ଓଡ଼ିଶାରେ ଏକୁଟିଆ ଲଢ଼ିବାକୁ ବିଜେପିର ମତ, କେନ୍ଦ୍ରୀୟ ନେତୃତ୍ବ ନିଷ୍ପତ୍ତିକୁ ଅପେକ୍ଷା-ଜୁଏଲ ଓରାମ

ଦିଲ୍ଲୀରେ ବିଜେପିର କୋର କମିଟି ବୈଠକ, ବିଜେଡି ସହ ମେଣ୍ଟ ନେଇ ଆଲୋଚନା

ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର କୋର କମିଟି ବୈଠକ ଆରମ୍ଭ ହୋଇଛି। ଓଡ଼ିଶା ସମ୍ପର୍କରେ ଏବଂ ବିଜେଡି ସହ ମେଣ୍ଟ ନେଇ ବୈଠକରେ ଆଲୋଚନା କରାଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବିତ ପାତ୍ରଙ୍କ ସହ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ଉପସ୍ଥିତ ଥିବା ସୂଚନା ମିଳିଛି।

ବୈଠକ ଶେଷ ହେବାପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ ବିଜେପି-ବିଜେଡି ମେଣ୍ଟ ନେଇ ଆଲୋଚନା ହୋଇଛି, କିନ୍ତୁ ଏ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଓଡ଼ିଶାରେ ବିଜେପି ଏକୁଟିଆ ଲଢ଼ିବାକୁ ମତ ଦେଇଛୁ, ତେବେ କେନ୍ଦ୍ରୀୟ କୋର କମିଟି ତଥା କେନ୍ଦ୍ରୀୟ ନେତୃତ୍ବ ଯାହା ନିଷ୍ପତ୍ତି ନେବ ବୋଲି ଶ୍ରୀ ଓରାମ କହିଛନ୍ତି। ବିଜେଡି-ବିଜେପି ମେଣ୍ଟ କେବଳ ଚର୍ଚ୍ଚା ହେଉଛି, କିନ୍ତୁ ଏ ସଂକ୍ରାନ୍ତରେ କେନ୍ଦ୍ରୀୟ ନେତୃତ୍ବ କୌଣସି ସୂଚନା ଦେଇନାହାନ୍ତି।

ତେବେ ଓଡ଼ିଶାର ୧୪୭ ବିଧାନସଭା ଏବଂ ୨୧ ଲୋକସଭା ଆସନ ପାଇଁ ଆଲୋଚନା ହୋଇଛି। ଓଡ଼ିଶାରେ କିଏ କେଉଁ ଆସନ ପାଇଁ ପ୍ରାର୍ଥୀ ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ଏବଂ ଏ ସଂକ୍ରାନ୍ତରେ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.