ସଡ଼କ ସୁରକ୍ଷା ସଚେତନତା ସଭା ଓ ଶୋଭାଯାତ୍ରା
ପାତ୍ରପୁର: ଗଞ୍ଜାମ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ପାତ୍ରପୁର ସ୍ଥିତ ମା’ ବାଳକୁମାରୀ ଟ୍ରେକର ମାଲିକ ସଂଘର ମିଳିତ ସହାୟତାରେ ପାତ୍ରପୁର ବ୍ଲକରେ ସଡକ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ପାଳନ ଅବସରରେ ଏକ ଜନସଚେତନତା ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ପାତ୍ରପୁର କୋର୍ଟର ବିଚାରପତି କ୍ରିଷ୍ଣା ମିଶ୍ର ଯୋଗଦେଇ ସଡକ ସୁରକ୍ଷା ଦିଗରେ ସମସ୍ତେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ। ସାମନ୍ତିଆପଲ୍ଲୀସ୍ଥିତ ମହନ୍ତ ଶ୍ରୀ ପରାଙ୍କୁଶ ବିଦ୍ୟାପୀଠରୁ ଛାତ୍ରଛାତ୍ରୀଙ୍କ ଏକ ଶୋଭାଯାତ୍ରା ବାହାରି ପ୍ରଥମେ ସାମନ୍ତିଆପଲ୍ଲୀ ଏବଂ ପରେ ପାତ୍ରପୁର ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଡକ ସୁରକ୍ଷା ନେଇ ସ୍ଲୋଗାନ ମାଧ୍ୟମରେ ସଚେତନ କରିଥିଲେ। ଶୋଭାଯାତ୍ରା ପରେ ପରାଙ୍କୁଶ ବିଦ୍ୟାପୀଠ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରବୀନ୍ଦ୍ର ନାଥ ଜେନା ଉପସ୍ଥିତ ରହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବୁଝାଇ କହିବା ସହିତ ଗଂଜାମ ଜିଲ୍ଲାରେ ସଡକ ଦୁର୍ଘଟଣାର ସ୍ଥିତି ବିଷୟରେ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଚିକିଟୀ ଏସଡିପିଓ ସୁଜିତ ନାୟକ, ଜରଡ଼ା ଥାନା ଆଇଆଇସି ଟୁନା ସାସମଲ, ଶ୍ରୀ ଭରତପତି ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ମାନସ ରଞ୍ଜନ ଆଚାର୍ଯ୍ୟ, ମା’ ବାଳକୁମାରୀ ଟ୍ରେକର ମାଲିକ ସଂଘର ସଭାପତି ଚିନ୍ତାମଣି ସାହୁ ଶିକ୍ଷକ ଏ.ମୋହନ ପ୍ରମୁଖ ଉପସ୍ଥିତ ରହି ଜନ ସଚେତନତାରେ ହିଁ ସଡକ ସୁରକ୍ଷା କାର୍ଯ୍ୟକ୍ରମ ସଫଳ ହୋଇପାରିବ ବୋଲି କହିଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ରାଜ ଗୋପାଳ ପାଢ଼ୀ ସଂଯୋଜନା ଓ ପରିଚାଳନା କରିଥିଲେ। ଏହି ଅବସରରେ ନିର୍ଦ୍ଦେଶକ ଦେବେନ୍ଦ୍ର ଶର୍ମାଙ୍କ ନାଟକ ‘ସଡ଼କ କାନ୍ଦୁଛି’ ପରିବେଷଣ ହୋଇ ସଚେତନତା ସୃଷ୍ଟି କରିଥିଲା। ଉପାନ୍ତ ସାହିତ୍ୟ ସଂସଦ ତରଫରୁ ସମ୍ପାଦକ ମାଧବ ବାଡ଼ତ୍ୟାଙ୍କ ନେତୃତ୍ୱରେ ପାଲା ନାଚ ଓ କବିତା ପାଠ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା ହୋଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା ଚିତ୍ରାଙ୍କନ ପ୍ରତିଯୋଗିତାରେ ଜିଲ୍ଲାରୁ ରାଜ୍ୟସ୍ତରକୁ ଉନ୍ନୀତ ହୋଇଥିବା ପରାଙ୍କୁଶ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଡି.ଶ୍ରୀନୁକୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।
Comments are closed.