ବିଜେପିକୁ ମମତାଙ୍କ ଚ୍ୟାଲେଞ୍ଜ, ୨୦୦ ଆସନରେ ଜିତି ଦେଖାଅ

ସମାଜ: ଏପ୍ରିଲ ୧୯ରୁ ଲୋକସଭାର ୫୪୩ ଆସନ ପାଇଁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ତୃତୀୟ ଥର କ୍ଷମତା ଅକ୍ତିଆର କରିବାକୁ ଲକ୍ଷ୍ୟ ରଖିଥିବା ବିଜେପି ଚଳିତ ନିର୍ବାଚନରେ ୪୦୦ରୁ ଅଧିକ ଆସନ ହାତେଇବ ବୋଲି ଜୋରସୋର ପ୍ରଚାର ଚଳାଇଛି। ବିଜେପିର ଏଭଳି ଦାବିକୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୀବ୍ର ସମାଲୋଚନା କରିଛନ୍ତି। ରବିବାର କ୍ରିଷ୍ଣନଗରରେ ଏକ ସଭାକୁ ସମ୍ବୋଧିତ କରିବା ଅବସରରେ ମମତା ବିଜେପିକୁ ଚ୍ୟାଲେଞ୍ଜ କରିଛନ୍ତି। ୪୦୦ କ’ଣ, ପ୍ରଥମେ ୨୦୦ ଆସନରେ ବିଜୟୀ ହୋଇ ଦେଖାଅ ବୋଲି ମମତା ବିଜେପିକୁ ଅାହ୍ବାନ ଦେଇଛନ୍ତି। ଏହି ମର୍ମରେ ସେ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଉଦାହରଣ ​‌ଦେଇଛନ୍ତି।

ଭୁବନେଶ୍ବର ଲୋକସଭା ପ୍ରାର୍ଥୀଙ୍କ ନାଁରେ ଦୁଇ ଜାମିନବିହୀନ ମାମଲା

ଉକ୍ତ ନିର୍ବାଚନରେ ବିଜେପି ୨୦୦ ଆସନରେ ବିଜୟୀ ହେବ ବୋଲି ବାହାସ୍ଫୋଟ ମାରୁଥିଲା। ତେବେ ବିଜେପି କେବଳ ୭୭ ଆସନରେ ବିଜୟୀ ହୋଇଥିଲା। ଏପରିକି ବିଜେପିର ୭୭ ବିଧାୟକଙ୍କ ମଧ୍ୟରୁ କେତେକ ଇତିମଧ୍ୟରେ ଟିଏମ୍‌ସିରେ ଯୋଗଦେଇଥିବା ମମତା କହିଛନ୍ତି। ମମତା ବିଜେପିକୁ ମିଥ୍ୟାବାଦୀ ଦଳ ବୋଲି ଆକ୍ଷେପ କରିଛନ୍ତି। ସିଏଏ (ନାଗରିକତ୍ବ ସଂଶୋଧନ ଆଇନ)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଯେଉଁ ଗ୍ୟାରେଣ୍ଟି ସ୍ବପ୍ନ ଦେଖାଉଛନ୍ତି, ତାହା କେବଳ ଏକ ମରୀଚିକା ବୋଲି ମମତା କହିଛନ୍ତି। ପଶ୍ଚିମବଙ୍ଗରେ ବାସ କରୁଥିବା ମାଟୁଆ ସଂପ୍ରଦାୟର ଲୋକଙ୍କୁ ସିଏଏ ପାଇଁ ଆବେଦନ ନ କରିବାକୁ ମମତା ପରାମର୍ଶ ଦେଇଛନ୍ତି। ପୂର୍ବ ପାକିସ୍ତାନ (ବର୍ତ୍ତମାନ ବାଂଲାଦେଶ)ର ମୂଳ ଅଧିବାସୀ ଏହି ମାଟୁଆ ସଂପ୍ରଦାୟର ଲୋକେ ୧୯୭୧ ଯୁଦ୍ଧ ପରେ ବହୁ ସଂଖ୍ୟାରେ ଭାରତ ପଳାଇଆସି ପଶ୍ଚିମବଙ୍ଗରେ ବାସ କରିବା ସହ ରାଜନୈତିକ ଦଳ ପାଇଁ ଭୋଟ ବ୍ୟାଙ୍କ ପାଲଟିଛନ୍ତି।

Comments are closed.