ତୁରୁମୁଙ୍ଗାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀ ଓ ସୁଶାସନ ଦିବସ ପାଳିତ

ପାଟଣା: କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସୋମବାର ମହାନ୍ ଜନନାୟକ ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା ଯଶ୍ବସୀ କବି ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୯ ତମ ଜନ୍ମ ଜୟନ୍ତୀ ପାଳନ ସହିତ ସୁଶାସନ ଦିବସ ଓ କବିତା ପାଠୋତ୍ସବ କାବ୍ୟାଞ୍ଜଳି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।

କାବ୍ୟାଞ୍ଜଳିର ସମ୍ପାଦକ କବି ଭାବଗ୍ରାହୀ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ଓଡିଶା ସରକାରଙ୍କ ପୂର୍ବତନ ଯୁଗ୍ମ ସାଶନ ସଚିବ ସମାଜ ସେବୀ ଅଖିଳ ଚନ୍ଦ୍ର ନାଏକ ସଭାପତିତ୍ବ କରିଥିବା ବେଳେ ମୂଖ୍ୟ ଅତିଥି ଭାବରେ କେନ୍ଦୁଝରର ରାଣୀ ସୁନନ୍ଦିନୀ ଭଞ୍ଜଦେଓ, ମୁଖ୍ୟଵକ୍ତା ବିଶିଷ୍ଟ ସାହିତ୍ୟିକ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼କ୍ଟର ଚିତ୍ତ ମିଶ୍ର, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ସଭାପତି ନୃସିଂହନାଥ ସିଂହ, କେନ୍ଦୁଝର ଶାଖା ଉତ୍କଳ ସମ୍ମିଳନୀ ସାଧାରଣ ସମ୍ପାଦକ ଆଇନଜୀବୀ ବିରଜା ମିଶ୍ର, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ରାଧାକାନ୍ତ ମହାନ୍ତ, କେନ୍ଦୁଝର ନାଗରିକ ମଞ୍ଚ କାର୍ଯ୍ୟକାରୀ ସଭାପତି ଅଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ମୁଖ୍ୟ ଅତିଥି ରାଣୀ ସାହେବା ତାଙ୍କ ବକ୍ତବ୍ୟ ରେ ସନାତନ ବିଚାର ଧାରାରେ ଆଜିର ସମାଜରେ ଅବକ୍ଷୟ ଘଟୁଥିବାରୁ କ୍ଷୋଭ ପ୍ରକାଶ କରିବା ସହ ବାଜପେୟୀଙ୍କ ଭଳି ଜଣେ ବ୍ୟକ୍ତିତ୍ୱ ଦେଶବାସୀଙ୍କ ପାଇଁ ସଦା ସର୍ବଦା ନମସ୍ୟ ହୋଇ ରହିବେ ବୋଲି ମତ ପ୍ରକାଶ କରିଥିଲେ।

prayash

ମୁଖ୍ୟବକ୍ତା ଓ ସମ୍ମାନୀତ ଅତିଥି ମାନେ ବାଜପେୟୀ ଙ୍କ ଜୀବନୀ କୃତିତ୍ୱ , କବି ପ୍ରତିଭା ଉପରେ ଆଲୋକପାତ କରି ତାଙ୍କ ପରି ଦୁର ଦୃଷ୍ଟି ସମ୍ପନ୍ନ ନେତା ସୁଦୂର ପ୍ରସାରି ଚିନ୍ତାଧାରା ଓ ରାଷ୍ଟ୍ର ପାଇଁ କାର୍ଯ୍ୟ ତାଙ୍କୁ ଅମର କରି ରଖିବ ବୋଲି ମତ ବ୍ୟକ୍ତକରି ବ୍ୟବସ୍ଥା ରେ ପରିବର୍ତ୍ତନ ନହେଲେ ସୁଶାସନ ଆସିବ ନାହିଁ ବୋଲି ମତ ପ୍ରକାଶ କରିଥିଲେ ।

ସଭା ପ୍ରାରମ୍ଭରେ ଅତିଥିମାନେ ସ୍ବର୍ଗତ ବାଜପେୟୀ ଓ ଭାରତ ମାତାଙ୍କ ଫଟୋ ଚିତ୍ରରେ ଧୂପ ପ୍ରଦ୍ବୀପ ପ୍ରଜ୍ବଳନ ପୂର୍ବକ ସମବେତ ବନ୍ଦେ ମାତରମ ଗାନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ପରେ ବାଜେପେୟୀଙ୍କ ସ୍ମୃତିରେ ତାଙ୍କ କବିତାର ଅନୁବାଦକୁ ଅକ୍ଷୟ ନାରାୟଣ ମିଶ୍ର, କବି ଧନୁର୍ଜୟ ମହାନ୍ତ କ୍ଷେତ୍ରବାସୀ ମହାନ୍ତ, କାଙ୍ଗାଳି ଚରଣ ମହାରଣା, ଉଜ୍ୱଳ କୁମାର ସାହୁ ବୈକୁଣ୍ଠ ନାଥ ମହାନ୍ତ, ଡ଼ମ୍ବରୁ ମହାନ୍ତ ପ୍ରମୁଖ କବିତା ପାଠ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି କେନ୍ଦୁଝର ରାଣୀ ସୁନନ୍ଦିନୀ ଭଞ୍ଜଦେଓ ଉପସ୍ଥିତ କବିମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ସାମ୍ବାଦିକ ସନ୍ତୋଷ ପତି, ଅଞ୍ଜନ ରଣା ଓ ବିଜୟ କୁମାର ମହାନ୍ତଙ୍କୁ ସମ୍ମାନିତ କରିଥିଲେ ।

କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ କବି, ଲେଖକ, ବୁଦ୍ଧିଜୀବୀ ଉପସ୍ଥିତ ଥିବା ବେଳେ କାବ୍ୟାଞ୍ଜଳି କାର୍ଯ୍ୟକାରୀ ସମିତିର ବରିଷ୍ଠ ଉପଦେଷ୍ଟା କମଳା କାନ୍ତ ଦାଶ ସମେତ ନାଗେଶ୍ଵର ମହାରଣା,ମୋଚିରାମ ସାହୁଙ୍କ ତତ୍ତ୍ଵାବଧାନରେ ଏବଂ କାବ୍ୟାଞ୍ଜଳିର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା କାର୍ଯ୍ୟକ୍ରମଟି ସୁଚାରୁ ରୁପେ ପରିଚାଳିତ ହୋଇଥିଲା।

Comments are closed.