ପୁଅକୁ ଦଳରୁ ବହିଷ୍କାର କଲେ ଚୌତାଲା
ଚଣ୍ଡିଗଡ : ଭାରତୀୟ ଜାତୀୟ ଲୋକ ଦଳ (ଆଇଏନଏଲଡି) ସଭାପତି ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା ବୁଧବାର ତାଙ୍କ ପୁଅ ଅଜୟ ସିଂହ ଚୌତାଲାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଅଜୟଙ୍କୁ ଦଳର ସାଧାରଣ ସମ୍ପାଦକ ଓ ପ୍ରାଥମିକ ସଭ୍ୟ ପଦରୁ ବହିଷ୍କାର କରାଯାଇଥିବା ଆଇଏନଏଲଡିର ପ୍ରାଦେଶିକ ମୁଖ୍ୟ ଅଶୋକ ଆରୋରା କହିଛନ୍ତି। ଅଜୟଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟ ନେଇ ଅଭିଯୋଗ ହୋଇଛି। ଅଜୟ ଆଇଏନଏଲଡିକୁ ଉପେକ୍ଷା କରି ଏକ ସମାନ୍ତରାଳ ଦଳ ଚଳାଇଥିଲେ ବୋଲି ଅଭିଯୋଗ ହୋଇଛି। ଚୌତାଲାଙ୍କ ବହିଷ୍କାର ସମ୍ପର୍କିତ ଚିଠିକୁ ପାଠ କରି ଆରୋରା କହିଛନ୍ତି ଯେ ଦଳୀୟ ଶୃଙ୍ଖଳା ଆଗରେ ପରିବାରର କୌଣସି ଗୁରୁତ୍ୱ ନାହିଁ। ତେଣୁ ଦଳୀୟ ଶୃଙ୍ଖଳା ଠାରୁ କୌଣସି ସଦସ୍ୟ ଊର୍ଦ୍ଧ୍ବରେ ନୁହନ୍ତି।