ଆଠଗଡ: ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ବୟସ୍କଙ୍କ ପାଇଁ ବିସିଜି ଟୀକାକରଣ ଉଦଘାଟିତ ହୋଇଯାଇଛି। କଟକ ଜିଲ୍ଲା ଅତିରିକ୍ତ ନିର୍ଦ୍ଦେଶକ (ଜନସ୍ୱାସ୍ଥ୍ୟ) ଡାକ୍ତର ଅଶୋକ କୁମାର ଦାସ ଓ ଆଠଗଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର ଏହି ଶିବିରକୁ ଉଦଘାଟନ କରି ପ୍ରଥମେ ଅଧିକ୍ଷକ ଡାକ୍ତର ମିଶ୍ର ବିସିଜି ଟୀକା ନେଇଥିଲେ। ପରେ ପରେ ବୟୋଜ୍ୟେଷ୍ଠ ସମାଜସେବୀ ସନାତନ ରାୟଙ୍କୁ ଏହି ଟୀକା ଦିଆଯାଇଥିଲା। ଯକ୍ଷ୍ମାର ପ୍ରତିଷେଧକ ରୂପେ ପୂର୍ବରୁ ୧୯୨୧ ମସିହାରୁ ଏହି ବିସିଜି ଟୀକା କେବଳ ଶିଶୁଙ୍କୁ ଜନ୍ମ ସମୟରେ ଓ ୧ ବର୍ଷ ମଧ୍ୟରେ ଦିଆଯାଉଥିଲା। ତେବେ ଯକ୍ଷ୍ମା ରୋଗର ଚିକିତ୍ସା ବ୍ୟୟବହୁଳ ଏବଂ ପରିବାରର ଆର୍ଥିକ ସମସ୍ୟା ବଢାଇଥାଏ। ତେବେ ବର୍ତ୍ତମାନ ଦେଖାଯାଇଛି ଯେ ବୟସ୍କଙ୍କୁ ବିସିଜି ଟୀକା ଦେବା ଦ୍ବାରା ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି। ତେଣୁ ସରକାରଙ୍କ ନିଷ୍ପତ୍ତି କ୍ରମେ ବୟସ୍କ ଲୋକଙ୍କୁ ଏହି ବିସିଜି ଟୀକାର ଗୋଟିଏ ମାତ୍ରା ଦିଆଯାଉଛି ବୋଲି ଡାକ୍ତର ଦାସ ପ୍ରକାଶ କରିଥିଲେ। ଡାକ୍ତରଖାନା ପରିଚାଳକ ପୂଜାଲିନ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ଏଏନଏମ ରେଣୁବାଳା ଦାସ ଓ ଶୁଭଲକ୍ଷ୍ମୀ ପ୍ରଧାନ ସମସ୍ତଙ୍କୁ ଟୀକା ଦେଇଥିଲେ। ବ୍ରହ୍ମପୁର ସିଏଚସିର ବରିଷ୍ଠ ଯକ୍ଷ୍ମା ଚିକିତ୍ସା ପରିଦର୍ଶକ ଉପସ୍ଥିତ ରହି ବୟସ୍କ ଲୋକଙ୍କୁ ଏହି ଟୀକାକରଣର ଆବଶ୍ୟକତା ଓ ଉପକାର ବିଷୟରେ ବୁଝାଇଥିଲେ।
Popular Categories



