ସମ୍ବଲପୁର: ଦେଶ ବ୍ୟାପୀ ଆୟୋଜିତ ହେଉଥିବା ‘ମୋ ମାଟି ମୋ ଦେଶ‘ କାର୍ୟ୍ୟକ୍ରମ ପରିପ୍ରେକ୍ଷୀରେ ସୋମବାର ପୂର୍ବାହ୍ନରେ ’ପଲ୍ଲିଶ୍ରୀ କଥା’ ଖବର କାଗଜ ପକ୍ଷରୁ ଚାଉଁରପୁର ସ୍ଥିତ ସୁମତି ବେହେରା ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀ ମାନଙ୍କର ଦେଶାତ୍ମବୋଧକ ଗୀତ ପ୍ରତିଯୋଗିତା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ରତ୍ନାକର ବେହେରା ମଧ୍ୟ ଇଂରାଜୀ ବିଦ୍ୟାଳୟ ଏବଂ ସୁମତି ବେହେରା ଉଚ୍ଚ ବିଦ୍ୟାଳୟର ଶତାଧିକ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସଂସ୍କୃତି ରତ୍ନ କାର୍ତ୍ତିକ ପ୍ରସାଦ ବହିଦାର୍ ଙ୍କ ପରିଚାଳନାରେ ଅନୁଷ୍ଠିତ ଦେଶାତ୍ମବୋଧକ ପ୍ରତିଯୋଗିତାରେ କାହ୍ନୁ କେଶବ ବହିଦାର୍, ତ୍ରିଲୋଚନ ତ୍ରିପାଠୀ ଏବଂ ଏନ୍ ଶ୍ରୀନୁ ଦାଶ ଯୋଗଦାନ କରିଥିଲେ। ସୁମତି ବେହେରା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଜୟ କୁମାର ସାହୁ, ରତ୍ନାକର ବେହେରା ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁରମା ମହାକୁଡ଼, ନାରାୟଣ ପତି, ଦିବ୍ୟ କିଶୋର ରଣା, ଲିପିକା ବିଭାର ପ୍ରମୁଖ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଶିକ୍ଷାନୁଷ୍ଠାନର ପରିଚାଳନା ସମିତିର ସଭ୍ୟସଭ୍ୟା ବୃନ୍ଦ ଉପସ୍ଥିତ ରହି ଓ ସହଯୋଗ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ଦେଶାତ୍ମବୋଧକ ଗୀତ ଗାୟନ ପ୍ରତିଯୋଗିତାରେ ଲିଲିମା ବାଗ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନୈନା ମହାରଣା ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। ଯୁଗ୍ମ ଭାବରେ ସୁମନ ଲାମା ଏବଂ ନିକିତା ଭୋଇ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହେବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ସୁଶ୍ରୀ ଲିପ୍’ସା ଦୀପ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୁଶ୍ରୀ ଲିଜା ମିର୍ଦ୍ଧା ଓ ଶୁଭମ୍ ମିର୍ଦ୍ଧା ଯୁଗ୍ମ ଭାବରେ ଦ୍ଵିତୀୟ ଏବଂ ସୁଶ୍ରୀ ରେଣୁକା ଲୁହା ଓ ସୁଶ୍ରୀ ରାଜେଶ୍ୱରୀ ପାଇକ ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଆସନ୍ତା ୨୯ ତାରିଖ (ମଙ୍ଗଳବାର ) ପୂର୍ବାହ୍ନରେ ଅନୁଷ୍ଠିତ ହେବାକୁ ଥିବା ଏକ ବର୍ଣ୍ଣାଢ୍ୟ ଉତ୍ସବରେ କୃତି ପ୍ରତିଯୋଗୀ ମାନଙ୍କୁ ପ୍ରଶଂସା ପତ୍ର ଏବଂ ପୁରସ୍କାର ପ୍ରଦାନ କରାଯିବ ବୋଲି ’ପଲ୍ଲିଶ୍ରୀ କଥା’ ଖବର କାଗଜର ମୁଖ୍ୟ ସମ୍ପାଦକ ହରି ଶଙ୍କର ମିଶ୍ର ଜଣାଇଛନ୍ତି।
Popular Categories



