‘ଡିଜିଟାଲ ଯୁଗରେ ପ୍ରାମାଣିକ ସାମ୍ବାଦିକତାର ଶକ୍ତି ଉନ୍ମୋଚନ’ ଜାତୀୟ ଆଲୋଚନାଚକ୍ର
ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗ ଯୋଗ ବିଭାଗ ପକ୍ଷରୁ ଆୟୋଜିତ ୨ ଦିନିଆ ଜାତୀୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ଯୋଗଦେଇ ନିଜର ବୃତ୍ତିଗତ ଅଭିଜ୍ଞତା ବିଷୟରେ କହିବା ସହ ପୂର୍ବରୁ ସମ୍ପାଦକ ଦ୍ଵାରା ଚାପ ତଥା ରାଜନୀତିକ ପ୍ରଭାବ ଏବଂ ସୂଚନା ପାଇବାରେ ଅସୁବିଧା ଯୋଗୁଁ ଲୋକଙ୍କ ପାଖରେ ସଠିକ୍ ଖବର ପହଞ୍ଚି ପାରୁନଥିଲା ବୋଲି କହିଥିଲେ। ମାତ୍ର ଏବେ ଡିଜିଟାଲ ଯୁଗରେ ମିଥ୍ୟା ଖବର ଏବଂ ସୋସିଆଲ ମିଡିଆ ଦ୍ଵାରା ଆସୁଥିବା ଆହ୍ୱାନର ମୁକାବିଲା କରିବା ପାଇଁ ସଜାଗ ରହିବାକୁ ଛାତ୍ର ଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଆକାଶବାଣୀ ବ୍ରହ୍ମପୁରର ପୂର୍ବତନ ନିର୍ଦେଶକ ହୃଷୀକେଶ ପାଣିଗ୍ରାହୀ ଯୋଗ ଦେଇ ଜାତୀୟ ସମ୍ମିଳନୀର ବିଷୟ ବସ୍ତୁ ‘ଡିଜିଟାଲ ଯୁଗରେ ପ୍ରାମାଣିକ ସାମ୍ବାଦିକତାର ଶକ୍ତି ଉନ୍ମୋଚନ’ ଉପରେ ଆଲୋକପାତ କରିଥିଲେ। ଆଧୁନିକ ଯୁଗର ନୂତନ ଜ୍ଞାନ କୌଶଳ ବ୍ୟବହାର କରି କିପରି ସାମ୍ବାଦିକତା ବୃତ୍ତି ଆଗକୁ ବଢ଼ିହେବ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ। ବିଭିନ୍ନ ବିଶ୍ଵବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ଓ ଗବେଷକ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ମାନେ ନିଜର ଅନୁଭୂତି ରଖିଥିଲେ।
ଆବାହକ ପ୍ରଫେସର ଗଣେଶ ସେଠୀ ସମ୍ମିଳନୀର ବିବରଣୀ ପାଠ କରିଥିଲେ । ଏହି ୨ଦିନିଆ ସମ୍ମିଳନୀରେ ଦେଶର ବିଭିନ୍ନ ବିଶ୍ଵବିଦ୍ୟାଳୟରୁ ୬୪ ଜଣ ଗବେଷକ ଅଂଶଗ୍ରହଣ କରିବା ସହ ନିଜ ନିଜ ଗବେଷଣାତ୍ମକ ସନ୍ଦର୍ଭ ପାଠ କରିଥିଲେ। ସମ୍ପାଦକ ସୌରଭ ପ୍ରକାଶ ସିଟ୍ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ଼ ବନ୍ଦିତା ପଣ୍ଡା , ଡ଼. ଜୟନ୍ତ ପଣ୍ଡା, ଡ଼ ନେହା ପାଣ୍ଡେ , ଡ଼. ଚିନୁ ବୋହିଦାର, ଅଗ୍ନି କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.