ଟ୍ରକ ଧକ୍କାରେ ଶ୍ରମିକ ମୃତ: କ୍ଷତିପୂରଣ ଦାବୀରେ ରାସ୍ତା ରୋକ

ରେଙ୍ଗାଲି: ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟରଜପଥ ବିଜୁ ଏକ୍ସପ୍ରେସ ୱେର ଶାସନ ବାଇପାସ୍ ବିକାଶ ସ୍କୁଲ ପାଖରେ ଆଜି ରାତି ପ୍ରାୟ ସାଢେ ୮ଟାରେ ଏକ ଟ୍ରକ ଧକ୍କାରେ ଜଣେ ଶ୍ରମିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାର ଜଣା ପଡିଛି। ମୃତକ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଇଟା ଭାଟିର ଶ୍ରମିକ ବୋଲି କୁହାଯାଉଛି। ଦୁର୍ଘଟଣା ଘଟାଇଥିବା ଟ୍ରକ ଧରି ଚାଳକ ଘଟଣା ସ୍ଥଳରୁ ଫେରାର୍ ହୋଇ ଯାଇଛି। ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଥିଲେ। ତେବେ ଶାସନ ପୁଳିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ ସହ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା ପରେ ରାସ୍ତା ରୋକ ପ୍ରତ୍ୟାହାର ହୋଇଥିଲା। ପୁଲିସ ମୃତଦେହ ଉଦ୍ଧାର ପରେ ପଞ୍ଚନାମା କରିଥିଲା। ଏହାପରେ ବ୍ୟବଚ୍ଛେଦ କରିବାକୁ ଡାକ୍ତରଖାନା ପଠାଇ ତଦନ୍ତ ଜାରି ରଖିଛି। ମୃତ ଶ୍ରମିକଙ୍କ ନାମ ଲକ୍ଷ୍ମୀଧର ନାଏକ (୪୦) ସେ ସୁନ୍ଦରଗଡ ଜିଲା ସାରୁବାହାଲ ଗ୍ରାମର ବାସିନ୍ଦା ବୋଲି ଶାସନ ଆଇଆଇସି ନିରଞ୍ଜନ ଦାସ ଦେଇଥିବା ସୂଚନାରୁ ପ୍ରକାଶ।

Comments are closed.