ପିପିଲିରେ ଜାତୀୟ କ୍ରୀଡା ଦିବସ ପାଳିତ
ପିପିଲି :ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ମଙ୍ଗଳବାର ପିପିଲିରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପିପିଲି ନୋଡାଲ ହାଇସ୍କୁଲ ଖେଳପଡିଆରୁ ଏକ ବିଶାଳ କ୍ରୀଡା ଶୋଭାଯାତ୍ରା ବାହାରି ପିପିଲି ବଜାର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାକୁ ଲେଫ୍ନାଣ୍ଟ ଜେନେରାଲ ନାରାୟଣ ମହାନ୍ତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପିପିଲିର ବିଭିନ୍ନ ବିଦ୍ୟାଳୟର ୫ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ସମେତ ୩ଟି କ୍ରୀଡା ସଂଗଠନର କର୍ମକର୍ତ୍ତାମାନେ ଏଥିରେ ଯୋଗଦେଇଥିଲେ। ଜବାହର ବିଦ୍ୟାପୀଠ ଠାରେ ଶୋଭାଯାତ୍ରା ପହଞ୍ଚିବା ପରେ ସେଠାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଲେଫ୍ନାଣ୍ଟ ଜେନେରାଲ ନାରାୟଣ ମହାନ୍ତି, ପିପିଲି ସାଂସ୍କୃତିକ ପରିଷଦର ମୁଖ୍ୟ ସଂପାଦକ ରମେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ସଂଯୋଜକ ଦୀନବନ୍ଧୁ ବେହୁରା, ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ରାମଚନ୍ଦ୍ର ମହାପାତ୍ର, ଶିକ୍ଷାବିତ୍ ହେମନ୍ତ କୁମାର ପ୍ରଧାନ, ସମାଜସେବୀ ପ୍ରକାଶ ଚନ୍ଦ୍ର ମିଶ୍ର ପ୍ରମୁଖ ଧ୍ୟାନଚାନ୍ଦଙ୍କ ସଂପର୍କରେ ଆଲୋକପାତ କରିବା ସହ ଜାତୀୟ କ୍ରୀଡା ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ପ୍ରକାଶ କରିଥିଲେ। ରାଜ୍ୟରେ କ୍ରୀଡାର ମାନବୃଦ୍ଧି ପାଇଁ ପରିଷଦ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ପରିଷଦର ମୁଖ୍ୟ ସଂପାଦକ ଶ୍ରୀମହାପାତ୍ର ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକଙ୍କ ସମେତ ଅଞ୍ଚଳର ବହୁ କ୍ରୀଡାବିତ୍ ଯୋଗ ଦେଇଥିଲେ।
Comments are closed.