ପାଉଁଶ ବୋଝେଇ ଟ୍ରକ ଚାପରେ ଛିଣ୍ଡିଲା ମହିଳାଙ୍କର ଦୁଇ ଗୋଡ
ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଲଇକେରା ଠାରେ ଦ୍ରୁତ ଗତିରେ ଯାଉଥିବା ପାଉଁଶ ବୋଝେଇ ଟ୍ରକ ଚଢ଼ି ଯିବାରୁ ଶନିବାର ସନ୍ଧ୍ୟାରେ ଜଣେ ମହିଳାଙ୍କ ଦୁଇ ଗୋଡ଼ ଛିଣ୍ଡିଯାଇଛି । ଅନୀତା ମେହେର(୨୭) ତାଙ୍କ ସ୍ୱାମୀ ଅଶୋକ ମେହେରଙ୍କ ସହ ତାଙ୍କର ଦୁଇ ଛୋଟ ଛୁଆଙ୍କୁ ନେଇ ନିକଟରେ କୁଅଁରମାଲ – ପାକେଲମାଳ ଠାରେ ଅନ୍ଧାରି ପାହାଡ଼ରେ ଅନୁଷ୍ଠିତ ହେଉଥିବା ଅନ୍ଧାରି ଯାତ୍ରା ଦେଖିବାକୁ ଯାଉଥିଲେ।
ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଲଇକେରା ଠାରେ ଏକ ପାଉଁଶ ବୋଝେଇ ଟ୍ରକ ( ଓଆର ୧୭ଏଚ ୩୬୧୧) ଧକ୍କା ଦେଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଟ୍ରକକୁ ଓଭରଟେକ କରିବା ବେଳେ ଅନୀତା ବାଇକରୁ ଖସି ପଡ଼ିଥିଲେ। ତେବେ ମହିଳାଙ୍କ ଦୁଇ ଗୋଡ଼ ଉପରୁ ପାଉଁଶ ବୋଝେଇ ଦଶ ଚକିଆ ଟ୍ରକଟି ଚଢ଼ି ଯିବାରୁ ଦୁଇ ଜଙ୍ଘ ସଂପୂର୍ଣ୍ଣ ଛିଣ୍ଡି ଯାଇଛି।
ପରେ ମହିଳା ଜଣଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ଏହି ରାସ୍ତାରେ ପାଉଁଶ ବୋଝେଇ ଟ୍ରକ ଗୁଡ଼ିକ ବେପରୁଆ ଭାବରେ ଯାତାୟତ କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଡ୍ରାଇଭର ଫେରାର ଅଛି। ତେବେ ଝାରସୁଗୁଡା ଏବଂ ଆଖପାଖ ବେଆଇନ ଭାବେ କମ୍ପାନୀ ଗୁଡିକର ପାଉଁଶ ଡମ୍ପିଂଗ କରୁଥିବା ଟ୍ରକ ଗୁଡିକ କେବଳ ପ୍ରଦୂଷଣ ନୁହେ ଲୋକଙ୍କ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି କରୁଛି।