ଛାମୁ ଯାହା ଦେଲେ ହରଷେ…

‘ହର୍ଷୋତ୍‌ଫୁଲ୍ଲ ଆଲିଙ୍ଗନ’ ଯେ କଣ୍ଟା ଫୋଡ଼ାଠୁ ବି କଷ୍ଟକର ହୋଇଥାଏ, ଆନ୍ତରିକତା ପ୍ରଲେପିତ ଏ ହସ ଓ ଆଲିଙ୍ଗନର ବିକଳତା ମନକୁ ଓ ଦିହକୁ ଦହି ପକାଏ। ଏ କଥା ମନ, ହୃଦୟ ଓ କର୍ମ ମଧ୍ୟରେ ପାର୍ଥକ୍ୟ ରହିଲେ ହିଁ ଘଟିଥାଏ। ‘ମଧୁ ତିଷ୍ଠତି ଜିହ୍ବାଗ୍ରେ, ହୃଦୟେ ତୁ ହଳାହଳମ୍‌’। ଏ ପ୍ରେ​‌େ​‌ମାଦୀପ୍ତ ମନକୁ ସ୍ବାର୍ଥ ହଳାହଳ ବିଷ କରିଦିଏ। ତେଣୁ ସ୍ବାର୍ଥ ବିଜଡ଼ିତ ମସ୍ତିଷ୍କର ହରଣ ଗୁଣନରେ ନିର୍ଦ୍ଧାରିତ, ନିର୍ଦେଶିତ  ଏ ହସ ଓ ଆଲିଙ୍ଗନ ପୂରା ଭଣ୍ଡାମି, ଭାଣ୍ଡାମି ଓ ଚକ୍ରାନ୍ତ ବିଜଡ଼ିତ ଏକ ଧୂର୍ତ୍ତ ମସ୍ତିଷ୍କର ଖେଳ। ହସ ଓ ଆଲିଙ୍ଗନ ସ୍ବତଃସ୍ଫୂର୍ତ୍ତ। ସରଳତା, ପ୍ରେମ ଓ ଅନ୍ତରଙ୍ଗତା ୟା’ର ସ୍ବାଦ ତଥା ଉପାଖ୍ୟାନ। ସ୍ତ୍ରୀ ସୁଖ ଦେବାକୁ, ବାରାଙ୍ଗନାର ସୁଖ ପ୍ରଦାନ ପ୍ରୟାସ କୁ କମ୍ ! ମାତ୍ର କାଇଁ ଉତ୍ସର୍ଗୀକୃତା, ସମର୍ପିତା ସ୍ତ୍ରୀ ବା ପ୍ରଣୟିନୀର ସେ ଅପାର୍ଥିବ ପ୍ରୀତି, ରୀତି, ତୃପ୍ତି ଓ ସ୍ବାଦ? ସେଇଥିପାଇଁ କୁହାଯାଇଛି, ‘ବେଶ୍ୟାନାଂ ଚ କୁତୋ ସ୍ନେହଃ’। ଆଜିର ଜନ୍ମଦିନ ପାଳନ ସ୍ବନକ୍ଷତ୍ର ନୁହଁ, କାରଣ ଶତକଡ଼ା ୯୯ ତ ଜାଣନ୍ତିନି ନିଜର ନକ୍ଷତ୍ର ଆଉ ‘ସ୍ବନକ୍ଷତ୍ର’କୁ ବୁଝିବେ କ’ଣ? ଛାଡ଼ନ୍ତୁ ଇୟେ ଆଜି ଲୋକଦେଖାଣିଆ ‘ହାପି ବାର୍ଥ ଡେ’ ହୋଇଯାଇଛି। ଆୟୋଜକମାନେ ବଜାରରେ ମିଳୁଥିବା ଭେଜ୍‌, ନନ୍‌ଭେଜ୍‌ କେକ୍‌ (ନିରାମିଷ, ଆମିଷ ପିଠା) ଆଣୁଛନ୍ତି। ତା’ ଉପରେ ସରୁ ଛୋଟ ମହମବତି ରଖାଯାଇ ତାକୁ ସେଦିନ ଜନମ ହୋଇଥିବା ଅଧାବୁଢ଼ା ସହ ଅନ୍ୟମାନେ ଫୁଙ୍କି ଲିଭାନ୍ତି। ସେ ସହଜେ ଲିଭେନି, ତାକୁ ଢ଼େର ଜୋରରେ ଫୁଙ୍କିବାକୁ  ହୁଏ। କହୁନା ଏଥିରେ  ଛେପସବୁ ସେ ବିଦେଶୀ ଢ଼ାଞ୍ଚାର ପିଠାରେ ପଡ଼ୁଥିବ ନା ନାହିଁ ମ ! ହଁ ମ ପଡ଼ୁ। ୟେ ତ ‘ଗ୍ଲୋବାଲ’ ପ୍ରେମ, ଅନ୍ତରଙ୍ଗତା। ଏଥିରେ ଏତେ ଛେନାରୁ ଚୋପାଛଡ଼ା କ’ଣ? ୟେ ‘ମିନ’ (ଛୋଟ ହୃଦୟ)ଗୁଡ଼ାଙ୍କ କଥା; ମାତ୍ର ବୋଉର ଜନ୍ମ ଦିନ ବନ୍ଦାପନା, ତା’ ହୁଳହୁଳି, ତା’ ହାତ ତିଆରି ଅଦାମୀ ନଡ଼ିଆଗୁଡ଼ର ‘ହାତପିଠା’, ଯିଏ ଖାଇଛି ସେ କହୁ, ତା’ ପାସଙ୍ଗରେ ଏ  ଦାମୀପିଠା କି ‘ହାପି ବାର୍ଥ ଡେ’ର  ଅଲଜା କେକ୍‌ ଯତି ପଡ଼ିବ ତ! ଆଉ ଯାହା ପ୍ରାଣରେ ବନ୍ଧୁ ପାଇଁ ପ୍ରୀତି ସାଗର ଲହଡ଼ି ଭାଙ୍ଗୁଥିବ ତା’ ଆଚରଣ ଏଙ୍କଠୁ ଭିନ୍ନ ନିଆରା ହେବା ଅଲବତ୍‌। ତା’ର ବିପୁଳ ଉଦାହରଣ ଦେବା ପରିସର ଏଠି ନାହିଁ। ଦେଖୁନା ଛୋଟ କଥାଟେ। ଇଏ ପୁଣି ଇତିହାସର କଥାଟେ। ଛତ୍ରପତି ଶିବାଜି ଓ ମୋଗଲ ସେନାପତି ଆଫଜଲ ଖାଁଙ୍କ ମଧ୍ୟରେ ସନ୍ଧି ହେଲା। ଆଉ ପରସ୍ପର ଲଢ଼ିବେନି। ମହାପ୍ରସାଦ ବନ୍ଧୁ ବନିଗଲେ ଜାଣ। ମାତ୍ର ଚିର ଅବିଶ୍ବାସୀ ଏ ମୋଗଲ ଶାସକଙ୍କ ହୃଦୟରେ ସତ୍ୟନିଷ୍ଠତା, ସରଳ ଆନ୍ତରିକତା ଥିଲା କାଇଁ? ଦୁହେଁ ଦୁହିଁଙ୍କି  ଯେଉଁଠି ଭେଟିବେ, କେହି ସୈନ୍ୟସାମନ୍ତ ନ ଥିବେ। ୟା’ର ସୁଯୋଗ  ଆଫଜଲ ଖାଁ ନେବାକୁ ନିଜ ପୋଷାକ ତଳେ କୃପାଣ ନେଇ ଯାଇଥିଲେ। ଛତ୍ରପତି ଶିବାଜି ମଧ୍ୟ ନିର୍ମଳ ହୃଦୟରେ ଏଙ୍କୁ ଭେଟିବାକୁ ପ୍ରସ୍ତୁତ ହେଉଥିବାବେଳେ ତାଙ୍କ ମନ  ଗୁରେଇତୁରେଇ ହେଉଥାଏ। ତାଙ୍କୁ କାହିଁକି କେଜାଣି ଛନ୍‌କା ଲାଗୁଥାଏ। ଆନ୍ତରିକ ମିଳନର ଉଲ୍ଲାସ ତାଙ୍କ ଫାଦା ମାଡ଼ି ପାରୁନଥାଏ। ସେପଟେ ପୋଷାକ ତଳେ ଛୁରି ରଖି ଏଙ୍କୁ ମାରିବାକୁ ପ୍ରସ୍ତୁତିରେ ଥିବା ଏ ମୁସଲମାନ ଆଗନ୍ତୁକଙ୍କ ପାଇଁ ଏଙ୍କ ହୃଦୟରେ ଉଲ୍ଲାସ ଓ ଅଭିନନ୍ଦନ ଭାବ ଜାଗିବ କେମିତି? ୟେ ହେଲା  ‘ମନ ବା ହୃଦୟର ଗୋପନ ଆକର୍ଷଣ’। ଯାହାକୁ ଇଂରାଜୀରେ ଆମେ ‘ଟେଲିପାଥି’ କହୁଛେ। ତେଣୁ ଶିବାଜି ମଧ୍ୟ ତାଙ୍କ ପଞ୍ଜାବି ପାକିଟିରେ ବିଷାକ୍ତ ‘ବାଘନଖି’ ଅସ୍ତ୍ର ଲୁଚାଇ ରଖିଥିଲେ। ଦିହିଁଙ୍କ ହୃଦୟରେ ଜଳୁଥିବା ଜିଙ୍ଘାସାର ଏ  ଅଗ୍ନି କି ପରିଣତି ସୃଷ୍ଟିକଲା ତା’ ତ ଇତିହାସର କଥା। ମହାତ୍ମାର ଓ ଯୁଦ୍ଧ ବିଶାରଦର ଦକ୍ଷତା ଓ ଲକ୍ଷଣ ଥିବା ଆଜାନୁଲମ୍ବିତ ବାହୁର ଏ ମରହଟ୍ଟା ବୀରଙ୍କୁ ପ୍ରଥମେ ଆଫଜଲଙ୍କ ଆକ୍ରମଣ ଆରମ୍ଭ ମାତ୍ରେ ବାଘନଖି ଅସ୍ତ୍ରରେ ତା’ର ତତ୍‌କ୍ଷଣାତ୍‌ ମୃତ୍ୟୁ ହୋଇଗଲା। ଛାଡ଼ନ୍ତୁ ସେ ସବୁ ଭିନ୍ନ ପ୍ରସଙ୍ଗର କଥା। ତମେ ଯେତେ ଯାହା ଭେଳିକି ଖେଳ ପଛେ, ଯେତେ ଅଭିନୟ କର ପଛେ, ଭିତର ବାସ୍ନାକୁ ଢାଙ୍କି ପାରିବନି କି ତେଢ଼ି ପାରିବନି। ଶରୀର ବା ଦୂରତ୍ବ, ମନ ମନ ମଧ୍ୟରେ ଥିବା ଆକର୍ଷଣ ବା ପ୍ରତିକ୍ରିୟାଜନିତ ପ୍ରାକୃତିକ ବ୍ୟବସ୍ଥା ଲଂଘି ପାରିବନି, ଭାଙ୍ଗିପାରିବନି। କବି ତ ଲେଖିଲେ, ‘ଦୂରେ ଥିଲେ ପାଶେ ଥିବା ପରି ଥିବୁ ଘେନି, କେତେ ଦୂରେ ଚନ୍ଦ୍ର କେତେ ଦୂରେ କୁମୁଦିନୀ ପ୍ରୀତି ଅଭେଦ ତାଙ୍କର, ଯେତେ ଦୂରେ ଥିଲେ ଯେ ଯାହାର ସେ ତାହାର।’ ରାମକୃଷ୍ଣ ପରମହଂସଙ୍କ ଦେହାନ୍ତ ଭାରତରେ ହେବାବେଳେ ବିବେକାନନ୍ଦ ଆମେରିକାରେ ଥିଲେ। ସେ ସମୁଦ୍ର କୂଳରେ ବୁଲୁଥିବାବେଳେ ହଠାତ୍‌ ଗୁରୁ ରାମକୃଷ୍ଣଙ୍କୁ ସମୁଦ୍ର ମଧ୍ୟରେ ଠିଆ ହୋଇଥିବା ଓ ତାଙ୍କୁ କହୁଥିବା ଶୁଣାଗଲା, ‘‘ବିବେକାନନ୍ଦ, ତମେ କ’ଣ ଏବେ ଭାରତ ଫେରିବନି?’’ ଚମକି ପଡ଼ିଲେ ସେ। ଭାରତ ଫେରିବା ଡାକରା ସେ ପାଇବା ଅନୁଭବ କଲେ। ପରେ ତାଙ୍କ ଦେହାନ୍ତ ଖବର ପାଇଲେ। ଇଏ ହେଲା ମନ ମଧ୍ୟରେ ଥିବା ଶକ୍ତି। ଯେଉଁ ଶକ୍ତି ବଳରେ ମହାକାଶ ବୈଜ୍ଞାନିକମାନେ ଚନ୍ଦ୍ରରେ ଥିବା ଲକ୍ଷ ଲକ୍ଷ ମାଇଲ ଦୂରର ବିକ୍ରମକୁ ନିର୍ଦେଶ ଦେଉଛନ୍ତି, ଏବେ ଉଠାଇବାକୁ ଉଦ୍ୟମ କରୁଛନ୍ତି, ସେହି ଶକ୍ତି ମଣିଷ ମନରେ ବି ଅଛି। ପ୍ରହ୍ଲାଦ, ଧ୍ରୁବଙ୍କ ଧ୍ୟାନ ତଥା, ଦ୍ରୌପଦୀଙ୍କ ଡାକଶୁଣି କୃଷ୍ଣ ତାଙ୍କ ମାନ ରକ୍ଷା କରିଥିବା କଥା ପୁରାଣ ବର୍ଣ୍ଣିତ। ଆମେ ସିନା ଏକୁ ଗପ କହୁଛେ, ବିଶ୍ବର ବିଶିଷ୍ଟ ବୈଜ୍ଞାନିକମାନେ ଏହାର ବୈଜ୍ଞାନିକ ଶକ୍ତିକୁ ବିଶ୍ବାସ କରନ୍ତି।

ସ୍ବଚ୍ଛ ବ୍ରହ୍ମଚାରୀ ଶାସକେ, ଭୋଟରେ, ଜନତା, ନେତା ବି ସ୍ବଚ୍ଛ। ତେବେ ‘ନାରୀ’ ଏବେ ଅରିମୟ ହେଉଛି କେମିତି? ଅସଦାଚରଣରେ କ୍ଷତାକ୍ତ ହେଉଛି କେମିତି? ‘ମାତୃବତ୍‌ ପରଦାରେଷୁ ପରଦ୍ରବ୍ୟେଷୁ ​‌େଲାଷ୍ଟ୍ରବତ୍‌’ ସହ ‘ନାର୍ଯ୍ୟଃ ଯତ୍ରତୁ ପୂଜ୍ୟନ୍ତେ ତତ୍ର ତିଷ୍ଠାମି ନାରଦ।’ ନାରୀ ଯେଉଁଠି ସମ୍ମାନିତା, ପୂଜ୍ୟା ମୁଁ ସେଠି ଥାଏ ବୋଲି ଭଗବାନ ଏ ଦେଶବାସୀଙ୍କୁ କହିଲେ। ତେଣୁ ବିଶ୍ବରେ ‘ନାରୀ’କୁ ଏ ଦେଶ ସଂସ୍କାର ସଂସ୍କୃତି ଯେମିତି ସମ୍ମାନ ଦେଉଛି, ଯେମିତି ଭଲ ପାଉଛି ତା’ର ତୁଳନା ବିଶ୍ବରେ କାହିଁ? ‘ଲକ୍ଷ୍ମୀ’ତୁଲ୍ୟା ଏ ନାରୀର ଚଳଣି ପାଇଁ ଢେର ଅଙ୍କୁଶ ମଧ୍ୟ ଥିଲା, କର୍ପୂରକୁ ହେପାଜତରେ ରଖିଲା ପରି। ମାତ୍ର ନାରୀର ଏ ରକ୍ଷଣଶୀଳା ବ୍ୟବହାରକୁ ଗୁଡ଼େ​‌​‌େସ୍ତ୍ରୖଣ ନାରୀ ନିର୍ଯାତନାର ରୂପ ଦେଲେ। ଦେଖୁନା ରାଜଦାଣ୍ଡରେ ନାରୀଙ୍କ ବେଶପୋଷାକ। ଛାଡ଼ନ୍ତୁ ସେ ସବୁ କଥା। ତେବେ ନାରୀ ବିଷୟରେ ଏତେ ଜ୍ଞାନ ପାଇବା ପରେ ଓ ନେତାଙ୍କ ଭାଷଣବାଜି ପରେ ବି ‘ନାରୀ’ ନିରାପତ୍ତା କାଇଁ ସାର୍ବଜନୀନ ହୋଇପାରୁଛି? ତା’ର କାରଣ ଖୋଲମଖୋଲା। ଆରେ ମନ ଓ ଜ୍ଞାନ ଏକାକାର ନ ହେଲେ ଏ କଥା ଘଟେ। ଏ ସବୁ ଜ୍ଞାନ କୁହାଳିଆ। ଆଉ ଏ ଜ୍ଞାନ କୁହାଳିଆଙ୍କ ସଂଖ୍ୟା ରାଜନୀତିଆ ଓ ରାଜନୀତିରେ ସଲବଲ ହୋଇଯାଇଛି। ୟେ ଭଣ୍ଡତା, ଭାଣ୍ଡାମି। ସେଇଥିପାଇଁ ରାଜନୀତିରେ ଏତେ କଇଁଚି ପକା ଖେଳ। ଗୁଡ଼ି କଟାକଟି ତ ରାଜନୀତି।

ମନକୁ, ବିବେକକୁ, ବିଚାରକୁ ଥେଇ ଥେଇ କରି ଦେଉଥିବା ଆଜିର ପ୍ରସଙ୍ଗ ହେଲା, ‘ମହିଳାମାନଙ୍କ ସ୍ଥାନ ସଂରକ୍ଷଣ ଆଇନ’, ଏକୁ ‘ନା’ କହିବାର ଦାଢ଼ କି କାଢ଼ କାହାର ନାହିଁ। ସଭିଏଁ ସରକାରଙ୍କୁ ସମର୍ଥନ କରି ବିନା ବିରୋଧରେ ସର୍ବ ସମ୍ମତିକ୍ରମେ ଏହା ଆଇନରେ ପରିଣତ ହୋଇଗଲା। ଓଃ! ଜାତୀୟ ସ୍ବାର୍ଥ ପାଇଁ, କାଲି କାମୁଡ଼ାକାମୁଡ଼ି ହେଉଥିବା ଏ ମୁଣ୍ଡିଆଳମାନେ କେମିତି ଏକାଠି ହୋଇଗଲେ ମ!! ଆରେ ନାରୀ ଆଉ କବାଟ କଣରେ ନାହିଁ। କବାଟକୁ ଏବେ ନାରୀ କଣୁଆ କରୁଛି, କଣଠେସା କରୁଛି। ଘର କବାଟ ଏବେ ତାଙ୍କ ପାଇଁ ଠିଆମେଲା। ତେବେ ‘ମହିଳା ମହିଳା’ କହି, ଚିଲେଇ ଏମାନଙ୍କ ଭୋଟ ଆତେଇବାର ନାନା ସୂତ୍ର ଏ ରାଜନୀତିଆଙ୍କୁ ଜଣା। ସମସ୍ତେ କହିଲେ ଆମେ ନାରୀ ନେତୃତ୍ବ ଚାହୁଁ। ନରେନ୍ଦ୍ର ମୋଦୀ ତ ଖାଲି ମହିଳା ନୁହଁ; ଜଣେ ଆଦିବାସୀ ମହିଳାଙ୍କୁ ଦେଶର ରାଷ୍ଟ୍ରପତି ବନେଇ ଦେଇ ବିରୋଧିଆଙ୍କ ତୁଣ୍ଡରେ ଜାବ ପକେଇଦେଲେ। ଏ ଯେଉଁ ନାରୀ ଉତ୍‌ଥାନ ପ୍ରତିଯୋଗିତା ଚାଲିଛି, ସେଥିରେ ନବୀନବାବୁ ବି କମ୍‌ ଖିଲାଡ଼ି ନୁହନ୍ତି। ସେ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ବନେଇଦେଇ ନରେନ୍ଦ୍ରଙ୍କ ନାରୀ ଯାତ୍ରା ପଲଟଣରେ ବି ବେଶ୍‌ ନିଜସ୍ବ ପଲଟଣକୁ ଆଖିଦୃଷ୍ଟିଆ କରିଦେଲେ। ସେ ପ୍ରଥମ ମହିଳା ବାଚସ୍ପତି ହୋଇଛନ୍ତି। ନାରୀ ପାଇଁ ସର୍ବେ ତ ଏବେ ଆଗଭର, ଉତ୍କଣ୍ଠିତ, ଉଲ୍ଲସିତ। ତେବେ ରାଜ୍ୟରେ, ଦେଶରେ ନାରୀହତ୍ୟା, ଧର୍ଷଣ, ଛାଡ଼ପତ୍ର ଆଦି ହୁ ହୁ ବଢ଼ୁଛି କିଆଁ? ତା’ପରେ ଆସନ୍ନ ନିର୍ବାଚନ ପୂର୍ବରୁ ମୋଦିଜୀ ନାରୀ ସ୍ଥାନ ସଂରକ୍ଷଣ ବିଧେୟକ ଗୃହୀତ କରାଇ ବେଶ୍‌ ବାହାବାହା ନେଲେ। ମାତ୍ର, ‘ଛାମୁ ଯାହା ଦେଲେ ହରଷେ ତାକୁ ପାଉପାଉ ଗଲା ବରଷେ’ ସିନା କବି କହିଥିଲେ; ମାତ୍ର ନିର୍ବାଚିତ ଦେଶର ଏ ମଣିମାଙ୍କ ଦାନ ପାଇବାକୁ କେତେ ବରଷ ଯିବ କେଜାଣି? ଆସନ୍ତା ନିର୍ବାଚିତ ସରକାର ତ ନୁହଁ ତା’ ପର ସରକାର ଏକୁ କାର୍ଯ୍ୟକାରୀ କରିବେ। କିରେ, ତୁରନ୍ତ ଏକୁ କାର୍ଯ୍ୟକାରୀ ନ କରି ଏକୁ ଝୁଲେଇ ରଖିଲ କିଆଁ? ଏ କଥା କ’ଣ ବିରୋଧୀବାଲା ଜାଣନ୍ତିନି? ୟେ ଏକ ବିଚିତ୍ର ଆଇନ। ‘ସରଘର ଜିନିଷ’, ହାତ କି ମୁହଁ ମାରିବା ଏବେ ମନା। ତେବେ ମହିଳା ସଂରକ୍ଷଣ ଆଇନ ଯେ ନାହିଁ ତା ନୁହଁ, ୟେ ମା’ ପେଟରେ ଥିବା ପୁଅ ଭଳି ବେଶ୍‌ ବଢ଼ିଚାଲିବ। କଥା ତ ଅଛି, ‘ପୁଅ ନାହିଁ, ପୁଅ ପେଟରେ, ପୁଅର ମାମୁ ଖଡୁ ଗଢ଼ଉଚି, ବନମାଳୀପୁର ହାଟରେ।’ ଭୋଟର ମାମୁଏଙ୍କର ଖଡୁ ଗଢ଼ା ଚାଲୁ। ବୀଜ ତ ମାଟିରେ, ମନରେ କି ପେଟରେ ଏବେ ଥୟ। କେତେ କେମିତି ବଢ଼ୁଛି ଏ ଗଢ଼ା ଖଡୁକୁ କେତେ ଖାପ ଖୋଇବ ଦେଖାଯାଉ। ଜୟ ଜଗନ୍ନାଥ।

Comments are closed.