ଲାଞ୍ଚ ନେବା ମାମଲାରେ ଶ୍ରମ ଅଧିକାରୀଙ୍କୁ ୩ ବର୍ଷ କାରାଦଣ୍ଡାଦେଶ

ଫୁଲବାଣୀ:ମୃତ ଶ୍ରମିକଙ୍କ ପରିବାରକୁ ମୃତ୍ୟୁକାଳୀନ ସହାୟତା ଯୋଗାଇ ଦେବା ପାଇଁ ଲାଞ୍ଚ ନେବା ଅଭିଯୋଗରେ କନ୍ଧମାଳ ଜିଲାର ତତ୍କାଳୀନ ଶ୍ରମ ଅଧିକାରୀ ରଞ୍ଜନ କୁମାର ବେହେରାଙ୍କୁ ଆଜି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଅଭିଯୁକ୍ତଙ୍କୁ ୫ ହଜାର ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି। ଜୋରିମାନା ଅନାଦେୟ ଦୋଷୀକୁ ଅଧିକ ୩ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ କହିଛନ୍ତି। ଅଭିଯୁକ୍ତ ବେହେରା ଏବେ ନବରଙ୍ଗପୁର ଜିଲା ଶ୍ରମ ଅଧିକାରୀ ଅଛନ୍ତି।

prayash

ସୂଚନା ଅନୁଯାୟୀ, ୨୦୧୯ ନଭେମ୍ବର ୫ ତାରିଖରେ ୪ଜଣ ମୃତ ଶ୍ରମିକ କୁନ୍ତଳା ପ୍ରଧାନ, ଇନ୍ଦିରା କହଁର, ନୀରୋଦ ପ୍ରଧାନ ଓ ଗଜପତି ପ୍ରଧାନଙ୍କ ପରିବାର ସରକାରଙ୍କ ପକ୍ଷରୁ ମିଳୁଥିବା ଏକ ଲକ୍ଷ ଟଙ୍କାର ମୃତ୍ୟୁ କାଳୀନ ସହାୟତା ପାଇବା ପାଇଁ ଜିଲା ଶ୍ରମ କାର୍ୟ୍ୟାଳୟରେ ଆବେଦନ କରିଥିଲେ। ତେବେ ଟିକାବାଲି ଅଞ୍ଚଳର ଶ୍ରମିକ ୟୁନିଅନ କର୍ମକର୍ତ୍ତା ବାବୁଜା ପ୍ରଧାନ ଏ ନେଇ ଶ୍ରମ ଅଧିକାରୀ ବେହେରାଙ୍କ ସହ ଆଲୋଚନା କରିବାରେ ସେ ଜଣଙ୍କ ପିଛା ୮ ହଜାର ଟଙ୍କା ଲାଞ୍ଚ ଦେଲେ ଆବେଦନ ମଞ୍ଜୁର ହେବ ବୋଲି କହିଥିଲେ। ଆଲୋଚନା ପରେ ଏଥିପାଇଁ ମୋଟ ୧୫ ହଜାର ଟଙ୍କା ଲାଞ୍ଚ ଦେବାକୁ ଚୂଡାନ୍ତ ହୋଇଥିଲା। ୭ ତାରିଖ ଦିନ ଶ୍ରମ ଅଧିକାରୀ ରଞ୍ଜନକୁମାର ନିଜ କାର୍ଯ୍ୟାଳୟରେ ଏହି ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲେ। ଚଢ଼ଉ ସମୟରେ ଶ୍ରମ ଅଧିକାରୀ ପକେଟ୍‍ରେ ରଖିଥିବା ଟଙ୍କାକୁ ଖାଇଦେବା ପାଇଁ ଚେଷ୍ଟା କରିବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କ ପାଟିରେ ହାତ ପୁରାଇ ଟଙ୍କା ବାହାର କରିଥିଲେ।

ଏହି ସମୟରେ ଶ୍ରମ ଅଧିକାରୀ ବେହେରା ଭିଜିଲାନ୍ସ ଅଧିକାରୀଙ୍କ ଆଙ୍ଗୁଠିକୁ ମଧ୍ୟ କାମୁଡି ଦେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ବିଚାର କରି ୧୨ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ଜଜ୍‌ ସମର ବିଳାସ ବେହେରା ଆଜି ଉପରୋକ୍ତ ରାୟ ଶୁଣାଇଛନ୍ତି। ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଭି ଭି ରାମଦାସ ପରିଚାଳନା କରୁଥିଲେ।

Comments are closed.