ବାର୍ଦ୍ଧକ୍ୟ-ଅନୁକୂଳ ବସତିର ବିକଳ୍ପ ମଡେଲ
ଡକ୍ଟର ପ୍ରଦୀପ ମହାପାତ୍ର
ଉତ୍ତର-ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା କେତେକାଂଶରେ ସହାୟତାଯୁକ୍ତ ଜୀବନଯାତ୍ରାକୁ ସୂଚ଼ିତ କରିଥାଏ । ଶାରୀରିକ ସାମର୍ଥ୍ୟହାନି କାରଣରୁ ଦୈନନ୍ଦିନ ଜୀବନଯାପନରେ ମନୁଷ୍ୟ ଅନ୍ୟର ସହାୟତା ଲୋଡ଼ିଥାଏ। ବିଭିନ୍ନ ଭୌେଗାଳିକ ଓ ସାମାଜିକ ପରିବେଶରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ମଧ୍ୟରୁ କେତେ ସଂଖ୍ୟକ, କେତେ ସମୟ ଲାଗି ଜୀବନର ଏହି ପର୍ଯ୍ୟାୟ ଦେଇ ଗତି କରିଥାନ୍ତି, ସେହି ପରିସଂଖ୍ୟାନ ତାରତମ୍ୟପୂର୍ଣ୍ଣ । ତେବେ କତିପୟ ସର୍ବେକ୍ଷଣଲବ୍ଧ ତଥ୍ୟ ଅନୁଯାୟୀ ବିକଶିତ ରାଷ୍ଟ୍ରଗୁଡ଼ିକରେ ଏକବିଂଶ ଶତାବ୍ଦୀ ପ୍ରଥମ ଦୁଇ ଦଶକରେ ୮୫ ବର୍ଷୋତ୍ତରଙ୍କ ମଧ୍ୟରୁ ୧୫ ପ୍ରତିଶତ ପୂର୍ଣ୍ଣ-ସହାୟତାଆଶ୍ରିତ ଜୀବନଯାପନ କରନ୍ତି ଏବଂ ସ୍ଥଳବିଶେଷରେ ଏହି ଅବସ୍ଥା ଚାରି ବର୍ଷରୁ ଛଅ ବର୍ଷ ଯାଏ ପରିବ୍ୟାପ୍ତ ହୋଇଥାଏ ।
ସାଧାରଣରେ ରୋଗଗ୍ରସ୍ତ ଓ ଶାରୀରିକ ଦୁର୍ବଳତା କାରଣରୁ ବ୍ୟକ୍ତି ସମୟକ୍ରମେ ଅନ୍ୟର ସହାୟତା ଆବଶ୍ୟକ କରେ; କିନ୍ତୁ କେତେକ କ୍ଷେତ୍ରରେ ହୃଦ୍ଘାତ ଭଳି ଅବସ୍ଥା ତୁରନ୍ତ ଯତ୍ନ ଲୋଡ଼ିଥାଏ । ଉତ୍ତର-ବାର୍ଦ୍ଧକ୍ୟରେ ବ୍ୟକ୍ତିର ସ୍ୱାଧୀନ ଓ ସୁରକ୍ଷିତ ଜୀବନଚର୍ଯ୍ୟା ନିମନ୍ତେ ବିବିଧ ଦୀର୍ଘକାଳୀନ ସହାୟତା ଆବଶ୍ୟକ । ଅଧିକାଂଶ କ୍ଷେତ୍ରରେ ପରିବାର ସଦସ୍ୟ ଓ ଜ୍ଞାତିକୁଟୁମ୍ୱ ଏହି ଦାୟିତ୍ୱ ନିର୍ବାହ କରିଥାନ୍ତି । ସମକାଳୀନ ପରିବେଶରେ ବୃତ୍ତିଧାରୀଙ୍କ ଦ୍ୱାରା ପାରିବାରିକ ପରିବେଶରେ ଯତ୍ନ ପ୍ରଦାନ ପ୍ରଥା ଦ୍ରୁତ ପ୍ରସାର ଲାଭ କରୁଛି । ବିକଶିତ ସାମାଜିକ ବ୍ୟବସ୍ଥାରେ ଉତ୍ତର-ବାର୍ଦ୍ଧକ୍ୟରେ ବୃତ୍ତିଧାରୀଙ୍କ ତତ୍ତ୍ୱାବଧାନରେ ସହାୟତା-ଆଶ୍ରିତ ଜୀବନଯାପନ ସୁଯୋଗ ଉପଲବ୍ଧ ।
ଉତ୍ତର-ବାର୍ଦ୍ଧକ୍ୟରେ ଦୈନନ୍ଦିନ ଜୀବନଯାତ୍ରାରେ ସହାୟତା ବ୍ୟକ୍ତିକୁ ଗାଧୋଇବା, ପୋଷାକ ପରିଧାନ, ଖୁଆଇବା ବା ଔଷଧ ସେବନ ଇତ୍ୟାଦିରେ ପର୍ଯ୍ୟବସିତ । ଏକାକୀ ବସବାସ କରୁଥିବା ଓ ବିଭିନ୍ନ କାରଣରୁ ପାରିବାରିକସ୍ତରରେ ସହାୟତା-ଆଶ୍ରିତ ଜୀବନଯାପନ ସମ୍ଭବ ନ ହୋଇପାରୁଥିବା ସ୍ଥଳେ ଉତ୍ତର-ବାର୍ଦ୍ଧକ୍ୟରେ ପୁନର୍ବାସନ ପ୍ରଥା ପ୍ରଚଳିତ । ବିକଶିତ ରାଷ୍ଟ୍ରଗୁଡ଼ିକରେ ବୃତ୍ତିଧାରୀ ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ଥେରାପିଷ୍ଟଙ୍କ ସହାୟତାରେ ନର୍ସିଂହୋମ, ହସପିସ ଓ ଅବସର ବିହାରଗୁଡ଼ିକରେ ଅର୍ଥ ବିନିମୟରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଦୀର୍ଘକାଳୀନ ଯତ୍ନ ବ୍ୟବସ୍ଥା ଉପଲବ୍ଧ । ତେବେ ଏହି ସୁବିଧାସୁଯୋଗ କିଏ କେବେ ଗ୍ରହଣ କରିବେ, ତାହା ବ୍ୟକ୍ତିଗତ ନିଷ୍ପତ୍ତି ତଥା ପାରିବାରିକ ଓ ସାମାଜିକ ପରିସ୍ଥିତି ଉପରେ ନିର୍ଭରଶୀଳ ।
ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନରେ ପ୍ରାୟତଃ ପ୍ରତି ତିନିଜଣ ୬୫ ବର୍ଷୋତ୍ତରଙ୍କ ମଧ୍ୟରେ ଜଣେ ଏକାକୀ ବସବାସ କରୁଥିବା କୁହାଯାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ୮୫ ବର୍ଷୋତ୍ତରଙ୍କ କ୍ଷେତ୍ରରେ ଅର୍ଦ୍ଧେକ ଏକାକୀ ଜୀବନ ବିତାଇଥାନ୍ତି । ୱାର୍ଲ୍ଡ ବ୍ୟାଙ୍କ ପ୍ରକାଶିତ ତଥ୍ୟ ଅନୁଯାୟୀ ବିଶ୍ୱ ଜନସଂଖ୍ୟାର ୧୫ ପ୍ରତିଶତ ବିଭିନ୍ନ କାରଣରୁ ଭିନ୍ନକ୍ଷମ ।
ବିକଶିତ ରାଷ୍ଟ୍ରଗୁଡ଼ିକରେ ଅବସର ବିହାର ପ୍ରବାହ ‘ଟ୍ରେଣ୍ଡ’ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରୁ କ୍ରମବିକଶିତ ହୋଇ ଏକବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶକରେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଥିଲା ; କିନ୍ତୁ ୨୦୨୦-୨୨ରେ ବିଶ୍ୱବ୍ୟାପୀ କୋଭିଡ଼-ମହାମାରୀ କାଳରେ ପୂର୍ବ-ପ୍ରସ୍ତୁତି ଅଭାବରୁ ନର୍ସିଂହୋମ ଓ ଅବସର ବିହାରଗୁଡ଼ିକରେ ବହୁସଂଖ୍ୟକ ଅନ୍ତେବାସୀ ସଂକ୍ରମିତ ହେବା ତଥା ପ୍ରାଣହରାଇବା ଉଦାହରଣ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ପରିବର୍ତ୍ତିତ ପରିବେଶ ‘ନ୍ୟୁ-ନରମାଲ’ରେ ଅଧିକାଂଶ ଯେତେଦୂର ସଂଭବ ସ୍ୱ-ଗୃହରେ ବାର୍ଦ୍ଧକ୍ୟଜୀବନ ‘ଏଜିଂ ଇନ ପ୍ଳେସ’ ଚାହୁଁଥିବା ଦେଖିବାକୁ ମିଳେ ।
ଅବଶ୍ୟ କୋଭିଡ଼ ମହାମାରୀ ପୂର୍ବରୁ ମଧ୍ୟ ଆୟୋଜିତ ବିଭିନ୍ନ ସର୍ବେକ୍ଷଣରେ ସଂଖ୍ୟାଧିକ ବ୍ୟକ୍ତି ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ନିମନ୍ତେ ସ୍ୱ-ଗୃହକୁ ନିର୍ବାଚନ କରିଥିଲେ । ‘ଆମେରିକାନ ଏସୋସିଏସନ ଅଫ ରିଟାୟାର୍ଡ ପରସନ୍ସ’ ପକ୍ଷରୁ ୨୦୧୦ରେ ଅନୁଷ୍ଠିତ ସର୍ବେକ୍ଷଣରେ ୯୦ ପ୍ରତିଶତ ଏବଂ ୨୦୨୦ରେ କାନାଡ଼ାର ଅଣ୍ଟେରିଓରେ ୯୩ ପ୍ରତିଶତ ସ୍ୱ-ଗୃହ ସପକ୍ଷରେ ମତ ରଖିଥିବା ପ୍ରକାଶ । ଏହି ପରିବେଶରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କୁ ସେମାନଙ୍କ ନିଜ ଗୃହରେ କିପରି ଦୀର୍ଘକାଳୀନ ଯତ୍ନ ଯୋଗାଇ ଦିଆଯାଇପାରିବ, ସେହି ଦିଗରେ ବିକଳ୍ପ ମଡ଼େଲ ନିର୍ବାଚନ ଗୁରୁତ୍ୱ ଲାଭ କରିଛି ।
ମହାମାରୀ-ପର ଅବସ୍ଥାରେ ବାର୍ଦ୍ଧକ୍ୟ ଅଧ୍ୟୟନ କ୍ଷେତ୍ରରେ ଚର୍ଚ୍ଚିତ କେତେକ ନବ-ବିକଶିତ ବାର୍ଦ୍ଧକ୍ୟ-ଅନୁକୂଳ ବସତି ମଡ଼େଲ ମଧ୍ୟରେ ବୟସ୍କ ବସତି ‘ଭିଲେଜ’, ଗୋଷ୍ଠୀବଦ୍ଧ ବସତି ‘କୋ-ହାଉସିଂ’ ଓ ପ୍ରାକୃତିକ ଅବସର ବିହାର ‘ନାଚୁରାଲି ଅକରିଂ ରିଟାୟାରମେଣ୍ଟ କମ୍ୟୁନିଟିସ’ ଉଲ୍ଲେଖଯୋଗ୍ୟ । ଯୁକ୍ତରାଷ୍ଟ୍ର ଆମେରିକାରେ ବିକଶିତ ‘ଭିଲେଜ’ ମଡ଼େଲରେ ଏକ ନିର୍ଦିଷ୍ଟ ଭୌେଗାଳିକ ପରିବେଶରେ ବାର୍ଦ୍ଧକ୍ୟଗ୍ରସ୍ତ ବସବାସ କରିବା ନିମନ୍ତେ ସୁଯୋଗ ସୃଷ୍ଟି କରାଯାଇଥାଏ । ପ୍ରତ୍ୟେକ ‘ଭିଲେଜ’ ଅନ୍ତେବାସୀଙ୍କ ଦ୍ୱାରା ସ୍ୱୟଂଶାସିତ।
ସେହିପରି ୟୁରୋପରେ ବିକଶିତ ‘କୋ-ହାଉସିଂ’ ମଡେଲରେ ବୟସ୍କଙ୍କ ସମେତ ବିଭିନ୍ନ ବୟସବର୍ଗର ପରିବାରଙ୍କ ନିମନ୍ତେ ବସତି ସ୍ଥାପିତ ହୋଇଥାଏ । ଏଠାରେ ଅନ୍ତେବାସୀ କମ ପରିମିତ ଅଞ୍ଚଳରେ ସ୍ୱତନ୍ତ୍ର ବାସଗୃହରେ ବସବାସ କରୁଥିବା ସ୍ଥଳେ ବିସ୍ତୃତ ଅଞ୍ଚଳରେ ସାମୂହିକ ସୁବିଧାସୁଯୋଗ ବ୍ୟବହାର କରିଥାନ୍ତି । ବଡ଼ ଭୋଜନାଳୟ, ରନ୍ଧନଶାଳା, ସଭାଗୃହ, ବ୍ୟାୟାମଶାଳା, ଅତିଥି ଭବନ ଓ ଉଦ୍ୟାନ ସମସ୍ତେ ବ୍ୟବହାର କରନ୍ତି । ରନ୍ଧାବଢ଼ା ସକାଶେ ପ୍ରତ୍ୟେକ ପରିବାର ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଥିବା ସତ୍ତ୍ୱେ ବହୁ ସମୟରେ ପଙ୍କ୍ତି-ଭୋଜନର ଆୟୋଜନ କରାଯାଇଥାଏ । ପ୍ରାକୃତିକ ଅବସର ବିହାର ‘ନେଚୁରାଲି ଅକରିଂ ରିଟାୟାରମେଣ୍ଟ କମ୍ୟୁନିଟିସ’ ମୁଖ୍ୟତଃ ସଂଖ୍ୟାଧିକ ଅବସରପ୍ରାପ୍ତ ବସବାସ କରୁଥିବା ବସତିକୁ ବୁଝାଏ ।
ମିଳିତ ଜାତିସଂଘ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୦ରେ ୪୭ ପ୍ରତିଶତ ବୟସ୍କ ସହରାଞ୍ଚଳରେ ବସବାସ କରୁଥିବା ସ୍ଥଳେ ୨୦୩୦ରେ ୬୦ ପ୍ରତିଶତରେ ପହଞ୍ଚିବା ଆକଳନ କରାଯାଉଛି । ଜନସଂଖ୍ୟା ଆଧାରରେ ସହରାଞ୍ଚଳ ଉନ୍ନୟନ ଯୋଜନା ପ୍ରଣୀତ ହେଉଥିବା ହେତୁ ପରିବର୍ତ୍ତିତ ପରିବେଶକୁ ଲକ୍ଷ୍ୟରଖି ସହରାଞ୍ଚଳରେ ବରିଷ୍ଠ ନାଗରିକଙ୍କ ବସବାସ ନିମନ୍ତେ ସ୍ୱତନ୍ତ୍ର ପ୍ରକଳ୍ପ ରୂପାୟନ ଜରୁରୀ ।
ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଉତ୍ତର-ବାର୍ଦ୍ଧକ୍ୟ ଯତ୍ନ ସକାଶେ ସହରାଞ୍ଚଳରେ ଭିତ୍ତିଭୂମି ପ୍ରତିଷ୍ଠା କ୍ଷେତ୍ରରେ ଅନ୍ତତଃ ରାଜଧାନୀ ଭୁବନେଶ୍ୱରରେ ପରୀକ୍ଷାମୂଳକ ଉଦ୍ୟମ ନିମନ୍ତେ ସରକାରୀସ୍ତରରେ ନୀତି ନିର୍ଦ୍ଧାରଣ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାର ଜନସଂଖ୍ୟାରେ ଅାର୍ଥନୀତିକ, ଶିକ୍ଷାଗତ ଓ ସାମାଜିକ ବୈଷମ୍ୟ ଦୃଷ୍ଟିରୁ ସହରାଞ୍ଚଳରେ ବସବାସ କରୁଥିବା ୧୫ ରୁ ୨୦ ପ୍ରତିଶତ ପରିବାର ମଧ୍ୟରେ ଅର୍ଦ୍ଧେକ ଆର୍ଥିକ ଦିଗରୁ ସ୍ୱଚ୍ଛଳ ବିଚାର କରାଯାଏ। ଏହି ଦୃଷ୍ଟିରୁ ସାମୂହିକସ୍ତରରେ ଉତ୍ତର-ବାର୍ଦ୍ଧକ୍ୟ ଯତ୍ନ ସକାଶେ ମୁଖ୍ୟତଃ ଅର୍ଥନୀତି ଦୃଷ୍ଟିରୁ ସକ୍ଷମ ସହର ବାସିନ୍ଦା ଓ ଅର୍ଥନୀତି ଦୃଷ୍ଟିରୁ ଅବହେଳିତ ଗ୍ରାମାଞ୍ଚଳ ବାସିନ୍ଦାଙ୍କ ନିମନ୍ତେ ଦୁଇ ଭିନ୍ନ ମଡ଼େଲ ଆବଶ୍ୟକ ।
ଓଡ଼ିଶାର ଶିକ୍ଷିତ ଅଗ୍ରଣୀ ପରିବାରବର୍ଗର ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଠାରେ ବିକଶିତ ସାମାଜିକ ବ୍ୟବସ୍ଥାରେ ବସବାସ କରୁଥିବା ବୟସ୍କବର୍ଗଙ୍କ ସମସ୍ୟା ପ୍ରତିଫଳିତ । ବୃଦ୍ଧ ଜନସଂଖ୍ୟା ବୃଦ୍ଧି, ବର୍ଦ୍ଧିତ ଜୀବଦ୍ଦଶା ଓ ସ୍ୱାସ୍ଥ୍ୟରକ୍ଷା ସୁବିଧାସୁଯୋଗ ଆଶାରେ ସହରାଭିମୁଖୀ ଧାରା ଅନ୍ତତଃପକ୍ଷେ ଭୁବନେଶ୍ୱର ସହରାଞ୍ଚଳରେ ବାର୍ଦ୍ଧକ୍ୟ-ଅନୁକୂଳ ବସତି ସ୍ଥାପନ ସମୟର ଆହ୍ୱାନ । ପ୍ରାଥମିକ ସ୍ତରରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜଧାନୀର ଜନାକୀର୍ଣ୍ଣ ଅଞ୍ଚଳରେ ରାଜ୍ୟ ଗୃହନିର୍ମାଣ ସଂସ୍ଥା ଆନୁକୂଲ୍ୟରେ କେବଳ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ପାଇଁ କୋଠାବାଡ଼ି ନିର୍ମାଣ କରି ବଜାର ଦରରେ ବିକ୍ରି ବ୍ୟବସ୍ଥା କରାଯାଇପାରିଲେ ସେହି ପରିବେଶରେ ପ୍ରାକୃତିକ ଭାବେ ଉତ୍ତର-ବାର୍ଦ୍ଧକ୍ୟ ଯତ୍ନ ନିମନ୍ତେ ସୁବିଧା ସୁଯୋଗ ଘରୋଇ ଉଦ୍ୟମରେ ଉପଲବ୍ଧ ହେବା ବିଶ୍ୱାସ କରାଯାଇପାରେ ।
ଦେଶ ବିଦେଶରେ ବିକଶିତ ବିଭିନ୍ନ ମଡ଼େଲ ଅନୁସରଣରେ କମ ଆୟତନର ବାସଗୃହ ଓ ଅଧିକ ଆୟତନର ସାମୂହିକ ବ୍ୟବହାରଯୋଗ୍ୟ ସୁବିଧାସୁଯୋଗ ବାର୍ଦ୍ଧକ୍ୟ ବସତିରେ ସନ୍ନିବେଶିତ କରାଯାଇପାରେ । ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ୟୁନିଟ-୨ ଅଞ୍ଚଳରେ ଅବସ୍ଥିତ ପୁରାତନ ସରକାରୀ ବାସଭବନଗୁଡ଼ିକୁ ଭାଙ୍ଗି ପୁନଃନିର୍ମାଣ ନୀତି ଲାଗୁ କରାଯାଇଥିବା ଅବସରରେ ଏହି ଅଞ୍ଚଳରେ ପରୀକ୍ଷାମୂଳକ ଭାବେ ରାଜ୍ୟ ଗୃହନିର୍ମାଣ ସଂସ୍ଥା ଆନୁକୂଲ୍ୟରେ କିଛି ବାର୍ଦ୍ଧକ୍ୟ ବସତି ନିର୍ମାଣ ଓ ବିକ୍ରି ପ୍ରସ୍ତାବ ବିଚାରଯୋଗ୍ୟ ।
ବିଭିନ୍ନ ଗବେଷଣାରୁ ଜଣାଯାଏ ଯେ ବାର୍ଦ୍ଧକ୍ୟ ବସତିଗୁଡ଼ିକ ଘଞ୍ଚ ଜନବସତିରେ ନିର୍ମାଣ କରାଗଲେ ସୁଫଳ ମିଳେ । ବାର୍ଦ୍ଧକ୍ୟଗ୍ରସ୍ତଙ୍କ ଦୈନନ୍ଦିନ ଜୀବନଯାତ୍ରା ନିମନ୍ତେ ପନ୍ଦର ମିନଟ ପାଦଚଲା ପରିଧିରେ ସମସ୍ତ ସୁବିଧା ସୁଯୋଗ ମିଳିବା ବ୍ୟବସ୍ଥା ‘୧୫ ମିନଟ ସିଟିସ’ ବିଶ୍ୱବ୍ୟାପୀ ଆଦର ଲାଭ କରିଛି । ଏହି କାରଣରୁ ୟୁନିଟ-୨ ଭଳି ଜନାକୀର୍ଣ୍ଣ ଅଞ୍ଚଳରେ ବାର୍ଦ୍ଧକ୍ୟ ଅନୁକୂଳ ବସତି ସ୍ଥାପନ ଗୁରୁତ୍ୱ ବହନ କରେ । ପରିବହନ, ମୁଖ୍ୟତଃ ସାର୍ବଜନୀନ ପରିବହନ ସୁଯୋଗ ବାର୍ଦ୍ଧକ୍ୟଗ୍ରସ୍ତଙ୍କୁ ସ୍ୱାଧୀନ ଭାବେ ଦୈନନ୍ଦିନ ଆବଶ୍ୟକତା ସଂସ୍ଥାନଠାରୁ ଆରମ୍ଭ କରି ବହୁମୁଖୀ ସ୍ୱାସ୍ଥ୍ୟସେବା, ସାମାଜିକ ଓ ସାଂସ୍କୃତିକ ସଂପୃକ୍ତିରେ ସହାୟକ ହେବ।
ବିଶ୍ୱବ୍ୟାପୀ ସ୍ୱ-ଗୃହରେ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ଆଦର ଲାଭ କରୁଥିବା ଅବସରରେ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ବ୍ୟକ୍ତି ପାରମ୍ପରିକ ପଦ୍ଧତିକୁ ନିର୍ବାଚନ କରିବା ସ୍ୱାଭାବିକ । ତେବେ ବାର୍ଦ୍ଧକ୍ୟଗ୍ରସ୍ତଙ୍କ ମଧ୍ୟରୁ ୧୫ ପ୍ରତିଶତ ଉତ୍ତର-ବାର୍ଦ୍ଧକ୍ୟରେ ଦୀର୍ଘକାଳୀନ ସହାୟତା ଆବଶ୍ୟକ କରୁଥିବା, ସାରା ଓଡ଼ିଶାର ଜନସାଧାରଣ ଗୁଣାତ୍ମକ ଚ଼ିକିତ୍ସା ନିମନ୍ତେ ଭୁବନେଶ୍ୱର-କଟକ ଉପରେ ନିର୍ଭରଶୀଳ ଥିବା ତଥା ବିନା ସରକାରୀ ସହାୟତାରେ ବ୍ୟାବସାୟିକ ଢାଞ୍ଚାରେ ବୃତ୍ତିଧାରୀଙ୍କ ସେବା ଗ୍ରହଣରେ ସକ୍ଷମଥିବା ସଂଖ୍ୟାଲଘୁ ସମ୍ପ୍ରଦାୟ ନିମନ୍ତେ ବିକଳ୍ପ ବାର୍ଦ୍ଧକ୍ୟ-ଅନୁକୂଳ ବସତି ସ୍ଥାପନ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ କଲ୍ୟାଣ ନୀତିରେ ଅଗ୍ରାଧିକାର ଦାବି କରେ । ବିଶେଷଜ୍ଞଙ୍କ ମତରେ ଉତ୍ତର-ବାର୍ଦ୍ଧକ୍ୟରେ ପହଞ୍ଚିବା ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତି ସହାୟତାଯୁକ୍ତ ଜୀବନଯାତ୍ରା ନିମନ୍ତେ ପ୍ରସ୍ତୁତ ହେଲେ ସୁଫଳ ମିଳିଥାଏ । ଏହି ଦିଗରେ ଭିତ୍ତିଭୂମି ପ୍ରସ୍ତୁତି ଲାଗି ସଚ଼େତନ ହେବା ସମୟ ଉପନୀତ ।
Comments are closed.