ବାଟବଣା କଟକଣା

ବିପ୍ଳବ

ସରକାର ଯେତେବେଳେ ହୃଦ୍‌ବୋଧ କରନ୍ତି ଯେ କୌଣସି କାର୍ଯ୍ୟ ସମୂହ ସ୍ବାର୍ଥ ଦୃଷ୍ଟିରୁ କ୍ଷତିକାରକ ବା କାର୍ଯ୍ୟଟି ନ ହେଲେ ଜୀବ ଜଗତର କଲ୍ୟାଣ ସାଧିତ ହେବ ସେତେ‌େ‌ବଳେ ସେ କଟକଣା ଜାରି କରନ୍ତି। ତା’କୁ କାର୍ଯ୍ୟକାରୀ କରାଇବା ପାଇଁ ନ୍ୟାୟାଳୟ ଅଥବା ପ୍ରଶାସନର ସାହାଯ୍ୟ ନେଇଥାନ୍ତି। ଏଇ ଯେମିତି ଭୟଙ୍କର ମହାମାରୀ କରୋନା ସମୟରେ ସାମାଜିକ ଦୂରତା ବଜାୟ ରଖିବା ଗୋଟିଏ ବହୁ ଚର୍ଚ୍ଚିତ କଟକଣା। ମାତ୍ର ଏବେ ଦେଖାଯାଉଛି କଟକଣାଗୁଡ଼ିକ ଯେଉଁମାନଙ୍କ ଉଦ୍ଦେଶ୍ୟରେ ଜାରି କରାଯାଉଛି ସେମାନେ ତା’କୁ ମାନିବାକୁ ପ୍ରସ୍ତୁତ ନୁହନ୍ତି।

ଦୀପାବଳିରେ ବାଣ ଫୁଟାଇବା ଉପରେ ମାନ୍ୟବର ସୁପ୍ରିମକୋର୍ଟ ତାଗିଦା କରିଥିଲେ ମଧ୍ୟ ତାହା ପାଳନ କରାଯାଇପାରି ନଥିଲା। ଦୀପାବଳି ପରଦିନ କେତେକ ସ୍ଥାନରେ ବାୟୁ ମଣ୍ଡଳ ଭୟଙ୍କର ଭାବରେ ପ୍ରଦୂଷିତ ହେବାର ଅଭିଯୋଗ ହୋଇଥିଲା ଆଉ ଦିଲ୍ଲୀ ସବୁଠୁଁ ପ୍ରଦୂଷିତ ସହର ହେବାର ଦୁର୍ଭାଗ୍ୟ ଲାଭ କରିଥିଲା। ଆମ ରାଜଧାନୀ ଭୁବନେଶ୍ୱର ବି ତୃତୀୟରେ ଥିଲା। ଏମିତି ଅସଂଖ୍ୟ ଉଦାହରଣ ଅଛି ଯାହା ସମୂହ ସ୍ବାର୍ଥ ଦୃଷ୍ଟିରୁ କ୍ଷତିକାରକ ହୋଇଥିଲେ ମଧ୍ୟ ଲୋକେ ଗ୍ରହଣ କରିବାକୁ ନାରାଜ। ବିଭିନ୍ନ ସର୍ବସାଧାରଣ ଟ୍ୟାପ ଖୋଲା ଥାଇ କୋଟି କୋଟି ଗାଲାନ୍ ପାଣି ନଷ୍ଟ ହୁଏ; କିନ୍ତୁ କେତେକ ଅଞ୍ଚଳରେ ଲୋକେ ଆଜି ବି ଶୁଦ୍ଧ ପାଣି ଟୋପେ ପାଇଁ ଡହଳ ବିକଳ ହେବାର ଖବର ଶୁଣିବାକୁ ମିଳେ। ଡିଜେର ଭୟଙ୍କର ଶଦ୍ଦ କେବଳ ଶିଶୁ, ବୟସ୍କ, ରୋଗୀଙ୍କ ପାଇଁ ବିପଦପୂର୍ଣ୍ଣ ନୁହେଁ ସୁସ୍ଥ ଲୋକ ପାଇଁ ମଧ୍ୟ କ୍ଷତି କାରକ। ତଥାପି କଟକଣାକୁ ଫୁ କରି ବାହାଘର, ପର୍ବପର୍ବାଣି, ମେଲୋଡ଼ି, ଯାତ୍ରାରେ ଡିଜେ ବାଜେ। ବିଭିନ୍ନ ପର୍ବପର୍ବାଣିରେ ପୂଜା ପାଉଥିବା ପ୍ରତିମା ବିଭିନ୍ନ ପୋଖରୀ, ନଦୀ ଜଳରେ ବିସର୍ଜିତ ହେବା ଫଳରେ ଜଳ ପ୍ରଦୂଷିତ ହେବାର ଅଭିଯୋଗ ହୁଏ। ଅବଶ୍ୟ ଏବେ ଅସ୍ଥାୟୀ ପୋଖରୀ ଖୋଳି ବିସର୍ଜନ କରିବା ଉପରେ ପ୍ରଶାସନ ଗୁରୁତ୍ବ ଦେଉଛି। ପଲିଥିନ ପରିବେଶ ପାଇଁ ନିରାପଦ ନୁହେଁ। ସରକାର କଟକଣା ଲଗାଇଛନ୍ତି। ମାତ୍ର ପଲିଥିନ ନଥିବା ଦୋକାନ ଗୋଟିଏ ଆମେ ପାଇବାନି। ଅଧିକାଂଶ ଲୋକ ଘରୁ ବ୍ୟାଗ୍ ନନେଇ ଯାଆନ୍ତି ବଜାରରୁ ପଲିଥିନ ସହିତ ଫେରନ୍ତି। ପଲିଥିନରେ ପନିପରିବା, ଏପରି କି ଗରମ ଖାଇବା ଜିନିଷ ଧରି ଫେରନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ବି ହାନିକାରକ। ସିଗାରେଟ, ମଦ, ଗୁଟକା ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ଲୋକେ ଜାଣନ୍ତି; ତଥାପି ବ୍ୟବହାର କରନ୍ତି। ଏଥିରୁ କ’ଣ ବୁଝା ପଡୁଛି ଯେ ଆମ ଲୋକେ ବିଚାରଶୂନ୍ୟ ହୋଇ ଗଲେଣି ଯିଏ ଖୋଦ୍ ସରକାର କି ନ୍ୟାୟାଳୟଙ୍କ କଟକଣାକୁ ମାନନ୍ତି ନାହିଁ, ଅଥବା ନିଜ ବିବେକର ଆହ୍ବାନ ସ୍ୱୀକାର କରନ୍ତି ନାହିଁ !

ସାଧାରଣ ଲୋକଟି ଉପରେ କଟକଣା ଲଗେଇ ତା’କୁ ବାରଣ କରୁଥିବା ସରକାର ବା ନ୍ୟାୟାଳୟ, ତା’କୁ କାର୍ଯ୍ୟକାରୀ କରୁଥିବା ପ୍ରଶାସନ, ମାନୁ ନଥିବା ଅମାନିଆଙ୍କୁ ଗାଳି କରୁଥିବା ସମାଜସେବୀ ଆଉ ବୁଦ୍ଧିଜୀବୀ ଧନ୍ୟବାଦର ପାତ୍ର ନିଶ୍ଚୟ। ତା’​‌େ​‌ହଲେ ପ୍ରକୃତ ଦୋଷୀ କ’ଣ ସବା ଶେଷ ଲୋକ ସେଇ ଅମାନିଆ ଜନସାଧାରଣ, ଯିଏ ସମୂହ ସ୍ବାର୍ଥ ପାଇଁ ଜାରି କଟକଣାକୁ ନିର୍ଦୟ ଭାବରେ ବେଖାତିର କରେ ? ଆସନ୍ତୁ ଏ ବିଷୟରେ ସାମାନ୍ୟ ନଜର ପକେଇବା।

prayash

ଆମ ଦେଶରେ ସରକାରୀ ଅନୁମୋଦନ ଲାଭ କରି ଶିଳ୍ପାୟନ ନାମରେ, ବିକାଶ ନାମରେ, ରାସ୍ତା ପ୍ରଶସ୍ତୀକରଣ ନାମରେ ପ୍ରତ୍ୟହ ହଜାର ହଜାର ଗଛ କଟା ହୁଏ । ଓଡ଼ିଶା କଥା ବିଚାର କରିବା। ଗତ ଦଶ ବର୍ଷ ଭିତରେ ( ୨୦୧୩-୨୦୨୨) ଖୋଦ୍ ଭୁବନେଶ୍ୱରରେ ବିଭିନ୍ନ ପ୍ରକଳ୍ପ ଆଳରେ ୮.୪୨ ଲକ୍ଷ ଗଛ ହତ୍ୟା କରା ଯାଇଛି। ୨୧୫୯୪.୭୨୮ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରାଯାଇ ଅଣ ଜଙ୍ଗଲ ଜମିରେ ପରିବର୍ତ୍ତନ କରାଯାଇଛି; କିନ୍ତୁ ଜାଳେଣି କାଠ ସଂଗ୍ରହ କରି ବଞ୍ଚୁଥିବା ଲୋକଟିଏ ପାଇଁ ହଜାର ପ୍ରକାର ସରକାରୀ କଟକଣା। ହଜାର ହଜାର କଳକାରଖାନାରୁ କେବେ ଅମ୍ଳଜାନ ନିର୍ଗତ ହୁଏ ନାହିଁ। ଲକ୍ଷ ଲକ୍ଷ ଗାଡ଼ିରୁ କେବେ ଅମ୍ଳଜାନ ନିର୍ଗତ ହୁଏ ନାହିଁ; କିନ୍ତୁ ଭସ୍ ଭସ୍ ଧୂଆଁ ବାହାରୁଥିବା ଗାଡ଼ିକୁ ମାତ୍ର କେତୋଟି ଟଙ୍କା ବିନିମୟରେ ପଲ୍ୟୁସନ୍ ସାର୍ଟିଫିକେଟ ଦିଆଯାଇ ରାସ୍ତା ଉପରେ ଗଡ଼ିବାର ଅନୁମତି ମିଳେ । ଦେଶରେ ୭୬ ପ୍ରତିଶତ ଶିଳ୍ପ ନଦୀଜଳ ପ୍ରଦୂଷଣ ପାଇଁ ଦାୟୀ। ସେମାନେ ଜୀବ ଜଗତ ପାଇଁ କ୍ଷତି କାରକ ସମସ୍ତ ବର୍ଜ୍ୟ ନଦୀଜଳକୁ ସିଧା ଛାଡ଼ି ଦିଅନ୍ତି। ସେଥିପାଇଁ ଦେଶର ପାଖାପାଖି ୬୦୩ ନଦୀରୁ ୨୭୯ ଟି ନଦୀର ଜଳ ପ୍ରଦୂଷିତ। ଏହା ୨୦୨୨ ମସିହାର ସରକାରୀ ରେକର୍ଡର ତଥ୍ୟ। ସେଥିପାଇଁ ଦେଶର ପବିତ୍ର ନଦୀ କୁହା ଯାଉଥିବା ଗଙ୍ଗା ଆଜି ଦେଶର ସବୁଠୁ ପ୍ରଦୂଷିତ ନଦୀ। ଏପରି କି ବାୟୁ ପ୍ରଦୂଷଣ ପାଇଁ କଳକାରଖାନା ୫୧ ପ୍ରତିଶତ, ଗାଡ଼ି ୨୭ ପ୍ରତିଶତ ଏବଂ ଶସ୍ୟ ଅମଳ ପରବର୍ତ୍ତୀ ନିଆଁ ୧୭ ପ୍ରତିଶତ ଦାୟୀ। ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶ ଲୋକେ ଅମଳ ପରେ ନଡ଼ା ଆଉ ଖୁଣ୍ଟିକୁ ଜାଳି ଦିଅନ୍ତି। କାରଣ ଖାଇବା ପାଇଁ ଗୋ ସମ୍ପଦର ଅଭାବ। ଏଇ ନିଆଁ, ଧାସ ପ୍ରବାହିତ ହୋଇ ଦିଲ୍ଲୀ ବେଶୀ ପ୍ରଦୂଷିତ କରେ । ଗୋ ସମ୍ପଦ ହ୍ରାସ ପାଇଁ ଜୈବିକ ସାର ପ୍ରୟୋଗ କମି ରାସାୟନିକ ସାର ପ୍ରୟୋଗ ବୃଦ୍ଧି ହେଉଛି। ରାସାୟନିକ ସାର ପ୍ରସ୍ତୁତ ପାଇଁ ଜଳ, ବାୟୁ ଉଭୟ ପ୍ରଦୂଷିତ ଆଉ ପ୍ରୟୋଗ ପରେ ମାଟି ପ୍ରଦୂଷିତ ହୋଇ କୃଷକ ବନ୍ଧୁ ଜିଆର ବଂଶ ନାଶ।

ଉପରେ ଆଲୋଚିତ ସମସ୍ୟା ଉପରେ କୌଣସି ସରକାର କେବେ ବିଚାର ଆଲୋଚନା କରି କଟକଣା ଲଗେଇଛି କି, ତା’ର ବିକଳ୍ପ କଥା ଚିନ୍ତା କରିଛି କି? ଇଂରାଜୀ ନୂଆ ବର୍ଷରେ ହେଉ, ଖେଳ ଜିତିଲେ ହେଉ କି ନେତା ନିର୍ବାଚନ ଜିତିଲେ କେତେ ବିଷାକ୍ତ ବାଣ ଫୁଟି ପରିବେଶ ନଷ୍ଟ ହୁଏ; ସରକାର ସେ ଉପରେ କଟକଣା ଲଗେଇଛନ୍ତି କି ? କଳ କାରଖାନା ତାଙ୍କ ବର୍ଜ୍ୟବସ୍ତୁ, ଧୂଆଁ, ନଦୀଜଳ ଓ ବାୟୁ ମଣ୍ଡଳକୁ ନ ଛାଡିବା ଉପରେ କଟକଣା ଲଗେଇଛନ୍ତି କି ? ତା’ହେଲେ କେବଳ ଦୀପାବଳି ଆଉ ହୋଲି ବେଳେ କାହିଁକି ଏ ଜ୍ଞାନ ଉଦୟ ହୁଏ ? ତା’ ଅର୍ଥ ନୁହେଁ ଜଳ, ବାୟୁ ନଷ୍ଟ କରିବାର ଅଧିକାର ଆମକୁ ମିଳି ଯାଇଛି। ଶିଳ୍ପାୟନଜନିତ ଜଳ ଆଉ ବାୟୁର ପ୍ରଦୂଷଣ ଦୀପାବଳିର ବାଣଫୁଟା ଆଉ ହୋଲିର ପ୍ରଦୂଷଣଠାରୁ ହଜାର ହଜାର ଗୁଣ ଅଧିକ। ତା ଉପରେ କଟକଣା କାହିଁକି ନୁହେଁ ? ମଦୁଆ ଉପରେ କଟକଣା ମଦ ବିକ୍ରି ଉପରେ କଟକଣା ନୁହେଁ, ପଲିଥିନ ଧରିଥିବା ସାଧାରଣ ଲୋକଟି ଉପରେ କଟକଣା ଆଉ ଉତ୍ପାଦନକାରୀ ଉପରେ କଟକଣା ନୁହେଁ ? ଏ କେମିତି ବିଚାର ସବୁ କଟକଣା ସବା ଶେଷ ଲୋକ ଉପରେ ଲଗେଇ ଦେଉଛ ? ତା’ହେଲେ କଟକଣା ବାଟବଣା ପାଇଁ ଦାୟୀ କିଏ ? ଏଥିପାଇଁ ଜନସାଧାରଣ ନିହାତି ଭାବରେ ଦାୟୀ; ମାତ୍ର ପ୍ରଶାସନ ବି ବେଶୀ ଦାୟୀ ଯାହା ପାଖରେ ନିରଙ୍କୁଶ କ୍ଷମତା ଥିଲେ ମଧ୍ୟ ସେ ଉଚିତ ବିଚାର କରେ ନାହିଁ କି କ୍ଷମତାର ସଦ୍‌ ବ୍ୟବହାର କରେନି। ଶେଷରେ ଦୋଷୀ ହୁଅନ୍ତି ଗୋଟିଏ ନିର୍ଦିଷ୍ଟବର୍ଗ।

ଗୋଟିଏ ପରିବାରର ମଙ୍ଗଳ ପାଇଁ ଯେଉଁ ନିଷ୍ପତ୍ତି ନିଆଯାଏ ବା କଟକଣା ଜାରି ହୁଏ ତା’କୁ କେବଳ ପରିବାରର ଦୁର୍ବଳ ଲୋକ, ପ୍ରତିବାଦ କରୁନଥିବା ସବା ସାନ ସଦସ୍ୟ ଉପରେ ଲଦି ଦେଲେ ସେ ତା’କୁ କେମିତି ଭାବରେ ଗ୍ରହଣ କରିବ ? ଯେତେବେଳେ ଗୋଟିଏ କଟକଣା ସମାଜର ସମସ୍ତ ବର୍ଗ ପାଇଁ ସମାନ ଭାବରେ ଲାଗୁ ହେବାର ବ୍ୟବସ୍ଥା ହୋଇ ପାରିବ ସେତେବେଳେ ତାକୁ ଗ୍ରହଣ କରିବା ପାଇଁ ଆଇନର ଛାଟ କି ପ୍ରଶାସନର ନାଲି ଆଖି ଲୋଡ଼ା ହେବନି, ସେ ତାକୁ ସାଦରେ ଗ୍ରହଣ କରିବ। ଗୋଟିଏ ଦେଶ ବି ଗୋଟେ ପରିବାର ପରି। ଏହାର ମଙ୍ଗଳ ପାଇଁ ସମୂହ ନିଷ୍ପତ୍ତିକୁ ସମ୍ମାନ ଦେବା ସଭିଙ୍କ ଦାୟିତ୍ବ।

kalyan agarbati

Comments are closed.