www.samajalive.in
Sunday, December 7, 2025
14.1 C
Bhubaneswar

ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ହାଇକୋର୍ଟଙ୍କ ନିର୍ଦେଶ, ତଦନ୍ତ ଭାର ନେଲା ସିବିଆଇ

କଲକାତା : ସ୍ଥାନୀୟ ଆର୍‌.ଜି କର ଭେଷଜ ମହାବିଦ୍ୟାଳୟର ଜଣେ ସ୍ନାତକୋତ୍ତର ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା କରାଯିବା ଘଟଣାର ସିବିଆଇ ତଦନ୍ତ ନିର୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ। ମଙ୍ଗଳବାର ହାଇକୋର୍ଟ ଘଟଣା ତଦନ୍ତ ଭାର ତୁରନ୍ତ ସିବିଆଇକୁ ହସ୍ତାନ୍ତର କରିବା ଲାଗି ରାଜ୍ୟ ପୁଲିସକୁ ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ହାଇକୋର୍ଟ ଆନ୍ଦୋଳନକାରୀ ଡାକ୍ତରଙ୍କୁ ଆନ୍ଦୋଳନରୁ ଓହରି ରୋଗୀଙ୍କ ସେବା କରିବା ଲାଗି ନିବେଦନ କରିଛନ୍ତି। ଆଜିର ଶୁଣାଣି ସମୟରେ ହାଇକୋର୍ଟ ଉକ୍ତ ଘଟଣାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ମେଡିକାଲ କଲେଜ କର୍ତ୍ତୃପକ୍ଷ ଯେଭଳି ଢଙ୍ଗରେ ଘଟଣାକୁ ପରିଚାଳନା କରିଛନ୍ତି ତାକୁ ନେଇ ମଧ୍ୟ ହାଇକୋର୍ଟ କ୍ଷୁବ୍ଧ ହୋଇଥିଲେ। କାରଣ ଉକ୍ତ ଘଟଣାକୁ ନେଇ ମେଡିକାଲ କଲେଜ ପକ୍ଷରୁ କୌଣସି ମାମଲା ଦାୟର ହୋଇନାହିଁ। ପୀଡିତା ଛାତ୍ରୀଙ୍କ ପରିବାର ଲୋକ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହା ସହିତ ଅନେକ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଘଟଣାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା। ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନେତୃତ୍ବ ପୀଠ ମେଡିକାଲ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟକଳାପ ଉପରେ କ୍ଷୁବ୍ଧ ହୋଇଛନ୍ତି। କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସନ୍ଦୀପ ଘୋଷ ସୋମବାର ନିଜ ପଦରୁ ଇସ୍ତଫା ଦେଇଥିବାବେଳେ ରାଜ୍ୟ ସରକାର ମଙ୍ଗଳବାର ତାଙ୍କୁ ଅନ୍ୟ ଏକ ମେଡିକାଲ କଲେଜର ଅଧ୍ୟକ୍ଷ ପଦରେ ଅବସ୍ଥାନ କରାଇଛନ୍ତି। ଏହାକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହେବା ସହିତ ଅଧ୍ୟକ୍ଷ ଘୋଷଙ୍କୁ ଛୁଟିରେ ଯିବାକୁ କହିଛନ୍ତି। ଅନ୍ୟଥା ତାଙ୍କୁ ପଦରୁ ବହିଷ୍କାର କରାଯିବ। ଆଉ ମଧ୍ୟ ଅଧ୍ୟକ୍ଷ ଏକ ପ୍ରଶାସନିକ ପଦରେ ରହିଥିବାରୁ ତାଙ୍କୁ ଏହି ଘଟଣାରେ ପ୍ରଥମେ ଜେରା କରାଯିବା ଆବଶ୍ୟକ। ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାର ସିବିଆଇ ତଦନ୍ତ ଲାଗି ସପ୍ତାହେ ସମୟ ଲୋଡିଥିଲେ। ମମତା କହିଥିଲେ ଯେ ରାଜ୍ୟ ପୁଲିସ ସପ୍ତାହକ ମଧ୍ୟରେ ଘଟଣାର ତଦନ୍ତ ଶେଷ କରିବ। ପୁଲିସ ଯଦି ଏଥିରେ ବିଫଳ ହୁଏ ତେବେ ଘଟଣାର ସିବିଆଇ ତଦନ୍ତ ନିର୍ଦେଶ ଦିଆଯିବ। ତେବେ ହାଇକୋର୍ଟଙ୍କ ନିର୍ଦେଶ ପରେ ସିବିଆଇ ଏହି ବଳାତ୍କାର ଓ ହତ୍ୟା ଘଟଣାର ତଦନ୍ତ ଭାର ନେଇଛି। ଅଦାଲତଙ୍କ ନିର୍ଦେଶ ଆଧାରରେ ସିବିଆଇ ଆବଶ୍ୟକ ପ୍ରକ୍ରିୟା ଗ୍ରହଣ ପୂର୍ବକ ତଦନ୍ତ ଭାର ନେଇଛି। ବୁଧବାର ସକାଳେ ଦିଲ୍ଲୀରୁ ସିବିଆଇ ଦଳ ଓ ଫରେନସିକ୍ ବିଶେଷଜ୍ଞ କଲକାତା ଗସ୍ତ ପୂର୍ବକ ଘଟଣାସ୍ଥଳ ଅନୁଧ୍ୟାନ କରିବେ ବୋଲି ଜଣାପଡିଛି।
ଅନ୍ୟପଟେ ଡାକ୍ତରୀ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଦେଶବ୍ୟାପୀ ରେସିଡେଣ୍ଟ (ଆବାସିକ) ଡାକ୍ତରଙ୍କ ପକ୍ଷରୁ ଧର୍ମଘଟ ଜାରି ରହିଛନ୍ତି। ଫେଡେରେସନ ଅଫ୍ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ (ଏଫ୍‌ଓଆରଡିଏ) ଆହ୍ବାନ କ୍ରମେ ପଶ୍ଚିମବଙ୍ଗ, ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ସରକାରୀ ମେଡିକାଲ କଲେଜ ରେସିଡେଣ୍ଟ ଡାକ୍ତରମାନେ ଧର୍ମଘଟ ଚଳାଇଛନ୍ତି। ଏଫ୍‌ଓଆରଡିଏ କହିଛି ଯେ ପୀଡିତା ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଓ ସଂଘର ଦାବି ପୂରଣ ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ। ସୂଚନାଯୋଗ୍ୟ ଆରଜି କର ମେଡିକାଲ କଲେଜର ଜଣେ ପିଜି ଦ୍ବିତୀୟ ବର୍ଷର ଜଣେ ଛାତ୍ରୀ ତଥା ରେସିଡେଣ୍ଟ ଡାକ୍ତରକୁ କଲେଜ ପରିସର ସମ୍ମିଳନୀ କକ୍ଷ (ସେମିନାର ହଲ୍‌)ରେ ଗୁରୁବାର ବିଳମ୍ବିତ ରାତିରେ ବଳାତ୍କାର ଓ ହତ୍ୟା କରାଯାଇଥିଲା। ଶୁକ୍ରବାର ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ ହତ୍ୟାକାରୀ ସଞ୍ଜୟ ରାୟକୁ ଗିରଫ କରିଛି। ସଞ୍ଜୟ ମେଡିକାଲ ପରିସର ପୁଲିସ ଫାଣ୍ଡିରେ ଜଣେ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରେ। ପୁଲିସର ଜେରା ସମୟରେ ସଞ୍ଜୟ ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା କରିବାକୁ ସ୍ବୀକାର କରିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories