କିଡନୀ ପ୍ରପିଡୀତ ଗାଁ ପରିଦର୍ଶନ କଲେ ଜିଲ୍ଲାପାଳ, ପରୀକ୍ଷା ପାଇଁ ସଂଗ୍ରହହେଲା ନଳକୂପ ପାଣି ନମୁନା
ହରଭଙ୍ଗା: ନରସିଂହପୁର,ନୂଆପଡା ପରେ କିଡନୀ ରୋଗୀଙ୍କ ନୂଆ ଠିକଣା ହୋଇଛି ବୌଦ୍ଧ ଜିଲାର ହରଭଙ୍ଗା ବ୍ଲକ। ସଂପ୍ରତି ବ୍ଲକ ଅଞ୍ଚଳରେ କିଡନୀ ରୋଗ ମହାମାରୀ ରୂପ ଧାରଣ କରିଛି। ରୋଗର କାରଣ ନିରାକରଣ ଏବଂ ପ୍ରତିକାର ଦିଗରେ ସେଭଳି କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଯାହା ଫଳରେ ଏହି ମାରାତ୍ମକ ବେମାରୀ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ, ଖଟିଖିଆ ଦିନ ମଜୁରୀଆ ପରିବାର ଉପରେ ଦାଉ ସାଜିଛି। ରୋଗ ଚିହ୍ନଟ ପୂର୍ବରୁ ଗରିବ ଶ୍ରେଣୀର ରୋଗୀଟିଏ ଉପଯୁକ୍ତ ଚିକିତ୍ସା ନ ପାଇ ପ୍ରାଣ ହରାଉଥିବା ଦେଖିବାକୁ ମିଳିଛି। ଦିନକୁ ଦିନ ଜିଲାରେ କିଡନୀ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଥିବା ଜଣାପଡିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ବୌଦ୍ଧ ଜିଲାପାଳ ନୃସିଂହଚରଣ ସ୍ୱାଇଁଙ୍କ ନେତୃତ୍ୱରେ ଏକ ୧୦ଜଣିଆ ଟିମ ହରଭଙ୍ଗା ବ୍ଲକର ଧଳପୁର, ଜବଲପୁର, ଚନ୍ଦ୍ରଶେଖରପୁର, ଶଙ୍କୁଲେଇ, ବିଶିପାଲ୍ଲୀ, ଖରଭୁଇଁ, ଛତ୍ରଙ୍ଗ ଏବଂ କରଞ୍ଜକଟା ଭଳି ୯ଟି କିଡନୀ ପ୍ରଭାବିତ ଗାଁ ବୁଲିବା ସହିତ ଆକ୍ରାନ୍ତ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଥିଲେ। ଏହା ସହିତ କିଡନୀ ଆକ୍ରାନ୍ତରେ ଗାଁରେ କେତେଜଣଙ୍କ ମୃତ୍ୟୁ ଘଟିଛି ଏହାର ତଦନ୍ତ କରିବା ସହିତ ସବୁ ଗାଁରେଥିବା ନଳକୂପ ପାଣିର ନମୁନା ସଂଗ୍ରହ କରିଥିଲେ। ରୋଗର କାରଣ ଏବଂ ନିରାକରଣ ଦିଗରେ ପ୍ରଶାସନିକ ଟିମ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା ସହିତ ପ୍ରଭାବିତ ଗାଁ ଗୁଡିକରେ କମ୍ୟୁନିଟି ଆକୁଆଗାର୍ଡ ଲଗାଇବା ବ୍ୟବସ୍ଥା କରାଯିବା ପାଇଁ ଜିଲାପାଳ ସୂଚନା ଦେଇଥିଲେ। ଅନ୍ୟପଟେ କିଡନୀମୁକ୍ତ ଅଞ୍ଚଳ ପାଇଁ ଜିଲାପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡିଛି। ଆଜିର ଏହି ପରିଦର୍ଶନ ସମୟରେ ଜିଲାପାଳଙ୍କ ସହିତ ବୌଦ୍ଧ ସିଡିଏମଓ କୃଷ୍ଣଚନ୍ଦ୍ର ମିଶ୍ର, ଏଡିଏମଓ ଡାକ୍ତର ସଂଘମିତ୍ରା ପଣ୍ଡା, ଡିପିଏମ ରୁପକ କୁମାର ମହାପାତ୍ର, ଜିଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରବିନାରାୟଣ ତ୍ରୀପାଠି, ବୌଦ୍ଧ ଜଳ ଓ ପରିମଳ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ସମେତ ଅନେକ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ କିଡନୀ ପ୍ରପିଡୀତ ନାଗରିକ କମିଟି ଆବାହାକ ବିକାଶ କୁମାର ମହାକୁଳ ପ୍ରମୁଖ ସାମିଲ ଥିଲେ।
ସୂଚନା ଥାଉ କି ବର୍ତମାନ ସୁଦ୍ଧା ବ୍ଲକରେ କିଡନୀ ରୋଗରେ ୨୭୦ରୁ ଅଧିକ ରୋଗୀଙ୍କ ମୃତ୍ୟୁବରଣ ହୋଇଥିବା ବେଳେ ୨୫୦ରୁ ଅଧିକ ରୋଗୀ ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ଥିବା କୁହାଯାଉଛି। ବିଶେଷକରି ବ୍ଲକର ୭ଟି ପଞ୍ଚାୟତରେ ୨୪ଟି ଗ୍ରାମରେ ଏହି ରୋଗରେ ଅଧିକ ସଂଖ୍ୟକ ଲୋକ ଆକ୍ରାନ୍ତ ଥିବା କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକରେ କିଡନୀ ନାଗରିକ କମିଟି ଆବାହାକ ବିକାଶ ମହାକୁଡ ରୋଗୀଙ୍କୁ ୧୦ଦିନ ବଦଳରେ ୩୦ଦିନର ମାଗଣା ଔଷଧ ଦେବା ସହିତ ପ୍ରବାବିତ ଗାଁରେ ଆକୁଆଗାର୍ଡ ଲଗାଇବାକୁ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ସହିତ ପ୍ରତି ମାସରେ ଥରେ ଏଠାକାର କିଡକୀ ଆକ୍ରାନ୍ତଙ୍କ ରୋଗୀଙ୍କୁ ମୁଖ୍ୟ ଚିକିତ୍ସାଳୟରେ କିଡନୀ ବିଶେଷଜ୍ଞ ଡାକ୍ତର ଚିକିତ୍ସା ପାଇଁ ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ।
Comments are closed.