୨୭ ନଭେମ୍ବରରେ ବଜାରକୁ ଆସିବ ଆକ୍ଟିଭା ଇଲେକ୍ଟ୍ରିକ୍

ନୂଆଦିଲ୍ଲୀ : ହୋଣ୍ଡା ମୋଟରସାଇକେଲ ଏଣ୍ଡ୍ ସ୍କୁଟର ଇଣ୍ଡିଆ ୨୭ ନଭେମ୍ବରରେ ନିଜ ଇଲେକ୍ଟ୍ରିକ୍ ସ୍କୁଟରର ବଜାର ପ୍ରବେଶ କରିବାକୁ ଯାଉଛି । ଏହାର ଲଞ୍ଚ୍ ତାରିଖ ଯେତିକି ପାଖେଇ ଆସୁଛି ଗ୍ରାହକଙ୍କ ଉତ୍କଣ୍ଠା ସେତେ ବଢୁଛି । ଏବେ କମ୍ପାନୀ ଆକ୍ଟିଭା ଇଭିର ନୂଆ ଟିଜର ଜାରି କରିଦେଇଛି ଯେଉଁଥିରେ ଏହାର ଇଲେକ୍ଟ୍ରିକ୍ ମୋଟର, ରିୟର ଟାୟାର ଓ ଲମ୍ବା ସିଟ୍ ଡିଜାଇନ୍ ଦେଖିବାକୁ ମିଳୁଛି । ଏହା ହୋଣ୍ଡାର ପ୍ରଥମ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ହେବ । ବଜାରରେ ଏହାର ମୁକାବିଲା ଓଲା ଏସ୧, ଟିଭିଏସ୍ ଆଇକ୍ୟୁବ୍, ହିରୋ ଭିଡା ଭି୧, ବଜାଜ ଚେତକ ଇଭି, ଏଥର ଏନର୍ଜି ସହ ହେବ ।

ଟିଜରରେ ଏମଆରଏଫ୍ ରିୟର ଟାୟାର ଦେଖିବାକୁ ମିଳୁଛି । ଏହା ସହର ମଧ୍ୟରେ ଚଳାଇବା ସମୟରେ ଉତ୍ତମ ରାଇଡିଂ ଅନୁଭୂତି ପ୍ରଦାନ କରିବ । ଲମ୍ବା ସିଟରୁ ଏହା ଆରାମଦାୟକ ହେବ ବୋଲି ଅନୁମାନ କରାଯାଉଛି । ଚାଳକ ସହ ଯାତ୍ରୀ ମଧ୍ୟ ଏଥିରେ ସହଜରେ ଯାତ୍ରା କରିପାରିବେ । ଗାଡିରେ ଏଲଇଡି ହେଡଲାଇଟ୍ସ ଏବଂ ଆଡଭାନ୍ସଡ କନେକ୍ଟିଭିଟି ବିକଳ୍ପ ମିଳିବ । ଏହାକୁ ଥରେ ଚାର୍ଜ କଲେ ୧୧୦ କିଲୋମିଟର ଯାତ୍ରା କରିହେବ । ସ୍କୁଟରର ଦାମ୍ ୧ ଲକ୍ଷ ୨୦ ହଜାର ଟଙ୍କା ହୋଇପାରେ ବୋଲି ଆକଳନ କରାଯାଉଛି । ତେବେ କମ୍ପାନୀ ବଜାର ପ୍ରବେଶ ସମୟରେ ଏନେଇ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ ।

Comments are closed.