ରୀ ଭାବେ ଭବାନୀ ଏଠାରେ ନିଜ ପରିଚୟ ଦେଲେ। ଅଖିଳ ଭାରତୀୟ ଆଖଡ଼ା ପରିଷଦ କିନ୍ତୁ ତାଙ୍କୁ ସ୍ୱତନ୍ତ୍ର ଆଖଡ଼ା ଦଳରୁ ୧୪ତମ ଆଖଡ଼ାର ମାନ୍ୟତା ଦେବାକୁ ରାଜି ହୋଇ ନଥିଲେ। ତେଣୁ ସାହି ସ୍ନାନରୁ ବଣ୍ଣାଢ୍ୟ କିନ୍ନର ଆଖଡ଼ାଙ୍କୁ ମିଳି ନଥିଲା ସୁଯୋଗ।
କାଳକ୍ରମେ ୨୦୧୭ସୁଦ୍ଧା କିନ୍ନର ଆଖଡ଼ାକୁ କ୍ରମଶଃ ସମ୍ମାନ ମିଳିବା ଆରମ୍ଭ କଲା। ଭବାନୀ କ୍ରମଶଃ କିନ୍ନର ଆଖଡ଼ାର ଉତ୍ତରଭାରତର ମହାମଣ୍ଡଳେଶ୍ୱରରେ ରୂପାନ୍ତରିତ ହୋଇଗଲେ।
ଚଳିତ ବର୍ଷ ଜୁନା ସମ୍ପ୍ରଦାୟ କିନ୍ନର ଆଖଡ଼ାକୁ ନିଜ ଦଳରେ ସାମିଲ କରିଛନ୍ତି। ଚଳିତ ବର୍ଷ ଅନ୍ୟାନ୍ୟ ସନ୍ନ୍ୟାସୀଙ୍କ ସହ ଭାବନୀ ମଧ୍ୟ ତନ୍ତ୍ର ସାଧନା କରିବା ସହ ସମ୍ମାନର ସହ ସାହି ସ୍ନାନରେ ଅଂଶଗ୍ରହଣ କରିଛନ୍ତି।
ମାତ୍ର ୧୪ବର୍ଷ ବୟସରେ ଜଣେ କିଶୋର ପାଇଁ ଘର ଛାଡ଼ିବା ଏତେ ସହଜ ନଥିଲା। ନିଜେ ବଞ୍ôଚବା ପାଇଁ ଏହି କିଶୋରକୁ ପ୍ରବଳ ସଂଗ୍ରାମ କରିବାକୁ ପଡ଼ିଥିଲା। ସବୁଠାରୁ ବଡ଼ ସମସ୍ୟା ପାଲଟିଥିଲା ନିଜ ପରିଚୟକୁ ନେଇ। ୨୦୦୭ରେ ଭବାନୀଙ୍କ ଜୀବନରେ ଆସିଥିଲେ କିନ୍ନର ଗୁରୁ ହାଜି ନୂରୀ। ନୂରୀଙ୍କ ସଂସ୍ପର୍ଶରେ ଆସି ଭବାନୀ ପାଲଟିଯାଇଥିଲେ ସବନମ। ଦିଲ୍ଲୀର ସମ୍ଭ୍ରାନ୍ତ ଅଞ୍ଚଳରେ ଘରଘର ବୁଲି ସବନମ ଗୀତ ଗାଉଥିଲେ। ତେବେ ଏଥିରେ ମଧ୍ୟ ସବନମ ଓରଫ ଭବାନୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବିରୋଧୀ ପକ୍ଷ ସବନମଙ୍କୁ ନାନା କାରଣରେ ଆକ୍ରମଣ କରି ତାଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିବାକୁ ଉଦ୍ୟମ ଜାରି ରଖିଥିଲେ। ଭବାନୀ ଜଣେ ହିନ୍ଦୁ ହୋଇଥିବାବେଳେ ମିଛରେ ଇସଲାମ ପରିଚୟ ଦେଉଥିବା ଆଳ ଦେଖାଇ ବିପକ୍ଷ ତାଙ୍କୁ ଆକ୍ରମଣ କଲେ। ତେଣୁ ଗୁରୁଙ୍କ ତାଗିଦ୍‍ ତାଙ୍କୁ ଇସଲାମ ଗ୍ରହଣ କରିବାକୁ ବାଧ୍ୟ କରିଥିଲା। ଇସଲାମ ଗ୍ରହଣ କରିବା ଦ୍ୱାରା ସବନମଙ୍କୁ “ହିଜଡ଼ା’ ସମାଜରେ ପ୍ରବେଶ ଅନୁମତି ମିଳିବା ସହ ୨୦୧୨ରେ ହଜ୍‍ ଯାତ୍ରା କରିବାର ସୁଯୋଗ ମିଳିଥିଲା। ଇସଲାମ ଗ୍ରହଣ କରିବା ପରେ ସମସ୍ତ ନିୟମକୁ ବେଶ୍‍ ନିଷ୍ଠାର ସହ ପାଳନ କରୁଥିଲେ ସବନମ। ଏପରିକି ରମଜାନ ମାସରେ ସେ ଉପାସ ରଖୁଥିଲେ।
ସୁପ୍ରିମ କୋର୍ଟ ତୃତୀୟ ବର୍ଗର ମାନ୍ୟତା ଦେବା ପରେ ସବନମ ପୁଣି ଥରେ ଭବାନୀର ପରିଚୟ ନେଇ ବଞ୍ôଚବା ଆରମ୍ଭ କରିଥିଲେ। ନିଜ ଜନ୍ମିତ ପରମ୍ପରାକୁ ପାଳନ କରିବା ସହ ନିଜ ଧର୍ମ ଓ କାଳୀ ପୂଜା ନିଷ୍ଠାର ସହ ପାଳନ କଲେ ଭବାନୀ। ଭବାନୀଙ୍କ କିନ୍ନର ଆଖଡ଼ା ଆଜିର ସମାଜରେ ପୁରୁଷ ମହିଳାଙ୍କ ପରି କିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ନିର୍ମାଣ କରିବାକୁ ଦାବି କରିଛନ୍ତି।

kalyan agarbati
Leave A Reply