ବାଘଲଟି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ଚିକିଟି ଦିଗପହଣ୍ଡି ବ୍ଳକର ଛତିଶି ଗୋଟି ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ପାଇଁ ବାଘଲଟି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ମେଗା ପ୍ରକଳ୍ପ ନିର୍ମାଣ ପାଇଁ ୨୨୨ କୋଟି ୩ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଥିବା ବେଳେ ଦୁଇ ବର୍ଷ ମଧ୍ୟରେ କାମ ଶେଷ କରିବା ପାଇଁ ଲକ୍ଷ ଧାର୍ଯ୍ୟ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ପାତ୍ରପୁର ତହସିଲର ତୁରୁବୁଡ଼ି ପଞ୍ଚାୟତର ବାଘଲଟି ଗ୍ରାମ ନିକଟରେ ନିର୍ମାଣ ହୋଇଥିବା ବାଘଲଟି ମଧ୍ୟମ ଜଳସେଚନ ଯୋଜନାରୁ ପାଇପ ଲାଇନ ମାଧ୍ୟମରେ ଏହି ସବୁ ଅଞ୍ଚଳକୁ ପାଣି ଯୋଗାଇବା ସ୍ଥିର ହୋଇଛି। ପ୍ରକଳ୍ପ ଦ୍ବାରା ପାତ୍ରପୁର ବ୍ଲକର ଚଉଦ ଗୋଟି ପଞ୍ଚାୟତ, ଚିକିଟି ବ୍ଳକର ସମସ୍ତ ଷୋହଳଟି ପଞ୍ଚାୟତ ଏବଂ ଦିଗପହଣ୍ଡି ବ୍ଳକର ଛଅଟି ପଞ୍ଚାୟତର ୨୮୭ ଗ୍ରାମର ୨ ଲକ୍ଷ ୫୬ ହଜାର ୧୯୮ଲୋକଙ୍କ ପାଖରେ ପାଣି ପହଂଚାଇବା ସ୍ଥିର ହୋଇଛି। ଏଥି ନିମନ୍ତେ ବାଘଲଟି ଯୋଜନା ନିକଟରେ ଜଳ ବିଶୋଧନ ସହ ସୋଲାର ପ୍ରକଳ୍ପ ସ୍ଥାପନ କରି ମୋଟର ଯୋଗେ ଜଳ ଉଠାଇବା ପରେ ବିଶୋଧିତ ଜଳ ପାଇପ ଲାଇନ ବିଛାଇ ସମସ୍ତ ଅଞ୍ଚଳକୁ ଯୋଗାଇ ଦିଆଯିବ।

Comments are closed.