ଏ ଜୀବନଟା ଏକ ସପନ
ଡକ୍ଟର ବିବୁଧରଞ୍ଜନ
ଆମେ ଯାହାକୁ ଜୀବନ ବୋଲି କହୁଛେ ତା ପ୍ରକୃତରେ ଏକ ସ୍ୱପ୍ନ ଛଡ଼ା ଆଉ କିଛି ନୁହେଁ। ଏକଥା କେବଳ ଏକ ଦାର୍ଶନିକ ଦୃଷ୍ଟିଭଙ୍ଗୀରେ ମୁଁ କହୁନାହିଁ। ଏହା ହିଁ ସତ୍ୟ। ଆମେମାନେ ପ୍ରତ୍ୟେକ ରାତିରେ ଅଳ୍ପ ବହୁତ ସ୍ୱପ୍ନ ଦେଖିଥାଉ। ସ୍ୱପ୍ନରେ କେତେ କେତେ ବିଚିତ୍ର ଘଟଣାମାନ ଘଟିଯାଏ। କେତେ କେଉଁ ଆଡ଼େ ବୁଲିଥାଉ ଦୁଃଖରେ କାନ୍ଦିଥାଉ। ଆନନ୍ଦରେ ନାଚିଥାଉ। ସବୁକିଛି ସ୍ୱପ୍ନରେ। ସ୍ୱପ୍ନ ଦେଖୁଥିବା ଅବସ୍ଥାରେ ମଣିଷ ଜାଣୁନଥାଏ ଯେ ସେ ଶୋଇ ପଡ଼ିଛି ବୋଲି। ସ୍ୱପ୍ନ ତାକୁ ସତ୍ୟ ଭାବେ ପ୍ରତୀୟମାନ ହେଉଥାଏ। କିନ୍ତୁ ସକାଳ ହେବା ମାତ୍ରେ ନିଦ ତାର ଯେତେବେଳେ ଭାଙ୍ଗିଯାଏ ସେ ହୃଦୟଙ୍ଗମ କରେ ଯେ ଏଇ ଟିକକ ସମୟ ପୂର୍ବରୁ ଯାହା ସେ ସବୁ ସତ ବୋଲି ଭାବି ହସୁଥିଲା ବା କାନ୍ଦୁଥିଲା ସେ ସବୁ ଥିଲା ରାତିର ସ୍ୱପ୍ନ। ସ୍ୱପ୍ନରେ ସେ ଯେଉଁ ଦିଲ୍ଲୀ ସହରରେ ବୁଲୁଥିଲା ତା ମଧ୍ୟ ମିଛ। ସ୍ୱପ୍ନର ସମସ୍ତ ଚରିତ୍ର ନିଦ ଭାଙ୍ଗିଲା ବେଳକୁ କେଉଁଆଡ଼େ ଅନ୍ତର୍ହିତ ହୋଇ ଗଲେଣି। ଅବିକଳ ଏଇମିତି ଆମମାନଙ୍କ ଜୀବନ। ଜୀବନସାରା ମୋ ଘର, ମୋ ପରିବାର ବୋଲି କହି ଯେଉଁମାନଙ୍କୁ ପତ୍ନୀ, ପୁତ୍ର, କନ୍ୟା, ପିତାମାତା ଭାବରେ ଆବୋରି ବସିଥାଉ ସେମାନେ ପ୍ରତ୍ୟେକ ସମୟ ସ୍ରୋତରେ କେଉଁଆଡ଼େ ହଜି ଯାଆନ୍ତି। ଆମେ ନିଜେ ମଧ୍ୟ ହଜିଯାଉ। ସ୍ୱପ୍ନ ପରି ସବୁକିଛି ମିଳେଇ ଯାଏ। ସିନେମା ଘରର ଅନ୍ଧକାର ଭିତରେ ଚଳଚ୍ଚିତ୍ର ଦେଖିଲା ପରି- ହଲ ଭିତରେ ଆଲୋକ ଜଳି ଉଠିଲା ମାତ୍ରକେ ଧଳା ପରଦା ଉପରୁ ସବୁକିଛି ଅଦୃଶ୍ୟ ହୋଇଯାଏ। ଯେଉଁ କାହାଣୀକୁ ସତ ବୋଲି ଭାବି କିଛି ସମୟ ପୂର୍ବରୁ ଉତ୍ତେଜିତ ହେଉଥିଲୁ ହଲରୁ ପଦାକୁ ଆସିବା ମାତ୍ରକେ ତାହା ମିଛ ଜଣାପଡ଼େ। ଏ ଜୀବନଟା ଏଇମିତି।
ତେଣୁ ସତ୍ୟର ଦର୍ଶନ କେବଳ ସେ ହିଁ କରିପାରିବ ଯିଏ ମାନସିକ ସ୍ତରରେ ଶାନ୍ତ। ଆଉ ଶାନ୍ତ ହେବାର ପ୍ରଥମ ସୂତ୍ର ହେଲା ଯେଉଁ ଜୀବନକୁ ତୁମେ ସତ୍ୟ ବୋଲି ବୁଝିନେଇଛ ତାହାକୁ ସତ୍ୟ ବୋଲି ଆଦୌ ନଧରି ବରଂ ସ୍ୱପ୍ନଠାରୁ ଅଧିକ ଗୁରୁତ୍ୱ ନଦେବା। ଯେଉଁଦିନ ଏ ଜୀବନ ସ୍ୱପ୍ନ ବୋଲି ହୃଦ୍ବୋଧ ହୋଇଯିବ ସେହିଦିନ ହୃଦୟ ଶାନ୍ତ ହୋଇଯିବ। ଯେତେଦିନ ପର୍ଯ୍ୟନ୍ତ ଜୀବନ ସତ୍ୟ ଭାବେ ମାଲୁମ୍ ହେଉଥିବ ସେତେଦିନ ଯାଏ ଚିତ୍ତ ଶାନ୍ତ ତ ହେବ ନାହିଁ ବରଂ ଛୋଟ ଛୋଟ ଜିନିଷ ଆମକୁ ଜୀବନରେ ବହୁତ ମୂଲ୍ୟବାନ ମାଲୁମ୍ ହେଉଥିବ। ଆମେ ତ ରାତିର ସ୍ୱପ୍ନକୁ ସତ୍ୟ ବୋଲି ଭାବି ଅଶାନ୍ତ ହୋଇପଡ଼ୁ। ରାତିରେ ସ୍ୱପ୍ନରେ ମଣିଷ ଯଦି ଭୂତକୁ ଦେଖିନିଏ ତେବେ ନିଦ ତା’ର ଭାଙ୍ଗିଯାଏ। ଛାତି ଧଡ଼ଧଡ଼ ହୋଇ ଉଠେ। ଆଖି ଖୋଲି ଯାଇଥାଏ, ନିଦ ଭାଙ୍ଗି ଯାଇଥାଏ କିନ୍ତୁ ସେହି ସ୍ୱପ୍ନ ଏପରି ସତ ଭାବରେ ତେବେ ବି ଜଣା ପଡ଼ୁଥାଏ ଯେ ଛାତି ଧଡ଼ଧଡ଼ ହେଉଥାଏ। ଆଗରୁ କହିଛି ସିନେମା ଘର ଭିତରେ କେତେ ଲୋକ ରୁମାଲରେ ଆଖିରୁ ଲୁହ ପୋଛି ଥାଆନ୍ତି। କିନ୍ତୁ ପରଦା ଉପରେ କିଛି ନଥାଏ। କେବଳ ବିଦ୍ୟୁତ୍ର ତରଙ୍ଗ ବ୍ୟତୀତ। ଆମେ ନାଟକକୁ ମଧ୍ୟ ସତ ଭାବରେ ମାନି ନେଇଥାଉ। ତେଣୁ ସତ୍ୟର ଅନ୍ୱେଷଣର ପ୍ରଥମ ସୂତ୍ର ହେଲା ଯାହାକୁ ଆମେ ସତ୍ୟ ବୋଲି କହିଥାଉ ତାହାକୁ ନାଟକ ବୋଲି ଧରିନେବା। ଏପରି ହେଲେ ମଣିଷ ସତ୍ୟକୁ ଉପଲବ୍ଧ ହୋଇପାରିବ।
କଲିକତାରେ ଥିଲେ ଜଣେ ପ୍ରସିଦ୍ଧ ବିଚାରପତି। ନାମ ତାଙ୍କର ଥିଲା ଈଶ୍ୱରଚନ୍ଦ୍ର ବିଦ୍ୟାସାଗର। ଥରେ ସେ ଏକ ନାଟକ ଦେଖିବାକୁ ଯାଇଥିଲେ। ନାଟକରେ ଗୋଟିଏ ଖଳ ନାୟକର ଚରିତ୍ର ଥିଲା ଯିଏ କି ସବୁବେଳେ ନାଟକର ହିରୋଇନ୍ ଭୂମିକାରେ ଅଭିନୟ କରୁଥିବା ସ୍ତ୍ରୀ ଲୋକଟି ପଛରେ ପଡ଼ିଥାଏ। ଯାବତୀୟ ହଇରାଣ ହରକତ କରୁଥାଏ। ଶେଷରେ ଗୋଟିଏ ଦିନ ରାତ୍ରିରେ ସେହି ଖଳନାୟକ ସେହି ସ୍ତ୍ରୀ ଲୋକଟିର ଘର କାନ୍ଥ ଡେଇଁ ସ୍ତ୍ରୀକୁ କୁଣ୍ଢାଇ ଧରି ପକାଇଲା। ଏକଥା ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ସହ୍ୟ କରିବାର ସୀମା ଟପିଗଲା। କ୍ଷଣକ ପାଇଁ ସେ ଭୁଲିଗଲେ ଯେ ସେ ନାଟକ ଦେଖୁଛନ୍ତି ବୋଲି। ନିଜ ପାଦରୁ ଚପଲ କାଢ଼ି କ୍ରୋଧରେ ବିଦ୍ୟାସାଗର ସେହି ଖଳନାୟକ ଉପରକୁ ଚପଲଟିକୁ ଫୋପାଡ଼ି ଦେଲେ। ଚପଲ ଯାଇ ଅଭିନେତା ମୁହଁରେ। ପ୍ରେକ୍ଷାଳୟରେ ଥିବା ସମସ୍ତ ଦର୍ଶକ ଅବାକ୍ ହୋଇଗଲେ। କିନ୍ତୁ ସେହି ଅଭିନେତା ଜଣକ ସେହି ସମୟରେ କ’ଣ କଲେ ଜାଣନ୍ତି ? ନିଜ ହାତରେ ସେହି ଚପଲକୁ ତଳୁ ଉଠାଇ ନମସ୍କାର କଲେ, ମୁଣ୍ଡରେ ମାରି ଦର୍ଶକମାନଙ୍କୁ କହିଲେ ଆଜି ପର୍ଯ୍ୟନ୍ତ ମୁଁ ମୋ ଅଭିନୟ ଜୀବନରେ ଏହାଠାରୁ ବଡ଼ ପୁରସ୍କାର କେବେ ବି ପାଇନାହିଁ। ମୋ ଅଭିନୟକୁ କେହି ସତ୍ୟ ବୋଲି ଧରିନେବା ତାହା ପୁଣି ବିଦ୍ୟାସାଗରଙ୍କ ପରି ଜ୍ଞାନୀ ଗୁଣୀ ମଣିଷ ଏକଥା ମୁଁ କେବେ ବି ଭାବି ପାରିନଥିଲି। ମୋ ଅଭିନୟ ସତ୍ୟ ହୋଇଯାଇ ପାରେ ଏଥିପାଇଁ ମୁଁ ଧନ୍ୟ ହୋଇଗଲି। ଏ ଜୋତାକୁ ସାରା ଜୀବନ ମୁଁ ଶ୍ରେଷ୍ଠ ପୁରସ୍କାର ଭାବରେ ସାଇତି ରଖିବି। ମୋତେ ଆଜି ପର୍ଯ୍ୟନ୍ତ ବହୁତ ପୁରସ୍କାର ମିଳିଛି ସତ ହେଲେ ଏପରି ପୁରସ୍କାର ନୁହେଁ। ବିଦ୍ୟା ସାଗର ତାଙ୍କର ଏପରି ଆଚରଣ ପରେ ଦର୍ଶକମାନଙ୍କୁ କହିଥିଲେ – ଏ ନାଟକ ମୋତେ ସତ ଭଳି ଲାଗିଗଲା। ମୁଁ ଭୁଲିଗଲି ଯେ ଯାହା ମୁଁ ଦେଖୁଛି ତାହା କେବଳ ଏକ ନାଟକ।
ଯଦି ନାଟକ ସତ ଭାବେ ମାଲୁମ୍ ପଡ଼େ ତେବେ ମଣିଷ ଅଶାନ୍ତ ହୋଇପଡ଼େ। ଆଉ ଯଦି ଜୀବନ ନାଟକ ଭାବେ ମାଲୁମ୍ ପଡ଼ିଯାଏ ତେବେ ମଣିଷ ଶାନ୍ତ ହୋଇଯାଏ। ସ୍ୱପ୍ନରେ ରହି ଅଶାନ୍ତ ହେବାର କାରଣ ସତରେ କ’ଣ ? ଯଦି ଜୀବନରେ ଗରିବି ଆସେ ତେବେ ସ୍ୱପ୍ନ, ଯଦି ଅମିରୀ ଆସେ ତେବେ ବି ସ୍ୱପ୍ନ। ବେମାରରେ ପଡ଼ିଲେ ସ୍ୱପ୍ନ, ସୁସ୍ଥରେ ରହିବା ମଧ୍ୟ ସ୍ୱପ୍ନ। ଜୀବନରେ ଯାହା ସମ୍ମାନ ମିଳିଥାଏ ତାହା ସ୍ୱପ୍ନ, ଅସମ୍ମାନ ମଧ୍ୟ ସ୍ୱପ୍ନ। ଏହି ଉପଲବ୍ଧି ଆସିଗଲେ ଅଶାନ୍ତ, ପୀଡ଼ିତ, ବ୍ୟସ୍ତ ବିବ୍ରତ, ଟେନ୍ସନ୍ ନେବାର କାରଣ କେଉଁଥି ପାଇଁ ?? ଆମମାନଙ୍କ ଜୀବନରେ ଯେତେ ଯେତେ ଅଶାନ୍ତି, ଅସନ୍ତୋଷ ନିଜକୁ ନେଇ, ପରିବାରକୁ ନେଇ ତା’ର ଏକମାତ୍ର କାରଣ ହେଲା ଏ ଜୀବନ ଆମକୁ ବହୁତ ସତ୍ୟ ଲାଗିଥାଏ। ବହୁତ ଯଥାର୍ଥ ମାଲୁମ୍ ପଡ଼ିଥାଏ। କିନ୍ତୁ ଏହା ଯେ କ୍ଷଣିକର ସପନ ଏକଥା ଯେତେ ଯେତେ ତୁମ ଭିତରେ ସ୍ପଷ୍ଟ ହୋଇ ଉଠିବ ତୁମ ଭିତର ସେତିକି ସେତିକି ଶାନ୍ତ ହେବାର ସୂତ୍ରପାତ ହେବ। ଅଶାନ୍ତ ହେବାର କାରଣ ବିଲୀନ ହୋଇ ତୁମେ ନିଜକୁ ଦ୍ରଷ୍ଟା ଭାବରେ ପାଇ ପାରିବ। ସେତେବେଳେ ତୁମର ଅନୁଭବ ହେବ ତୁମ ସାମ୍ନାରେ ଯାହା ଯାହା ଘଟଣା ଘଟି ଯାଉଛି ସେ ସବୁ ସ୍ୱପ୍ନ ବ୍ୟତିରେକ ଆଉ କିଛି ନୁହେଁ। ସେ ସବୁ ଅଦୃଶ୍ୟର ଲୀଳା ଖେଳା ତୁମେ କେବଳ ଜଣେ ନୀରବଦ୍ରଷ୍ଟା ଛଡ଼ା ଆଉ କିଛି ନୁହଁ। ଏ ଜୀବନଟା କେଇ କ୍ଷଣର ସ୍ୱପ୍ନ ମାତ୍ର।
Comments are closed.