ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ପୁଣି ପାଠ ପଢାଇବା ପାଇଁ ପ୍ରୟାସ

ଫୁଲବାଣୀ: ଜିଲା ଆଇନ ସେବା ପ୍ରାଧିକରଣ ୯ ପକ୍ଷରୁ ଜିଲାରେ ଅଧାରୁ ପାଠ ଛାଡ଼ିଥିବା ପିଲାମାନଙ୍କୁ ପୁଣିଥରେ ପାଠ ପଢାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩୬ ଜଣ ପିଲା ଫୁଲବାଣୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଏଜେଓ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୁନଃ ନାମ ଲେଖାଯାଇଥିବାର ଜଣାଯାଇଛି। ଶିକ୍ଷା ବିଭାଗର ସିଆରସି ରବୀନ୍ଦ୍ର ନାଥ ଦିଗାଲ, ସରିତା ରାଣୀ ମହାରଣା ଏବଂ ପୀରାମଲ ଫାଉଣ୍ଡେସନର କର୍ମଚାରୀମାନେ ଅଧାରୁ ପାଠ ଛାଡ଼ିଥିବା ପିଲାମାନଙ୍କୁ ବୁଝାଇ ସୁଝାଇ ପୁଣି କିପରି ପରୀକ୍ଷା ଦେଇ କୃତ କାର୍ଯ୍ୟ ହୋଇ ପାରିବେ ସେ ଦିଗରେ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମ ଦୀର୍ଘ ୧୫ଦିନ ଧରି ଚାଲିବ। ଫୁଲବାଣୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଏ ଜେ ଓ ହାଇସ୍କୁଲ ଠାରେ ପିଲା ମାନଙ୍କୁ ନୁତନ ଭାବେ ଆଡ଼ମିଶନ କରାଯାଇ ଥିଲା ସମୁଦାୟ ୩୬ ଜଣ ପିଲାଙ୍କୁ ଆଜି ସୁଦ୍ଧା ଦୁଇଟି ବିଦ୍ୟାଳୟରେ ନାମ ଲେଖାଯାଇଥିଲା। ଆଜି ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଫୁଲବାଣୀ ବ୍ଳକ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର, ଆକ୍ସନ ଏଡର ଶ୍ରୀମତୀ ସନ୍ଧ୍ୟାରାଣୀ, ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମୀନା କୁମାରୀ ଦିଗାଲ ପ୍ରମୁଖ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ୍ ଥିବା ସମସ୍ତ କର୍ମଚାରୀଙ୍କ ସାଧୁବାଦ ଦେଇଥିଲେ। ଅଧାରୁ ପାଠ ଛାଡୁଥିବା ପିଲାମାନେ ଯେଭଳି ଭାବେ ପାଠ ପଢି ପାରିବେ ଓ ପରୀକ୍ଷା ଦେଇ ପାରିବେ ସେନେଇ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି।

Comments are closed.