ବଣୁଆ ହାତୀ ଉପଦ୍ରବ: ଭାଙ୍ଗିଲା ଆମ୍ବ ଏବଂ ନଡ଼ିଆ ଗଛ, ଖଳା ଏବଂ ଚାଷ ଜମିରୁ ଉଜାଡିଲା ଧାନ ଫସଲ
କଲମପୁର : ଗତ ଏକମାସ ଧରି ଗଜରାଜ କଲମପୁର ଅଞ୍ଚଳରେ ତାର ଉପଦ୍ରବ ଜାରି ରଖିଛି। ପ୍ରତି ସପ୍ତାହରେ ଗାଁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜନ ସାଧାରଣ ଆତଙ୍କିତ ହେଇ ପଡିଛନ୍ତି। ପ୍ରଥମ ୧୫ ଦିନ କେବଳ ଘୋଡାବନ୍ଧା ଗାଁରେ ହାତୀ ସୀମିତ ରହିଥୂଲା। କିଛି ଚାଷୀଙ୍କ ପନିପରିବା, କଦଳୀ ଏବଂ ଧାନ ଚାଷ ନଷ୍ଟ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଘର୍ଲା, କଦନୀଚୁଆଁ, ଗଞ୍ଜେଇଗୁଡା, କସାବାହୀ, ଏବଂ ଦେପୁର ପର୍ଯ୍ୟନ୍ତ ଼ହାତୀ ତାର ପ୍ରଭାବ ଦେଖାଇଥିଲା। ହାତୀ ଭୟରେ ଦେପୁର ମନ୍ଦିରପଡାର ୧୫ ପରିବାର, ଘର୍ଲା କେନାଲପଡାର ୮ ପରିବାର ସଂଧ୍ୟା ହେବାମାତ୍ରେ ନିଜ ନିଜ ଘରେ ତାଟି କବାଟ ଦେଇ ଦୟନୀୟ ଅବସ୍ଥାରେ ନିଜ ପିଲାଛୁଆଙ୍କୁ ଧରି ରାଜ ରାସ୍ତାରେ ଆଶ୍ରୟ ନେଉଛନ୍ତି ।
ଘୋଡାବନ୍ଧା ଗ୍ରାମର କିଛି ପରିବାର ନିକଟସ୍ଥ ଅଙ୍ଗନୱାଡ଼ି କେନ୍ଦ୍ର କୋଠାରେ ଆଶ୍ରୟ ନେଉଛନ୍ତି। ଏବେ ପୁଣି ହାତୀ ଏହି ଅଞ୍ଚଳ ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ବୋଦେଲବନ୍ଧ ଏବଂ ତୋତ୍ରାଗୁଡା ଗାଁ ରେ ପହଞ୍ଚି ସାରିଛି। ଶନିବାର ରାତି ତମାମ ବୋଦେଲବନ୍ଧ ଏବଂ ତୋତ୍ରାଗୁଡା ଠାରେ ବଣୁଆ ହାତୀ ଦ୍ବାରା ବୋଦେଲବନ୍ଧ ନାଳ କୂଳରେ ଥିବା ଜନୈକ ଚାଷୀଙ୍କ ଆମ୍ବ ବଗିଚାରେ ପଶି ଆମ୍ ଏବଂ ନଡ଼ିଆ ଗଛ ଭାଙ୍ଗି ଦେଇଥିଲା। ରବି ଧାନ ଅମଳ କରି ଖଳାରେ ରଖା ଯାଇଥିବା ଧାନକୁ ଖାଇବା ସହ ମାଡି ମକଚି ନଷ୍ଟ କରିଦେଇଥିଲା। ଖଳାରେ ଧାନ ଜଗିଥିବା ଲୋକେ ହାତୀ ଭୟରେ ସ୍ଥାନ ଛାଡି ନିଜ ନିଜର ସୁରକ୍ଷା ପାଇଁ ଦୌଡ଼ି ପଳେଇ ଥିଲେ। କିନ୍ତୁ ହାତୀ ତାର ତାଣ୍ଡବ ଜାରି ରଖିଥିଲା। ଲୋକେ ହୋ ହାଲ୍ଲା କରି ହାତୀକୁ ବିରକ୍ତ କରୁଥିବାରୁ କୌଣସି ଅଘଟଣକୁ ଏଡାଇ ଦିଆଯାଇନପାରେ।
ବନ ବିଭାଗ ମଧ୍ୟ ହାତୀର ଗତିବିଧି ନେଇ ନଜର ରଖିଛି। କିନ୍ତୁ ହାତୀ ଘଉଡ଼ାଇବାର ସାଧନ ନଥିବାରୁ କୌଣସି ପଦେକ୍ଷପ ନିଆଯାଇ ନାହିଁ। କଳାହାଣ୍ଡି ଜିଲ୍ଲାର ହାତୀ ସୁରକ୍ଷା ପାଇଁ ନିୟୋଜିତ ପ୍ରମୁଖ ଅଧିକାରୀ ତଥା କର୍ଲାପାଟ ବନାଞ୍ଚଳ ଅଧିକାରୀ କଲମପୁର ଅଞ୍ଚଳକୁ ଆସି ହାତୀ ସମ୍ବନ୍ଧରେ ଲୋକଙ୍କୁ ସଚେତନତା କରାଇଥିଲେ। କିନ୍ତୁ ହାତୀ ଘଉଡ଼ାଇବାର କୌଣସି ବ୍ୟବସ୍ଥା କରି ନାହାଁନ୍ତି। ଅନ୍ଧାର ରାତିରେ ଅସହାୟ ଅବସ୍ଥାରେ ରାଜ ରାସ୍ତାରେ ଲୋକେ ରାତ୍ରି ଯାପନ କରୁଛନ୍ତି। ସେମାନଙ୍କ କୌଣସି କ୍ଷୟକ୍ଷତି ହେଲେ ଦାୟୀ ରହିବ କିଏ ? ଏମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାପାଇଁ ଦାବି ହେଉଛି।
Comments are closed.