କନିଷିରୁ ଅଯୋଧ୍ୟା ଅଭିମୁଖେ ପାଦରେ ଚାଲି ଚାଲି ଯାତ୍ରା

ଗୋପାଳପୁର: ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ଓ ଦେଶରେ ସନାତନ ଧର୍ମର ପ୍ରଚାର ପ୍ରସାର ଲକ୍ଷ୍ୟ ରଖି ଗଞ୍ଜାମ ଜିଲ୍ଲା କନିଷିଠାରୁ ୧୪୦୦ଶହ କିମି ଦୂର ଅଯୋଧ୍ୟା ଅଭିମୁଖେ ପାଦରେ ଚାଲି ବାହାରିଛନ୍ତି ଅଞ୍ଚଳର ଦୁଇ ଜଣ ଯୁବକ। କନିଷିର ସୋନୁ ବିଷୋୟୀ ଓ ଚାନ୍ଦପୁର କୁରେଶ ବେହେରା ଶନିବାର ସକାଳୁ କନିଷିସ୍ଥିତ ରାମ ମନ୍ଦିରରୁ ପୂଜାର୍ଚ୍ଚନା କରି ବେଶ୍‌ ଉତ୍ସାହର ସହ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଉଭୟଙ୍କୁ ସମ୍ବର୍ଦ୍ଧନା କରାଯିବା ସହ ବାଜା ବଜାଇ ବିଦାୟ ଦେଇଥିଲେ। ସୋନୁ ଓ କୁରେଶ ଉଭୟ ଦୁଇ ସାଙ୍ଗ ହୋଇଥିବା ବେଳେ ପ୍ରାଥମିକସ୍ତରରୁ କଲେଜ ପର୍ଯ୍ୟନ୍ତ ସାଙ୍ଗ ହୋଇ ପାଠପଢା ଶେଷ କରିଛନ୍ତି। ଏବେ ଯୁକ୍ତ ତିନି ସରିବା ପରେ ଉଭୟ ବେସରକାରୀ ସ୍ତରରେ ଚାକିରି କରୁଛନ୍ତି। ଗତ କିଛି ମାସ ହେଲା ବିଭିନ୍ନ ଗଣମାଧ୍ୟମରେ ଅଯୋଧ୍ୟାଠାରେ ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ନେଇ ଆଲୋଚନା ହେବା ସହ ଗାଁଠୁ ସହର ସବୁଆଡେ ଏନେଇ ଚର୍ଚ୍ଚା ଜୋର୍ ଧରିଥିଛି। ଏହା ଦେଖି ଉଭୟଙ୍କ ମଧ୍ୟରେ ରାମଲାଲାଙ୍କ ଦର୍ଶନ କରିବା ସହ ଦେଶରେ ସନାତନ ଧର୍ମର ପ୍ରଚାର କରିବା ଲକ୍ଷ୍ୟରେ ଆମେ ଦୁହେଁ ଅଯୋଧ୍ୟା ଚାଲିଚାଲି ଯିବାକୁ ମନସ୍ଥ କରିଥିଲୁ। ଏନେଇ ଉଭୟଙ୍କ ପରିବାର ପକ୍ଷରୁ ସମ୍ମତି ମିଳିବା ପରେ ଶନିବାର ଆମେ ଯାତ୍ରା ଆରମ୍ଭ କରିବା ସହ ଜାନୁଆରୀ ୨୨ ସୁଦ୍ଧା ଅଯୋଧ୍ୟାରେ ପହଞ୍ଚିବା ନେଇ ଲକ୍ଷ୍ୟ ରଖିଥିବା ମତ ରଖିଥିଲେ।

Comments are closed.