ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟରେ ତ୍ରିଭାଷୀୟ ସାହିତ୍ୟ ସଭା
ଲାଞ୍ଜିଗଡ: ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ମନରେ ସ୍ଵତଃ ଏକ ପ୍ରଶ୍ନ ସୃଷ୍ଟି ହୁଏ ଯେତେବେଳେ ସାରା ଦୁନିଆର ଛାତ୍ରଛାତ୍ରୀ ବିଜ୍ଞାନ ଓ ବୈଷୟିକ ଶିକ୍ଷାକୁ ନେଇ ନିଜର ଭାଗ୍ୟ ନିର୍ଦ୍ଧାରଣ କରୁଥିବା ବେଳେ ସାହିତ୍ୟକୁ ନେଇ କ’ଣ ନିଜ ଭବିଷ୍ୟତ ସ୍ୱପ୍ନର ଆକାଶ ନିର୍ମାଣ କରାଯାଇ ପାରିବ ନାହିଁ କି ? ଏହିପରି ଦ୍ୱନ୍ଦ୍ୱ ଭିତରେ ଥିବା ଛାତ୍ରଛାତ୍ରୀମାନଙ୍କ ଅଜସ୍ର, ଅସମାହିତ ପ୍ରଶ୍ନ ଗୁଡିକର ଉତ୍ତର ଦେବାକୁ ଯାଇ ଲାଞ୍ଜିଗଡ଼ସ୍ଥିତ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟରେ ତ୍ରିଭାଷୀୟ ଇଂରାଜୀ , ହିନ୍ଦୀ , ଓଡ଼ିଆ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି।
ସର୍ବପ୍ରଥମେ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତା ଦୀପ ପ୍ରଜ୍ଜ୍ୱଳନ କରି ସାହିତ୍ୟ ସଭାର ଶୁଭାରମ୍ଭ କରିଥିଲେ । ଉକ୍ତ ସାହିତ୍ୟ ସମ୍ମିଳନୀରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଜୟଦେବ ସାହୁ , ଓଡ଼ିଆ ଅଧ୍ୟାପକ ଡୋଳାମଣି ଧରୁଆ ତଥା ଝାରସୁଗୁଡା ମହିଳା ମହାବିଦ୍ୟାଳୟର ହିନ୍ଦୀ ବିଭାଗର ପ୍ରାଧ୍ୟାପିକା ମୀନା ସୋନି ମୁଖ୍ୟ ଆଲୋଚକ ରୂପେ ଯୋଗଦାନ କରିଥିଲେ।ଅଧ୍ୟକ୍ଷ ସଦାନନ୍ଦ ହୋତା ସମସ୍ତ ଅତିଥି ବୃନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ପାଠଚକ୍ରର ଅସଲ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ ଓ ସଚେତନ କରାଇଥିଲେ । ପରେ ଇଂରାଜୀ ଭାଷା ର ଅଧ୍ୟାପକ ଡକ୍ଟର ସାହୁ ମହୋଦୟ ନିଜ ବକ୍ତବ୍ୟରେ “ସାହିତ୍ୟ ହିଁ ଜୀବନ” ବୋଲି ଅଭିହିତ କରିଥିଲେ।
ସଂଶିତ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିବା ଓଡ଼ିଆ ଅଧ୍ୟାପକ ଡକ୍ଟର ଧରୁଆ ମହାଶୟ ନିଜ ଆଲୋଚନା ରେ ସାହିତ୍ୟର ସାମାଜିକ ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରିଥିଲେ ।ସେହିପରି ଏହି ପାଠଚକ୍ରରେ ଯୋଗଦାନ କରିଥିବା ହିନ୍ଦୀ ପ୍ରାଧ୍ୟାପିକା ଡକ୍ଟର ସୋନି ମହୋଦୟା ଭାଷା ସହିତ ସାହିତ୍ୟର ସମ୍ପର୍କ କିପରି ପରସ୍ପର ଘନିଷ୍ଠ ଓ ପରିପୂରକ ତାହା ପ୍ରମାଣିତ କରିଥିଲେ । ଏହି ସାହିତ୍ୟିକ ବାତାବରଣରେ ବିଦ୍ୟାଳୟର ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଆଲୋଚକଙ୍କ ସହିତ ବିଭିନ୍ନ ପ୍ରଶ୍ନୋତ୍ତର ମାଧ୍ୟମରେ ନିଜ ନିଜ ସଂଶୟ ଦୂର କରିଥିଲେ।ଶେଷରେ ସାହିତ୍ୟ ସଭାରେ ସକ୍ରିୟ ଅଂଶଗ୍ରହଣ କରିଥିବା ଅତିଥି , ବକ୍ତା , ଶ୍ରୋତା ସମସ୍ତଙ୍କୁ ଆନୁଷ୍ଠାନିକ ରୂପେ ଧନ୍ୟବାଦ ଅର୍ପଣ କରାଯାଇଥିଲା। ବିଦ୍ୟାଳୟର ଏହି ଅଭିନଵ କାର୍ଯ୍ୟକ୍ରମକୁ ପାରିପାର୍ଶ୍ବିକ ଅଞ୍ଚଳ ଓ ଅଭିଭାବକମାନଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା।
Comments are closed.