୧୦ଟନ୍ ଗୋମାଂସ ସହ ଟ୍ରକ ଜବତ, ଦୁଇ ଗିରଫ
ଆଠଗଡ : ଆଠଗଡ ପୁଲିସ ବୁଧବାର ବିଳମ୍ବିତ ରାତ୍ରିରେ ପେଟ୍ରୋଲିଂ କରୁଥିବା ସମୟରେ ତିଗିରିଆ କରଡାପଲ୍ଲୀ ଗ୍ରାମରୁ ଏକ ଟ୍ରକରେ ଗୋମାଂସ ଚାଲାଣ ହେଉଥିବା ସୂଚନା ପାଇଥିଲେ । ପୁଲିସ ଆଇଆଇସି ଅନିରୁଦ୍ଧ ମୁଦୁଲି ଅନ୍ୟ ଅଧିକାରୀଙ୍କ ସହ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଇଚ୍ଛାପୁର ଛକଠାରେ ଜଗିରହିଥିବା ବେଳେ ପ୍ରାୟ ରାତି ୨.୪୫ମିନିଟରେ ତିଗିରିଆରୁ ଗୋଡିଝରିଆ ରାସ୍ତା ଦେଇ ଆସୁଥିବା ଏକ ଆଇଚର ଟ୍ରକକୁ ଅଟକାଇ ଯାଞ୍ଚ କରିବା ସମୟରେ ସେଥିରେ ସଦ୍ୟ କଟାଯାଇଥିବା ଗୋମାଂସ ପ୍ୟାକେଟ ବୋଝେଇ ହୋଇଥିବା ଦେଖିବାକୁ ପାଇଥିଲେ। ଦ୍ରୁତଗତିରେ ଆସୁଥିବା ଟ୍ରକ ମଧ୍ୟରେ ପ୍ରାୟ ୧୦ଟନ ଓଜନର ଗୋମାଂସ ରହିଥିଲା। ପୁଲିସ ଉକ୍ତ ଆଇଚର ଟ୍ରକଟିକୁ ଗୋମାଂସ ସହିତ ଜବତ କରିବା ସହ ସେଥିରେ ଥିବା ଗାଡିର ଚାଳକ ମହାରାଷ୍ଟ୍ର ପଞ୍ଜାରୀୱାଡିର ମୌଲାରୀ ନଦଫ ଓ ଖଲାସି ସେହି ଅଞ୍ଚଳର ସେକ୍ ହସନ ନବିସାହାବଙ୍କୁ ଗିରଫ କରିଥିବା ଜଣାପଡିଛି।
ଆଠଗଡ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଜବତ ଗୋମାଂସକୁ ମାଜିଷ୍ଟ୍ରେଟ ତଥା ତହସିଲଦାର ପ୍ରିୟବ୍ରତ ଦାସଙ୍କ ଉପସ୍ଥିତିରେ ଖୁଣ୍ଟୁଣୀ ନିକଟବର୍ତ୍ତୀ ସଂରକ୍ଷିତ ଜଙ୍ଗଲରେ ଗାତ ଖୋଳି ପୋତି ଦିଆଯାଇଥିବା ଆଇଆଇସି ଶ୍ରୀ ମୁଦୁଲିଙ୍କ ସୁତ୍ରରୁ ପ୍ରକାଶ। ଉପନିରୀକ୍ଷକ ବିଶ୍ୱଜିତ୍ ଜେନା, ଜନ୍ମିତା ସାସମଲ, ସହକାରୀ ଉପନିରୀକ୍ଷକ ରାଧାନାଥ ରାଉତ ଓ ସତ୍ୟପ୍ରିୟ ବରାଳଙ୍କ ସମେତ ବହୁ ପୁଲିସ କର୍ମଚାରୀ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ। ଆଠଗଡ ଉପଖଣ୍ଡ ବିଶେଷକରି ତିଗିରିଆ ଅଞ୍ଚଳରୁ ନିୟମିତ ମାସକୁ ପ୍ରାୟ ୧୦ରୁ ୧୫ଟ୍ରକ ବୋଝେଇ ଗୋମାଂସ ଚାଲାଣ ହେଉଥିବାବେଳେ ତିଗିରିଆ ଓ ବଡମ୍ବା ପୁଲିସ ଏଥିପ୍ରତି ଆଖି ବୁଜିଦେଇଛନ୍ତି ବୋଲି ଅଭିଯୋଗ ହେଉଛି । ପୁଲିସ କେବଳ ଧର୍ମକୁ ଆଖିଠାର ମାରିଲା ପରି ମଝିରେ ମଝିରେ ଗୋଟିଏ ଗୋମାଂସ ବୋଝେଇ ଗାଡି ଜବତ କରିଦେଇ ବସି ଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
Comments are closed.