ଚୋରା ମଦ ପ୍ରସ୍ତୁତି ପେଣ୍ଠରେ ପୁଲିସ ଚଢାଉ

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମ ହେଉଛି ଚୋରା ଦେଶୀ ମଦ ପ୍ରସ୍ତୁତିର ପେଣ୍ଠସ୍ଥଳ। ଗୁରୁବାର ଭୋର ସମୟରେ ଆଠଗଡ ପୁଲିସ ସଦଳବଳେ କୋରଙ୍ଗା ଗ୍ରାମରେ ଚଢାଉ କରି ବିପୁଳ ପରିମାଣର ସଦ୍ଯ ପ୍ରସ୍ତୁତ ଦେଶୀ ମଦ ଓ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ଗୁଡପୋଚ ଜବତ କରିଥିଲେ । ବୁଧବାର ସନ୍ଧ୍ୟାରେ କଟକର ନୂତନ ଗ୍ରାମାଞ୍ଚଳ ଏସପି ପ୍ରତିକ୍ ସିଂହ ଆଠଗଡ ଥାନା ପରିଦର୍ଶନରେ ଆସି ଏଠିକାର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ଆଠଗଡ ଅଞ୍ଚଳରେ ଚୋରାମଦ କାରବାର ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଏସପି ଶ୍ରୀ ସିଂହ ନିର୍ଦ୍ଦେଶ ଦେଇ ଫେରିବା ପରେ ସ୍ଥାନୀୟ ପୁଲିସ କୋରଙ୍ଗା ଗ୍ରାମ ଉପରେ ଚଢାଉ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଗୁରୁବାର କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି ଦେବଦତ୍ତ ବରାଳ, ଆଠଗଡ ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ଓ ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ନେତୃତ୍ବରେ ବହୁ ଅଧିକାରୀ ଓ ଫୋର୍ସ କୋରଙ୍ଗା ଗ୍ରାମ ନିକଟସ୍ଥ ଚାଷଜମି ଓ ଝାଟି ଜଙ୍ଗଲ ମଧ୍ଯରେ ଥିବା ଏକାଧିକ ଭାଟି ଉପରେ ଚଢାଉ କରିଥିଲେ । ପୁଲିସ ଦଳକୁ ଦୂରରୁ ଦେଖି ମଦ ମାଫିଆ ଚମ୍ପଟ ମାରିଥିଲେ । କିନ୍ତୁ ପୁଲିସ ଦଳ ସେସବୁ ସ୍ଥାନରେ ଗଚ୍ଛିତ ପ୍ରାୟ ୧୦୦ ଲିଟର ମଦ ଓ ୪୧ଟି ପ୍ଲାଷ୍ଟିକ ଜାରକିନ୍ ରେ ଗଚ୍ଛିତ ୧୪୩୫ ଲିଟର ପୋଚ ଜବତ କରିଥିଲେ । ମଦ ପ୍ରସ୍ତୁତିରେ ବ୍ୟବହୃତ ୭ଟି ବଡ ଆଲୁମିନିୟମ ଡେକଚି ଓ ଅନ୍ଯ ସାମଗ୍ରୀ ସହ ଗୋଟିଏ ସାଇକେଲ ମଧ୍ଯ ଜବତ କରାଯାଇଛି । ସେହି ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚଢାଉ କରାଯାଇ ସବୁବେଳେ ବିପୁଳ ମଦ ଓ ପୋଚ ଜବତ କରାଯାଉଥିଲେ ମଧ୍ଯ ମଦ ମାଫିଆଙ୍କ ଉପରେ କୌଣସି ପ୍ରଭାବ ପଡେନାହିଁ । ଏବେ ପୁଲିସ ଚଢାଉ ପରେ ମାଫିଆଙ୍କ ଉପରେ କିଛିଟା ପ୍ରଭାବ ପଡିବ ବୋଲି ଆଶା ପ୍ରକାଶ ପାଉଛି । ପୁଲିସ ସେହି ଗ୍ରାମ ସମେତ ଅନ୍ଯ ମଦ କାରବାର ହେଉଥିବା ଅଞ୍ଚଳ ଉପରେ ନିୟମିତ ଚଢାଉ କରିବ ଏବଂ ଆଜି ଫେରାର ହୋଇଥିବା ଚୋରା ମଦ ବ୍ୟବସାୟୀଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ଶ୍ରୀ ମୁଦୁଲି କହିଛନ୍ତି । ଏହି ଚଢାଉରେ ଆଠଗଡ ଥାନାର ଏସଆଇ ଦିଲ୍ଲୀପ କୁମାର ବେହେରା, ଜନ୍ମିତା ସାସମଲ୍, ଏଏସଆଇ ସତ୍ଯପ୍ରିୟ ବରାଳଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଏ ସମ୍ପର୍କରେ ଆଠଗଡ ଥାନାରେ ଅବକାରୀ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି ।

Comments are closed.