ହାତୀ ଗଣନା ଶେଷ, କେନ୍ଦୁଝର ବନଖଣ୍ଡରେ ୧୮୯ ହାତୀ
କେନ୍ଦୁଝରଗଡ଼: ଚଳିତମାସ ୧୪ରୁ ୧୬ ତାରିଖ ୩ଦିନଧରି କେନ୍ଦୁଝର ବନଖଣ୍ଡରେ ହାତୀ ଗଣନା କାର୍ଯ୍ୟ ଶନିବାର ଶେଷ ହୋଇଛି। କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି.ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୭ଟି ବନାଞ୍ଚଳରେ ୪ଜଣ ସହକାରୀ ବନ ସଂରକ୍ଷକଙ୍କ ସହଯୋଗରେ ମୋଟ ୨୪୬ଜଣ ବନ କର୍ମଚାରୀ ଏହି ହାତୀ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ୭ଟି ବନାଞ୍ଚଳରେ ୪୩ଟି ମଞ୍ଚା ସାହାର୍ଯ୍ୟରେ ୮୨ଟି ଗଣନା ୟୁନିଟ୍ ସହାୟତାରେ ହାତୀ ଗଣନା କାର୍ଯ୍ୟ ସମ୍ପାଦିତ ହୋଇଥିବା ବେଳେ ଦୈନିକ ରିପୋର୍ଟ ଅନୁଯାୟୀ ଶନିବାର ସୁଦ୍ଧା ଜିଲାରେ ୧୮୯ଟି ହାତୀ ଥିବା ସହକାରୀ ବନ ସଂରକ୍ଷକ ଅଶୋକ କୁମାର ଦାସ କହିଛନ୍ତି। ହାତୀ ଗଣନା କାର୍ଯ୍ୟ ଯଦିଓ ଶନିବାର ଶେଷ ହୋଇଛି ଦୁଇଦିନ ପରେ କେନ୍ଦୁଝର ବନଖଣ୍ଡରେ କେତେ ସଂଖ୍ୟକ ହାତୀ ଅଛନ୍ତି ତାହାର ସଠିକ୍ ତଥ୍ୟ ଜଣାପଡ଼ିବ ବୋଲି ସହକାରୀ ବନ ସଂରକ୍ଷକ ଶ୍ରୀ ଦାସ କହିଛନ୍ତି। ପ୍ରତି ହାତୀ ଗଣନା ୟୁନିଟରେ ଜଣେ ଟିମ୍ ଲିଡରଙ୍କ ସମେତ ଅତିକମରେ ୨ଜଣ ସଦସ୍ୟ ଆଗଧାଡିର କ୍ଷେତ୍ର କର୍ମଚାରୀ, ଜିଆଇଏସ୍ ଏକ୍ସପର୍ଟ, ବାଇଓଲୋଜିଷ୍ଟ, ବନାଞ୍ଚଳ ଅଧିକାରୀ ଓ ସହକାରୀ ବନ ସଂରକ୍ଷକଙ୍କ ସହାୟତାରେ ଏହି ଗଣନା କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିବା ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି କହିଛନ୍ତି।
Comments are closed.