ବଢୁଛି ଦୁର୍ଦଶା, ପୁରୀରେ ଖରାରେ ସିଝୁଛନ୍ତି ଭକ୍ତ
ସମାଜ: ଡହଡହ ଖରାରେ ବଡ଼ଦାଣ୍ଡରେ ସିଝୁଛନ୍ତି ଭକ୍ତ। ଅସ୍ଥାୟୀ ବିଶ୍ରାମ ସ୍ଥଳ ଏବଂ ପିଇବା ପାଣି ପାଇଁ ବ୍ୟାକୁଳ ଯାତ୍ରୀ। ଖରା ଯେତିକି ବଢୁଛି ଭକ୍ତଙ୍କ ଦୁର୍ଦଶା ସେତିକି ବଢ଼ି ବଢ଼ି ଚାଲିଛି। ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହେଉଛି ପ୍ରଶାସନ। ଠାକୁରଙ୍କ ଦର୍ଶନ ବନ୍ଦ ରହୁଥିବା ସମୟରେ ଭକ୍ତମାନେ ବଡ଼ଦାଣ୍ଡ ବ୍ୟାରିକେଡ଼ ଭିତରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ସିଂହଦ୍ବାରଠାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗୁଛି। ପଶ୍ଚିମ ଦ୍ବାର ସମ୍ମୁଖରେ ମଧ୍ୟ ଭକ୍ତମାନେ ଖୋଲା ଆକାଶ ତଳେ ଅପେକ୍ଷା କରୁଛନ୍ତି। ଶନିବାର ଓ ରବିବାର ସମେତ ସରକାରୀ ଛୁଟି ଦିନଗୁଡ଼ିକରେ ଭକ୍ତଙ୍କ ସଂଖ୍ୟା ଦୁଇ ତିନି ଗୁଣ ଅଧିକ ହେଉଛି। ସିଂହଦ୍ବାର, ଉତ୍ତରଦ୍ବାର, ଦକ୍ଷିଣଦ୍ୱାର ଏବଂ ପଶ୍ଚିମଦ୍ବାର ସମ୍ମୁଖରେ ଏପର୍ଯ୍ୟନ୍ତ ପାନୀୟ ଜଳ କିମ୍ବା ଅସ୍ଥାୟୀ ବିଶ୍ରାମ ସ୍ଥଳ ବ୍ୟବସ୍ଥା କରାଯାଇ ନାହିଁ। ପିଇବା ପାଣି ପାଇଁ ଭକ୍ତମାନେ ଡହଳ ବିକଳ ହେଉଛନ୍ତି। ପ୍ରବଳ ଖରା ଯୋଗୁଁ ପିଚୁ ରାସ୍ତା ସକାଳ ଆଠଟାରୁ ତାତି ଯାଉଛି। ଭକ୍ତମାନେ ମରିଚିକୋଟ ଛକରୁ ପ୍ରାୟ ଦୁଇ ଶହ ମିଟର ସିଂହଦ୍ବାର ପର୍ଯ୍ୟନ୍ତ ଖାଲି ପାଦରେ ଚାଲି ଚାଲି ଯାଉଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ସିଂହଦ୍ବାର ନିକଟରେ ଜୋତା ଷ୍ଟାଣ୍ଡ ଏବଂ ମୋବାଇଲ ଫୋନ୍ ଷ୍ଟାଣ୍ଡ ଖୋଲା ଯାଉନାହିଁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ଭକ୍ତମାନେ ବଡ଼ଦାଣ୍ଡରେ ପ୍ରବଳ ଖରାରେ କଲବଲ ହେଉଥିବାବେଳେ ଦାୟିତ୍ବରେ ଥିବା ପ୍ରଶାସନିକ ଅଧିକାରୀମାନେ ଶୀତତାପ ନିୟନ୍ତ୍ରିତ କୋଠରି ଭିତରୁ ବାହାରୁ ନାହାନ୍ତି। କେବଳ ବଡ଼ଦାଣ୍ଡ ନୁହେଁ, ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରି ମନ୍ଦିର ଭିତରେ ପ୍ରବେଶ କରିବା ପରେ ମହାପ୍ରଭୁଙ୍କ ଦର୍ଶନ ମିଳିବା କଷ୍ଟକର ହୋଇ ପଡ଼ୁଛି। ଭିତରେ ଧାଡ଼ି ବ୍ୟବସ୍ଥା ନଥିବାରୁ ନାଟମଣ୍ଡପ ଏବଂ ଜଗମୋହନରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ସବୁଦିନ ଦଳାଚକଟା ପରିସ୍ଥିତି ସୃଷ୍ଟି ହେଉଛି। ଅଧିକାଂଶ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଭଲ ଭାବେ ଦର୍ଶନ କରି ନପାରି ମନ ଦୁଃଖରେ ଫେରୁଛନ୍ତି। ଭକ୍ତଙ୍କୁ ଶୃଙ୍ଖଳିତ ଏବଂ ଅବାଧ ଦର୍ଶନ ଯୋଗାଇବାରେ ବିଫଳ ହୋଇଛି ପ୍ରଶାସନ। ଶ୍ରୀମନ୍ଦିର ପ୍ରଶାସନରେ ମାଳ ମାଳ ଅଧିକାରୀ ନିୟୋଜିତ ହୋଇଥିଲେ ମଧ୍ୟ ଭକ୍ତଙ୍କ ସମସ୍ୟା କିମ୍ବା ଦର୍ଶନ ବ୍ୟବସ୍ଥା ଅନୁଧ୍ୟାନ କରୁନାହାନ୍ତି। ସେବକ, ଯାତ୍ରୀପଣ୍ଡା ଏବଂ ଯାତ୍ରୀ ଗୁମାସ୍ତାଙ୍କ ସହ ଯାଉଥିବା ପୁରୀ ବାହାର ଲୋକଙ୍କୁ ପୁଲିସ ପଶ୍ଚିମ ଦ୍ବାର ଦେଇ ମନ୍ଦିର ଭିତରକୁ ଛାଡ଼ୁଥିବାରୁ ସେଠାରେ ଭିଡ଼ ବୃଦ୍ଧି ପାଇବା ସହ ଧସ୍ତାଧସ୍ତି ହେଉଛି। ଏହାର ସୁଯୋଗ ନେଇ କିଛି ସେବକ ବେଆଇନ ଭାବେ ଭକ୍ତଙ୍କଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି। ପୁଲିସ ହଠାତ୍ ନିଷ୍ପତ୍ତି ପରିବର୍ତ୍ତନ କରିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ନିଷ୍ପତ୍ତି କେବଳ ନିଷ୍ପତ୍ତିରେ ସୀମିତ ହୋଇ ରହିଯାଇଛି। ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପାଇଁ ରାଜ୍ୟ ସରକାର ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଦର୍ଶନାର୍ଥୀ ଭକ୍ତଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ମିଳୁ ନାହିଁ। ଶ୍ରୀଜୀଉଙ୍କ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବା ପାଇଁ ଖୁବ୍ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ବାରମ୍ବାର ଗଣମାଧ୍ୟମକୁ କହୁଛନ୍ତି। କିନ୍ତୁ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଉ ନାହିଁ। ପ୍ରଶାସନର ଚରମ ଅବହେଳା ଯୋଗୁଁ ଭକ୍ତମାନେ ପୁରୀରୁ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ବିଶୃଙ୍ଖଳା ବୃଦ୍ଧି ପାଇବାରେ ଲାଗିଛି। ଭିତର କାଠ ଏବଂ ବାହାର କାଠ ପାଖରେ ନିୟମିତ ଧସ୍ତାଧସ୍ତି ହେଉଥିବାରୁ ବଡ଼ ଧରଣର ଅଘଟଣ ଘଟିବା ସମ୍ଭାବନା ରହିଛି। ତେଣୁ ଖରା ବୃଦ୍ଧି ପାଉଥିବାରୁ ଭକ୍ତଙ୍କ ପାଇଁ ବଡ଼ଦାଣ୍ଡ ସମେତ ଶ୍ରୀମନ୍ଦିର ଭିତରେ ପାନୀୟ ଜଳ ବ୍ୟବସ୍ଥା କରାଯିବା ସହ ଅସ୍ଥାୟୀ ବିଶ୍ରାମ ସ୍ଥଳ ନିର୍ମାଣ କରାଯିବାକୁ ଦାବି ହେଉଛି।
ସେହିପରି ମରିଚିକୋଟ ଛକରେ ଥିବା ଜୋତା ଷ୍ଟାଣ୍ଡ ଯଥାଶୀଘ୍ର ସିଂହଦ୍ବାର ସମ୍ମୁଖକୁ ସ୍ଥାନାନ୍ତର କରାଯିବାକୁ ସାଧାରଣରେ ମତ ପ୍ରକାଶ ପାଇଛି। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ଶନିବାର ଆରକ୍ଷୀ ଅଧୀକ୍ଷକ ଏବଂ ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରାଯାଇଛି। ଖୁବ୍ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
Comments are closed.