ପ୍ରସବ ସମୟରେ ଡାକ୍ତରଙ୍କ ଭୁଲ ଯୋଗୁଁ ଗର୍ଭାଶୟରେ ରହିଗଲା ମୁଣ୍ଡ
ରାଜସ୍ଥାନ : ରାଜସ୍ଥାନ ଜୈସଲମେର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁ ଜଣେ ମହିଳାଙ୍କୁ ନିଜର ସନ୍ତାନ ହରାଇବାକୁ ପଡିଛି। ଏହାସହିତ ସେ ମଧ୍ୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଅଛନ୍ତି।
ସୂଚନା ଅନୁସାରେ ଜୈସଲମେର ଜିଲାର ରାମଗଡ ସରକାରୀ ଡାକ୍ତରଖାନାରେ ଜଣେ ଗର୍ଭବତୀଙ୍କୁ ସନ୍ତାନ ପ୍ରସବ ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଶିଶୁ ଜନ୍ମ ସମୟରେ ପ୍ରଥମେ ଗୋଡ ସହିତ ଶରୀର ବାହାରକୁ ଆସିଥିଲା। ତେବେ ମୁଣ୍ଡଟି ପଦାକୁ ଆସିବାରେ ବିଳମ୍ବ ହୋଇଥିଲା। ପ୍ରସବ ଗୃହରେ ଥିବା ମେଡିକାଲର କର୍ମକର୍ତ୍ତା ଶିଶୁଟିକୁ ବାହାର କରିବା ପାଇଁ ଏତେ ବଳପ୍ରୟୋଗ କରିଥିଲେ ଯେ, ଶିଶୁର ମୁଣ୍ଡ ଗର୍ଭାଶୟ ଭିତରେ ହିଁ ରହିଯାଇଥିଲା। ମୁଣ୍ଡ ପାଖରୁ ଶରୀରଟି ଦୁଇ ଖଣ୍ଡ ହୋଇଯାଇଥିଲା।
ତେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଡାକ୍ତରଖାନା କର୍ମଚାରୀ ପ୍ରସୂତିଙ୍କ ପରିବାରକୁ ନ ଜଣାଇ ଜୈସଲମେରକୁ ପଠାଇ ଦେଇଥିଲେ। ଜୈସଲମେର ଡାକ୍ତରଖାନାର ବରିଷ୍ଠ ଡାକ୍ତରଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। କିନ୍ତୁ ନିଜର ଦୋଷକୁ ଲୁଚାଇବା ପାଇଁ ଗର୍ଭାଶୟରେ ମୁଣ୍ଡ ରହିଯାଇଥିବା ବିଷୟ କୁହାଯାଇ ନ ଥିଲା। ମହିଳା ଜଣକ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ମଧ୍ୟରାତ୍ରିରେ ଡାକ୍ତର ନିରୂପାୟ ହୋଇ ଚିକିତ୍ସାରେ ବିଫଳ ହୋଇଥିଲେ। ପରଦିନ ସକାଳେ ତାଙ୍କୁ ଯୋଧପୁର ପଠାଇ ଦିଆଯାଇଥିଲା। ଯୋଧପୁର ଡାକ୍ତରଖାନାରେ ଡାକ୍ତରମାନେ ଅସ୍ତ୍ରୋପଚାର କରି ମହିଳାଙ୍କ ପେଟରୁ ଶିଶୁର ମୁଣ୍ଡକୁ ବାହାର କରିଥିଲେ। ବର୍ତ୍ତମାନ ପ୍ରସୂତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି। ପରେ ପରିବାର ଲୋକେ ଶିଶୁର ମୁଣ୍ଡକୁ ଧରି ରାମଗଡ ପୁଲିସ ଥାନାରେ ଏକ ମାମଲା ଦାୟର କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରିବା ସହ ନବଜାତ ଶିଶୁର ଦୁଇ ଭାଗକୁ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ଦେଇଛନ୍ତି। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଡାକ୍ତରଖାନାଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି।