ପିଏଚଡି ଚାମ୍ବର ସରକାରଙ୍କ ନୀତି, ଯୋଜନା ଏବଂ ଦୃଷ୍ଟିକୋଣ କାର୍ଯ୍ୟକାରୀ କରିବା ଉଚିତ – ଅମିତ ଶାହ

ଡେସ୍କ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀ ଠାରେ ପିଏଚଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ୧୧୯ତମ ବାର୍ଷିକ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଚଳିତ ବର୍ଷର ବାର୍ଷିକ ଅଧିବେଶନର ବିଷୟବସ୍ତୁ ଥିଲା ‘ବିକଶିତ ଭାରତ @ ୨୦୪୭: ପ୍ରଗତିର ଶୀର୍ଷ ଆଡ଼କୁ ପଦଯାତ୍ରା’। ଏହି କାର୍ଯ୍ୟକ୍ରମରେ ଶିଳ୍ପର ପ୍ରାୟ ୧୫୦୦ ବ୍ୟବସାୟୀ, ଚାଟାର୍ଡ ଆକାଉଣ୍ଟାଣ୍ଟ, ବ୍ୟାଙ୍କର, ଓକିଲ ଆଦି ଅଂଶଗ୍ରହଣ କରିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରସିଦ୍ଧ ଶିଳ୍ପପତି ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ଶ୍ରୀ ଶାହ କହିଥିଲେ ଯେ ରତନ ଟାଟା କେବଳ ଭାରତୀୟ ଶିଳ୍ପ କ୍ଷେତ୍ରରେ ନୁହେଁ ବରଂ ବିଶ୍ୱସ୍ତରରେ ମଧ୍ୟ ଏକ ସମ୍ମାନଜନକ ବ୍ୟକ୍ତିତ୍ୱ। ସେ ଏପରି ଏକ ସମୟରେ ଟାଟା ଗ୍ରୁପର ଦାୟିତ୍ୱ ଗ୍ରହଣ କରିଥିଲେ ଯେତେବେଳେ ଗ୍ରୁପରେ ଅନେକ ପରିବର୍ତ୍ତନର ଆବଶ୍ୟକତା ଥିଲା ଏବଂ ରତନ ଟାଟା ଧୈର୍ଯ୍ୟର ସହ ତାଙ୍କ ଗ୍ରୁପର ସମସ୍ତ ବ୍ୟବସାୟ ଏବଂ କାର୍ଯ୍ୟ ପ୍ରଣାଳୀକୁ ପରିବର୍ତ୍ତନ କରିଥିଲେ। ଶ୍ରୀ ଶାହ କହିଛନ୍ତି ଯେ ଆଜି ମଧ୍ୟ ଟାଟା ଗ୍ରୁପ୍ ଭାରତର ଶିଳ୍ପ କ୍ଷେତ୍ରରେ ଏକ ପୋଲ ଷ୍ଟାର ଭାବେ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରତନ ଟାଟା ସଚ୍ଚୋଟତାର ସହିତ ଏବଂ ସମସ୍ତ ନିୟମାବଳୀ ପାଳନ କରି ତାଙ୍କ ଶିଳ୍ପ ଗୋଷ୍ଠୀକୁ ଦେଶ ତଥା ବିଶ୍ୱସ୍ତରରେ ଏକ ପ୍ରମୁଖ ସ୍ଥାନରେ ପହଞ୍ଚାଇଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଭାରତୀୟ ଶିଳ୍ପ ପାଇଁ ନିର୍ଣ୍ଣାୟକ ହେବାକୁ ଯାଉଛି ଏବଂ ଏଭଳି ସମୟରେ ପିଏଚଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ୧୧୯ତମ ବାର୍ଷିକ ସମ୍ମିଳନୀ ଆୟୋଜନ କରାଯାଉଛି। ସେ କହିଛନ୍ତି ଯେ ଆଜି ବିଶ୍ୱର ଦେଶମାନଙ୍କରେ ବିଶ୍ୱାସର ସଙ୍କଟ ଦେଖାଦେଇଛି। ପ୍ରଥମେ ମୁଖ୍ୟମନ୍ତ୍ରୀ ଓ ପରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଗତ ୨୩ ବର୍ଷ ଧରି ଗଣତାନ୍ତ୍ରିକ ଭାବରେ ଲୋକଙ୍କ ବିଶ୍ୱାସ ଜିତି ଆସୁଛନ୍ତି। ଶ୍ରୀ ଶାହ କହିଛନ୍ତି ଯେ ସ୍ଥିରତା ବିନା ନୀତିକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରାଯାଇପାରିବ ନାହିଁ ଏବଂ ସୁରକ୍ଷା ତଥା ବିକାଶ ସୁନିଶ୍ଚିତ ହୋଇପାରିବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ଥିରତା ନୀତି, ଚିନ୍ତାଧାରା ଏବଂ ବିକାଶରେ ନିରନ୍ତରତା ଆଣିଥାଏ । ଶ୍ରୀ ଶାହା ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଗତ ୧୦ ବର୍ଷ ମଧ୍ୟରେ ଏହି ବିଶାଳ ଦେଶକୁ ଅନେକ ସମସ୍ୟାରୁ ମୁକ୍ତି ଦେଇଛନ୍ତି ଏବଂ ସେ ବର୍ତ୍ତମାନ କ୍ରମାଗତ ତୃତୀୟ ଥର ପାଇଁ ଦେଶର ନେତୃତ୍ୱ ନେଉଛନ୍ତି।

Comments are closed.