ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନ ଦର୍ଶନରେ ଅନୁପ୍ରାଣିତ ହୋଇ ସମାଜ ସେବାରେ ନିୟୋଜିତ ହେବାକୁ ଆହ୍ବାନ

ସତ୍ୟବାଦୀ ଓ ଜନ୍ମପୀଠରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ସାକ୍ଷୀଗୋପାଳ: ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୬ ତମ ଜୟନ୍ତୀ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଓ ସତ୍ୟବାଦୀରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଲୋକ ସେବକ ମଣ୍ଡଳ ରାଷ୍ଟ୍ରୀୟ ସଭାପତି ରାଜ କୁମାର ଓ ରାଷ୍ଟ୍ରୀୟ ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ ମହାନ ଦେଶ ସେବକ, ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ, ରାଷ୍ଟ୍ର ନାୟକ ତଥା ଦୈନିକ ‘ସମାଜ’ର ପ୍ରାଣ ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାସହିତ ସତ୍ୟବାଦୀ ଓ ସାକ୍ଷିଗୋପାଳରେ ଥିବା ଐତିହାସିକ ବକୁଳ ବନ ପରିସରରେ ପ୍ରତିଷ୍ଠିତ ଉତ୍କଳମଣିଙ୍କ ସମାଧି ପୀଠରେ  ମାଲ୍ୟାର୍ପଣ କରିଥିଲେ। ସତ୍ୟବାଦୀ ଯୁଗର ପଞ୍ଚସଖା ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସମାଧି ପୀଠରେ ମଧ୍ୟ ଶ୍ରୀ ରାଜ କୁମାର ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ଉତ୍କଳମଣି ଓ ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ଦ୍ୱାରା ୧୯୦୯ ମସିହାରେ ପ୍ରତିଷ୍ଠିତ ଐତିହାସିକ ବନ ବିଦ୍ୟାଳୟର ସ୍ୱାଧୀନତା ପରବର୍ତ୍ତୀ ଅନୁଷ୍ଠାନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ୧୯୦୯ ମସିହାରେ ପ୍ରତିଷ୍ଠିତ ଓ ସଂରକ୍ଷିତ ହୋଇ ରହିଥିବା ଉତ୍କଳମଣିଙ୍କ ତତ୍କାଳୀନ ସମୟରେ ନିର୍ମିତ ଚାଳ ଛପର ଛାତ୍ରାବାସ ପରିଦର୍ଶନ କରିଥିଲେ। ବିଦ୍ୟାଳୟ ପରିସରରେ ଉତ୍କଳମଣି ଓ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ସତ୍ୟବାଦୀ ବ୍ଲକ ସ୍ତରୀୟ କବାଡି ପ୍ରତିଯୋଗିତାର କ୍ରୀଡା ପତାକା ଉତ୍ତୋଳନ କରିଥିଲେ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ରାଜ କୁମାର।

prayash

ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ରାଜ କୁମାର ଯୋଗଦେଇଥିଲେ। ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।
ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ରାଜ କୁମାର କହିଥିଲେ ଯେ ଲୋକ ସେବକ ମଣ୍ଡଳ ସତ୍ୟବାଦୀର ଏହି ପୁଣ୍ୟ ମାଟିରେ ଉତ୍କଳମଣିଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇ ସାରା ଭାରତ ବର୍ଷରେ ସେବା କାର୍ଯ୍ୟ ନିର୍ବାହ କରି ଆସୁଅଛି। ଲୋକ ସେବକ ମଣ୍ଡଳର କାର୍ଯ୍ୟାଧାରା ଉପରେ ଯତ୍ନବାନ ହୋଇ ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଉଚିତ। ଯାହା ଫଳରେ ଉତ୍କଳମଣିଙ୍କ ପ୍ରତି ଏହା ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ଆଜିର ଜନସାଧାରଣ ଓ ଯୁବସମାଜ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନ ଦର୍ଶନରେ ଅନୁପ୍ରାଣିତ ହୋଇ ସମାଜର ସେବାରେ ନିୟୋଜିତ ହେବାକୁ ସେ ଆହ୍ବାନ ଦେଇଥିଲେ।

ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡକ୍ଟର ପ୍ରଭାସ ଆଚାର୍ଯ୍ୟ କହିଥିଲେ, ଉତ୍କଳମଣିଙ୍କ ହାତଗଢା ମଣିଷ ତିଆରି କାରଖାନାରେ ଆଜି ଯେଉଁ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି ଓ ଯେଉଁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଶିକ୍ଷା ଦାନ କରୁଛନ୍ତି ସେମାନେ ବାସ୍ତବରେ ଭାଗ୍ୟବାନ ଓ ଏଥି ନିମନ୍ତେ ଗର୍ବ କରିବା ଆବଶ୍ୟକ l ଉତ୍କଳମଣିଙ୍କ ଆଦର୍ଶରେ ବ୍ରତୀ ହୋଇ କାର୍ଯ୍ୟ କରିବା ନିମନ୍ତେ ସମସ୍ତଙ୍କୁ ସେ ପରାମର୍ଶ ଦେଇଥିଲେ।

ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଲକ୍ଷ୍ମୀ ପ୍ରସାଦ ପାଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କ୍ରୀଡା ଶିକ୍ଷକ ସୂଚିତ୍ର ଖଟୋଇ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିଟନେସ ଟ୍ରେନର ମହେଶ ମଲ୍ଲ ଓ ଅରବିନ୍ଦ ଚୋପ୍ରା ଉପସ୍ଥିତ ଥିଲେ।

Comments are closed.