www.samajalive.in
Monday, December 15, 2025
24.1 C
Bhubaneswar

ମୁଖ୍ୟରାସ୍ତାରେ ମଦଭାଟି, ଗାଁ ଗାଁରେ ଦେଶୀମଦର ବନ୍ୟା

ଲାଞ୍ଜିଗଡ଼: ଅଧିକ ପରିମାଣର ରାଜସ୍ବ ମିଳୁଛି ବୋଲି ସରକାର ଦେଶୀ ମଦଭାଟିଗୁଡ଼ିକ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ସରକାର ଡାଳେଡାଳେ ଗଲେ ପତ୍ରେପତ୍ରେ ଯାଉଛନ୍ତି ଏଇ ସ୍ବୀକୃତିପ୍ରାପ୍ତ ମଦଭାଟିଗୁଡ଼ିକର ମାଲିକମାନେ। ଏହିପରି ଭାବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ସିକେରକୁପାଠାରୁ କଦମ୍ବଗୁଡ଼ା ଭାୟା ନର୍ଲା ମୁଖ୍ୟରାସ୍ତାର ଲାଞ୍ଜିଗଡ଼ରୋଡ଼ଠାରେ ଦୀର୍ଘ ଦିନରୁ ଆସ୍ଥାନ ଜମାଇଥିବା ଦେଶୀ ମଦଭାଟିକୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସିଛି। ମୁଖ୍ୟ ରାସ୍ତାକୁ ଲାଗିଥିବା ଏହି ଦେଶୀ ମଦଭାଟିରେ ସକାଳୁ ବିଳମ୍ବିତ ରାତିଯାଏଁ ମଦୁଆଙ୍କ ଭିଡ଼ ଲାଗିରହିଥାଏ। ସେହିପରି ମୁଖ୍ୟ ରାସ୍ତାକୁ ଲାଗି ରହିଥିବା ଏହି ଭାଟିର ୪ଶହ ମିଟର ଦୂରରେ ଲାଞ୍ଜିଗଡ଼ରୋଡ଼ ଜୁନିୟର କଲେଜ ଥିବାବେଳେ ଏହି ରାସ୍ତା ଦେଇ ଯାଉଥିବା ଛାତ୍ରଛାତ୍ରୀ ବିଶେଷ କରି ଛାତ୍ରୀମାନେ ମଦୁଆମାନଙ୍କ ଦୌରାତ୍ମ୍ୟର ଶିକାର ହୋଇଥାନ୍ତି।

ସେହିପରି ଲାଞ୍ଜିଗଡ଼ରୋଡ଼ ଅଞ୍ଚଳର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାବେଳେ ଏହି ରାସ୍ତା ଦେଇ ଶହଶହ ଯାନବାହନ ଓ ଲୋକେ ଯାତାୟତ କରିଥାନ୍ତି। ତେବେ କାକଭଟା ଗାଁ ନାମରେ ଲାଇସେନ୍ସ ହାତେଇଥିବା ଏହି ମଦଭାଟି ଲାଇସେନ୍ସ ପରିମାଣରୁ ଅଧିକ ମଦ ତିଆରି କରି ଗାଁ ଗାଁରେ କୁଚିଆ ନିଯୁକ୍ତି କରିଛି। ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସମେତ ଆଖପାଖ କଦମ୍ବଗୁଡ଼ା, ଭୁର୍ଟିଗଡ଼, କମର୍ଦ୍ଧା, ଗୋବର୍ଦ୍ଧନପୁର ପଞ୍ଚାୟତର ଗାଁ ଗାଁରେ କୁଚିଆ ରଖି ଦେଶୀମଦର ପ୍ରସାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ଏହି ମଦଭାଟି। ନିୟମାନୁସାରେ, ନିଜ ଭାଟିରେ ମଦ ପ୍ରସ୍ତୁତି ସହିତ ସେଠାରେ ବିକ୍ରି କରିବା ବଦଳରେ ଗାଁ ଗାଁକୁ ମଦକୋଠୀ ଖୋଲାଯାଇଛି। ସେହିପରି ମଦ ତିଆରିରେ ଠିକ୍ ଭାଗମାପ ରଖୁ ନ ଥିବାରୁ ଏଠାରେ ମଦ ପିଉଥିବା ଲୋକେ ଅଭିଯୋଗ କରୁଥିବାବେଳେ ଏଠାରେ ପ୍ରସ୍ତୁତ ମଦ ପାଉଚଗୁଡିକରେ ନା ପ୍ରସ୍ତୁତି ତାରିଖ, ନା ରହିଛି ଏକ୍ସପାଏରୀ ତାରିଖ। ଯାହା ନିମ୍ନମାନର ଓ ନକଲି ମଦର ପ୍ରସାର ସନ୍ଦେହ ସୃଷ୍ଟି କରୁଥିବାବେଳେ ଗ୍ରାହକମାନେ ବିଭିନ୍ନ ରୋଗରେ ପଡ଼ି ହଇରାଣ ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ମୁଖ୍ୟ ରାସ୍ତାକୁ ଲାଗି ଥିବା ଏଇ ମଦଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ, ଅବକାରୀ ବିଭାଗ ଆଖିବୁଜି ଦେଇଛନ୍ତି। ଏହି ଭାଟି ଅଧୀନରେ ମଧୁପୁର ଓ କମର୍ଦ୍ଧାଠାରେ ଦୁଇଗୋଟି ବ୍ରାଞ୍ଚ ରହିଥିବାବେଳେ କମର୍ଦ୍ଧା ବ୍ରାଞ୍ଚ ଜନବସତି ମଧ୍ୟରେ ଥିବାରୁ ସବୁବେଳେ ଜନ ଅଶାନ୍ତି ଲାଗି ରହିଥାଏ। ସେହିପରି ଚମ୍ପାଦେଇପୁର, ମୁଷାନାଳ ଓ ଲାଞ୍ଜିଗଡ଼ଠାରେ ଥିବା ଦେଶୀମଦ ଭାଟିଗୁଡ଼ିକୁ ନେଇ ମଧ୍ୟ ସମାନ ଧରଣର ଅଭିଯୋଗ ରହିଛି। ତେବେ ଅବକାରୀ ବିଭାଗର ଅବହେଳା ଓ ନିରବତା ଯୋଗୁଁ ଲାଇସେନ୍ସ ଆଳରେ ଏହି ମଦଭାଟିଗୁଡ଼ିକ ଗାଁ ଗାଁରେ ଦେଶୀମଦର ପ୍ରସାର କରୁଛନ୍ତି। ଏଣୁ ଅବକାରୀ ବିଭାଗ ଯଦି ଏହି ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟି ଓ ବ୍ରାଞ୍ଚଗୁଡ଼ିକରେ ଚାଲିଥିବା ବେଆଇନ କାରବାର ଉପରେ ଅଙ୍କୁଶ ନ ଲଗାଇଲେ ଆଗାମୀ ଦିନରେ ମୁଖ୍ୟ ରାସ୍ତା ଉପରେ ଥିବା ଲାଞ୍ଜିଗଡ଼ରୋଡ଼ ମଦଭାଟି ସମେତ ଅନ୍ୟ ଭାଟିଗୁଡ଼ିକ ଘେରାଉ କରିବାକୁ ବିଭିନ୍ନ ମହିଳା ସଂଗଠନ ଓ ସାମାଜିକ ସଂଗଠନଗୁଡ଼ିକ ଚେତାବନୀ ଦେଇଛନ୍ତି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories