www.samajalive.in
Sunday, December 7, 2025
14.1 C
Bhubaneswar

ରଥଯାତ୍ରା ନୀତି ନିର୍ଘଣ୍ଟ ପ୍ରସ୍ତୁତ: ଅପରାହ୍ଣ ୧ଟାରେ ପହଣ୍ଡି, ୫ଟାରେ ରଥଟଣା

ପୁରୀ : ଜୁଲାଇ ସାତ ତାରିଖରେ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା। ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ପାଳନ କରାଯିବ। ତେଣୁ ଚଳିତ ବର୍ଷ ଦାରୁବ୍ରହ୍ମଙ୍କ ଗୁଣ୍ଡିଚା ପହଣ୍ଡି ଏବଂ ରଥଟଣା ବିଳମ୍ବ ହେବା ସମ୍ଭାବନା ରହିଛି। ପଟ୍ଟି ଦିଅଁଙ୍କଠାରୁ ଆଜ୍ଞାମାଳ ନେଇ ପୂର୍ବଦିନ ତିନିରଥ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖକୁ ନିଆଯିବ। ଛତିଶା ନିଯୋଗ ବୈଠକରେ ସୋମବାର ଏହି ନିଷ୍ପତ୍ତି ନିଆଯାଇଛି। ସେଥିରେ ଶ୍ରୀଗୁଣ୍ଡିଚା ଏବଂ ବାହୁଡ଼ା ଯାତ୍ରା ସମେତ ସୁନାବେଶ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସେଥିରେ ଅଧ୍ୟକ୍ଷତା କରିଥିଲେ। ଗୁଣ୍ଡିଚା ଦିନ ସକାଳେ ତିନିରଥ ସିଂହଦ୍ବାର ସମ୍ମୁଖକୁ ନେଇ ରଥଯାତ୍ରା କରିବା ସମ୍ଭବପର ହେବନାହିଁ। ତେଣୁ ୧୯୭୧ରେ ପାଳିତ ରଥଯାତ୍ରା ନୀତି ଅନୁଯାୟୀ ଚଳିତ ବର୍ଷ ରଥ ଦକ୍ଷିଣମୋଡ଼ ପୂର୍ବଦିନ କରାଯିବାକୁ ସ୍ଥିର କରାଯାଇଛି। ପ୍ରତ୍ୟେକ ବର୍ଷ ଶ୍ରୀଗୁଣ୍ଡିଚା ପୂର୍ବଦିନ ନେତ୍ରୋତ୍ସବରେ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ରଥଖଳାକୁ ବିଜେ କରିଥାଏ। ଏହାପରେ ତିନିରଥ ଦକ୍ଷିଣମୋଡ଼ କରି ସିଂହଦ୍ୱାର ସମ୍ମୁଖକୁ ନିଆଯାଏ। ଶ୍ରୀଗୁଣ୍ଡିଚା ସକାଳେ ଦେଉଳ ପୁରୋହିତ ତିନିରଥ ପ୍ରତିଷ୍ଠା କରନ୍ତି। ଚତୁର୍ଦ୍ଧା ବିଗ୍ରହଙ୍କୁ ପହଣ୍ଡି କରି ରଥ ଉପରେ ବିଜେ କରାଯାଏ। କିନ୍ତୁ ଚଳିତ ବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ତାକୁ ଦୃଷ୍ଟିରେ ରଖି ଛତିଶା ନିଯୋଗ ବୈଠକରେ ମହାପ୍ରଭୁଙ୍କ ରଥଯାତ୍ରା ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଆଗାମୀ ୭ ତାରିଖ ପ୍ରତ୍ୟୁଷରୁ ଶ୍ରୀଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ନୀତି ପାଳନ କରାଯିବ। ନବଯୌବନ ଦର୍ଶନ ପାଇଁ କୌଣସି ଭକ୍ତଙ୍କୁ ଅନୁମତି ଦିଆଯିବ ନାହିଁ। ଦିନ ୧୧ଟା ବେଳେ ରଥ ପ୍ରତିଷ୍ଠା କରାଯିବ। ଦିନ ୧ ଟା ୧୦ରେ ଆରମ୍ଭ ହେବ ପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ପହଣ୍ଡି। ଧାଡ଼ି ପହଣ୍ଡିରେ ଶ୍ରୀଜୀଉଙ୍କୁ ପହଣ୍ଡି କରି ରଥ ଉପରେ ବିଜେ କରାଯିବ। ଦିନ ୨ଟା ୩୦ ସୁଦ୍ଧା ଠାକୁରଙ୍କ ପହଣ୍ଡି ଶେଷ କରାଯିବ। ଏହାପରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଅପରାହ୍ଣ ୪ଟା ବେଳେ ତିନି ରଥ ଉପରେ ଛେରାପହଁରା କରିବେ। ରଥରୁ ଚାରମାଳ ଫିଟାଯାଇ ଘୋଡ଼ା ଲଗାଯିବ। ଅପରାହ୍ଣ ୫ରେ ରଥଟଣା ଆରମ୍ଭ ହେବ। ପ୍ରଥମେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ଏହାପରେ ଦେବୀ ସୁଭଦ୍ରା ଏବଂ ଶେଷରେ କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯିବ। ୧୯୭୧ରେ ଠାକୁରଙ୍କ ପହଣ୍ଡି ବିଳମ୍ବ ହେବାରୁ ବିଧିରକ୍ଷା ପାଇଁ ଗୁଣ୍ଡିଚାରେ କେବଳ ତାଳଧ୍ବଜ ରଥ ଟଣାଯାଇଥିଲା। ମଙ୍ଗଳବାର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ଗଜପତି ମହାରାଜା ସେଥିରେ ଅଧ୍ୟକ୍ଷତା କରିବେ। ଛତିଶା ନିଯୋଗ ବୈଠକରେ ପ୍ରସ୍ତୁତ ହୋଇଥିବା ରଥଯାତ୍ରା ନୀତି ନିର୍ଘଣ୍ଟ ସେଥିରେ ଅନୁମୋଦନ କରାଯିବ। ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବ ଏ ବିଷୟରେ ସୂଚନା ଦେଇଛନ୍ତି। ରଥଯାତ୍ରା ନୀତିକାନ୍ତି ଶୃଙ୍ଖଳିତ ଏବଂ ନିର୍ଦ୍ଧାରିତ ସମୟରେ କରିବା ପାଇଁ ସେବକଙ୍କ ସହ ଆଲୋଚନା କରାଯାଇଥିବା ସେ କହିଛନ୍ତି। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ରଙ୍କ ସମେତ ପରିଚାଳନା କମିଟି ସଭ୍ୟ ଏବଂ ବିଭିନ୍ନ ସେବକ ନିଯୋଗ କର୍ମକର୍ତ୍ତା ବୈଠକରେ ଯୋଗ ଦେଇଥିଲେ।

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories