ମହିଳା ଟି୨୦ ବିଶ୍ୱକପରେ ପ୍ରଥମ ମ୍ୟାଚ ହାରିଲା ଭାରତ

ଦୁବାଇ: ୟୁଏଇରେ ଚାଲିଥିବା ଆଇସିସି ମହିଳା ଟି୨୦ ବିଶ୍ୱକପର ନବମ ସଂସ୍କରଣରେ ଭାରତ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ୍‌‌-ବି ମ୍ୟାଚରେ ଭାରତ ୫୮ରନରେ ନ୍ୟୁଜିଲାଣ୍ଡଠାରୁ ପରାଜିତ ହୋଇଛି। ନ୍ୟୁଜିଲାଣ୍ଡ ଶୋଫି ଡିଭାଇନଙ୍କ ୫୭ରନ ବଲରେ ୧୬୦ରନ କରିଥିଲା। ଜବାବରେ ଭାରତ ୬ଟି ବଲ ବାକି ଥାଇ ୧୦୨ରନ କରି ଅଲଆଉଟ୍‌‌ ହୋଇଯାଇଥିଲା।
୧୬୧ରନ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତ ୨୮ରନ ମଧ୍ୟରେ ଦୁଇ ଓପନର ସ୍ମୃତି ମାନ୍ଧାନା ଓ ଶେଫାଳି ବର୍ମାଙ୍କ ୱିକେଟ ହରାଇଥିଲା। ୩ୟ ୱିକେଟରେ ହରମନପ୍ରୀତ କୌର ଓ ଜେମିମା ରୋଡିଗ୍ୱେଜ ୧୪ରନ ସଂଗ୍ରହ କରିଥିଲେ। ୪୨ରନ ସ୍କୋର ଥିବାବେଳେ ହରମନପ୍ରୀତ ୧୫ରନ କରି ଆଉଟ୍‌‌ ହୋଇଥିଲେ। ଦଳ ମଧ୍ୟଭାଗରେ ବ୍ୟାଟିଂ ଦୁର୍ଦ୍ଦଶା ଭୋଗିବା ସହ ୭୦ରନ ମଧ୍ୟରେ ୬ଟି ୱିକେଟ ହରାଇଥିଲା। ଶେଷରେ ୧୯ତମ ଓଭର ବୋଲିଂ କରୁଥିବା ରୋଜମ୍ୟାରୀ ମୈର ଶେଷ ଦୁଇ ବଲରେ ଦୁଇଟି ୱିକେଟ ନେଇ ଭାରତୀୟ ଇନିଂସରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।

Comments are closed.