ବ୍ୟକ୍ତିଗତ ସ୍ୱାର୍ଥ ରହିତ ଓ ଜନସ୍ୱାର୍ଥ ସମ୍ବଳିତ ଖବର ପରିବେଷଣକୁ ଗୁରୁତ୍ୱ ଦିଅନ୍ତୁ ସାମ୍ବାଦିକ

କେନ୍ଦୁଝରଗଡ଼: ଜିଲା ପ୍ରଶାସନ ଆନୁକୂଲ୍ୟରେ ଦରବାରହଲ ଠାରେ ଶନିବାର ଅପରାହ୍ନରେ ଜାତୀୟ ପ୍ରେସ୍‌‌ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଦରବାରହଲଠାରେ ଆୟୋଜିତ ସମାରୋହରେ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ମୁଖ୍ୟଅତିଥି ଭାବେ ଯୋଗଦେଇ ବ୍ୟକ୍ତିଗତ ସ୍ୱାର୍ଥ ଠାରୁ ଦୂରେଇ ରହି ଜନସ୍ୱାର୍ଥ ସମ୍ବଳିତ ଖବର ପରିବେଷଣ ଉପରେ ସାମ୍ବାଦିକ ଗୁରୁତ୍ୱ ଦିଅନ୍ତୁ ବୋଲି ଆହ୍ୱାନ ଦେଇଥିଲେ। ଜାତୀୟ ପ୍ରେସ୍‌‌ ଦିବସ ଅବସରରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ମଧ୍ୟରେ ଗଣମାଧ୍ୟମ ପ୍ରତି ଜନସାଧାରଣଙ୍କର ଗଭୀର ଆସ୍ଥା ରହିଛି ବୋଲି କହିଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରପ୍ରୀୟା ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ମାନେ ବ୍ୟକ୍ତିଗତ ଜୀବନରେ ବିଭିନ୍ନ ଘାତ ପ୍ରତିଘାତ, ସମସ୍ୟା ଭିତରେ ଥାଇ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରି ସମାଜରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଛନ୍ତି ବୋଲି କହିଥିଲେ। ତେବେ ଏହି କଷ୍ଟଲବ୍ଧ କାର୍ଯ୍ୟ ତୁଲାଇବା ସମୟରେ ଗଣମାଧ୍ୟମ ପ୍ରତିନିଧି ବ୍ୟକ୍ତିଗତ ଆକ୍ରୋଶ ନରଖି ସମାଜର ହିତ ସାଧନ ଦିଗରେ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଆହ୍ୱାନ ଦେଇଥିଲେ। ଡେପୁଟି କଲେକ୍ଟର ରୂପାଲୀ ହାଁସଦା ଏହି ଅବସରରେ ମଞ୍ଚାସୀନ ହୋଇଥିଲେ। କେନ୍ଦୁଝର ପ୍ରେସ୍‌‌ କ୍ଲବ ଉପସଭାପତି ଜୟକୃଷ୍ଣ ପଣ୍ଡା ଓ ସମ୍ପାଦକ ଶରତ ଚନ୍ଦ୍ର ଦାସ ମଞ୍ଚାସୀନ ହୋଇ ଚଳିତବର୍ଷର ଶୀର୍ଷକ ‘ପରିବର୍ତ୍ତନଶୀଳ ଗଣମାଧ୍ୟମର ସ୍ୱରୂପ’ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ବର୍ତ୍ତମାନ ଗଣମାଧ୍ୟମର ସ୍ୱରୂପ ବଦଳିଛି। ସାମାଜିକ ଗଣମାଧ୍ୟମରେ ବେଳେବେଳେ ମିଥ୍ୟା ଖବର ପ୍ରସାରିତ ହେଉଛି। ଯାହାକି ସମାଜ ପାଇଁ କ୍ଷତିକାରକ। ଏଣୁ ଗଣମାଧ୍ୟମର ପ୍ରତିନିଧିମାନେ ଏ ଦିଗରେ ସତର୍କତା ଅବଲମ୍ବନ କରିବାର ସମୟ ଆସିଛି ବୋଲି ସତର୍କ କରାଇ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ଜେନା ଓ ସତ୍ୟଜିତ ମିଶ୍ର ନିଜ ବକ୍ତବ୍ୟରେ ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ପ୍ରତିନିଧିମାନଙ୍କ ଭୂମିକା ସବୁବେଳେ ପ୍ରଶଂସନୀୟ ହୋଇ ରହି ଆସିଅଛି ବୋଲି କହିଥିଲେ। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗଣାମଧ୍ୟମର ସମସ୍ତ ପ୍ରତିନିଧିଙ୍କୁ ଜାତୀୟ ପ୍ରେସ୍‌‌ ଦିବସର ଶୁଭେଛା ଓ ଅଭିନନ୍ଦନ ଜଣାଇବା ଅବସରରେ ଦେଶର ସାମଗ୍ରିକ ବିକାଶ କ୍ଷେତ୍ରରେ ବିବିଧ ଭାବରେ ଗଣମାଧ୍ୟମର ବିଶେଷ ଅବଦାନ ରହିଛି ବୋଲି କହିଥିଲେ। ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମାଜର ମୁଖପାତ୍ର ଭାବେ ଅଭିହିତ କରି ସେମାନଙ୍କ ଦ୍ୱାରା ପରିବେଷିତ ନିଚ୍ଛକ ସମ୍ବାଦ ପ୍ରଶାସନକୁ ସର୍ବଦା ସତର୍କ କରି ଦେଇଥାଏ ବୋଲି କହିବା ସହିତ ଏହାଦ୍ୱାରା ଅନେକ ସମସ୍ୟାର ସମାଧାନ ହୋଇଥାଏ ବୋଲି କହିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.