www.samajalive.in
Monday, December 8, 2025
14.1 C
Bhubaneswar

ଉଜ୍ଜୟିନ୍‌ର ଅମାନବୀୟ ଘଟଣାରେ ଅଟୋଚାଳକ ଗିରଫ

ଉଜ୍ଜୟିନ୍‌ : ମଧ୍ୟପ୍ରଦେଶର ଉଜ୍ଜୟିନ୍‌ ନିକଟରେ ଘଟିଥିବା ଲୋମହର୍ଷଣକାରୀ ନାବାଳିକା ବଳାତ୍କାର ଘଟଣାରେ ପୁଲିସ ଜଣେ ଅଟୋଚାଳକକୁ ଗିରଫ କରିଥିବାବେଳେ ଅନ୍ୟ ତିନି ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ଅନ୍ୟ ଜଣେ ଅଟୋଚାଳକ ଥିବା ପ୍ରକାଶ। ଗିରଫ ଅଟୋଚାଳକ ରାକେଶ (୩୮)ର ଅଟୋରିକ୍ସାରେ ରକ୍ତଛିଟା ଲାଗିଥିବା ପୁଲିସ ସନ୍ଧାନ କରିଛି। ନାବାଳିକା ରାସ୍ତାରେ ସାହାଯ୍ୟ ମାଗିଥିବା ୫ ଜଣଙ୍କୁ ମଧ୍ୟ ପୁଲିସ ଠାବ କରି ପଚରାଉଚୁରା ପାଇଁ ଆଣିଛି। ପୀଡ଼ିତା ୧୨ ବର୍ଷିଆ ନାବାଳିକା ସାହାଯ୍ୟ ପାଇଁ ଦୀର୍ଘ ୮ କିଲୋମିଟର ଚାଲିଥିବା ପୁଲିସ କହିଛି। ଚିକିତ୍ସାଧୀନ ଥିବା ନାବାଳିକାର ପରିବାର ସହ ପୁଲିସ ଯୋଗାଯୋଗ କରିଛି। ଅପରପକ୍ଷରେ ଅଟକ ଥିବା ଅଭିଯୁକ୍ତ ଅଟୋଚାଳକ ଭରତ ସୋନୀ ପୁଲିସ ହାଜତରୁ ଖସିଯିବା ଉଦ୍ୟମ କରି ବିଫଳ ହୋଇଛି। ପୁଲିସ ତାକୁ ତଦନ୍ତ ପାଇଁ ଘଟଣାସ୍ଥଳକୁ ନେଇଥିବା ସମୟରେ ସେ ଖସିଯିବା ଉଦ୍ୟମ କରିଥିଲା; ତେବେ ପୁଲିସ ତାକୁ ଅକ୍ତିଆରକୁ ଆଣିଥିଲା।
ସୂଚନାନୁଯାୟୀ, ନାବାଳିକାର ଘର ଉଜ୍ଜୟିନ୍‌ଠାରୁ ପ୍ରାୟ ୭୦୦ କିଲୋମିଟର ଦୂର ସତ୍‌ନା ଜିଲାରେ। ଘରେ ତାର ଜେଜେ ବାପା ଓ ବଡ଼ ଭାଇ ଅଛନ୍ତି। ସେ ଅଷ୍ଟମ ଶ୍ରେଣୀ ଛାତ୍ରୀ। ସେ ସ୍କୁଲ ପୋଷାକରେ ରବିବାରଠାରୁ ନିଖୋଜ ଥିଲା। ପରିବାର ପକ୍ଷରୁ ଏ ନେଇ ପୁଲିସରେ ଖବର ଦିଆଯାଇଥିଲା। ସୋମବାର ସକାଳେ ଉଜ୍ଜୟିନ୍‌ଠାରେ ଦୁର୍ବୃତ୍ତମାନେ ତାକୁ ଏକୁଟିଆ ବୁଲୁଥିବା ଦେଖି ମନ୍ଦ ଉଦ୍ଦେଶ୍ୟ ଚରିତାର୍ଥ କରିଥିଲେ। ଜୀବନ ଖେରିଠାରୁ ତାକୁ ଅଟୋରେ ନେଇ ସେମାନେ କୌଣସି ଏକ ସ୍ଥାନରେ ବଳାତ୍କାର କରି ଛାଡ଼ି ଯାଇଥିଲେ। ଏହା ପରେ ସେ ଦୀର୍ଘ ସମୟ ଧରି ଚେତାଶୂନ୍ୟ ହୋଇପଡ଼ିଥିଲା। ଚେତା ଫେରିବା ପରେ ସାହାଯ୍ୟ ପାଇଁ ଘୂରି ବୁଲୁଥିଲା। ପ୍ରାୟ ୮ କିଲୋମିଟର ଆସିବାବେଳେ ରାସ୍ତାରେ ୭/୮ଜଣ ବ୍ୟକ୍ତି ସାମାନ୍ୟ ଆର୍ଥିକ ସହାୟତା କରିଥିଲେ। ଉଦ୍ଧାର ହେଲାବେଳକୁ ତା’ପାଖରେ ୧୨୦ ଟଙ୍କା ଥିଲା। ସେ ଏକ ଛିଣ୍ଡା ପୋଷାକ ପିନ୍ଧିଥିଲା ଏବଂ ଅର୍ଦ୍ଧଉଲଗ୍ନ ଥିଲା ବୋଲି ପୁଲିସ କହିଛି। ମହାକାଳ ଥାନା ଅନ୍ତର୍ଗତ ମୁରଲିପୁରାଠାରେ ଅତ୍ୟନ୍ତ ଭୟାତୁର ଅବସ୍ଥାରେ ବୁଲୁଥିବାବେଳେ ସିସିଟିଭି ଚିତ୍ରରେ ଏହା କଏଦ ହୋଇଥିଲା। ପରେ ବଦନଗର ରୋଡସ୍ଥିତ ଏକ ଆଶ୍ରମର ପୂଜକ ତାକୁ ସହାୟତାର ହାତ ବଢ଼ାଇଥିଲେ। ନାବାଳିକାକୁ ପୋଷାକ ଦେବା ସହ ପୁଲିସକୁ ଖବର ଦେଇଥିଲେ। ପ୍ରାୟ ଅଧ ଘଣ୍ଟା ପରେ ପୁଲିସ ଆସି ତାକୁ ଡାକ୍ତରଖାନା ନେଇଥିଲା।
ନାବାଳିକାକୁ ସହାୟତା କରିଥିବା ପୂଜକ ରାହୁଲ ଶର୍ମାଙ୍କ କହିବାନୁସାରେ ସୋମବାର ସକାଳ ପ୍ରାୟ ସାଢ଼େ ୯ଟାରେ ସେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ନାବାଳିକାକୁ ଦେଖିବା ପରେ କପଡ଼ା ଦେଇଥିଲେ ଓ ପୁଲିସକୁ ଫୋନ୍‌ କରିଥିଲେ। ସେତେବେଳେ ପୀଡ଼ିତା ଠିକ୍‌ ଭାବେ କଥା କହିପାରୁ ନଥିଲା। ଏତେ ଭୟଭୀତ ଥିଲା ଯେ ଯାହା ବି କହୁଥିଲା ବୁଝି ହେଉନଥିଲା। କେହି କିଛି ପଚାରିଲେ ଲୁଚି ଯାଉଥିଲା। ପୁଲିସ ତାକୁ ଡାକ୍ତରଖାନା ନେବା ସହ ମହାକାଳ ଥାନାରେ ଏତଲା ରୁଜୁ କରିଥିଲା। ଚେତା ଫେରିବା ପରେ ନାବାଳିକା ତା’ର ନାମ ଓ ଠିକଣା କହିଥିବା ପ୍ରକାଶ। ରାଜ୍ୟ ଗୃହମନ୍ତ୍ରୀଙ୍କ ନିର୍ଦେଶରେ ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଦଳ(ଏସ୍‌ଆଇଟି) ଗଠନ କରାଯାଇଛି। କଂଗ୍ରେସ ନେତା କମଳ ନାଥ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ପୀଡ଼ିତାକୁ ୧କୋଟି ଟଙ୍କା ସହାୟତା ପ୍ରଦାନ ସହ ଅଭିଯୁକ୍ତଙ୍କୁ କଠୋର ଦଣ୍ଡବିଧାନ ପାଇଁ ଦାବି କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories