ପାଟଣା: ପୁଣି ସଙ୍କଟରେ ଗଜରାଜ, ଟ୍ରେନ ଧକ୍କାରେ ଚାଲିଯାଇଛି ଦୁଇଟି ହାତୀଙ୍କ ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଦୈତାରୀ ରେଞ୍ଜ ଅନ୍ତର୍ଗତ ଟାଙ୍ଗିରିଆପାଳ ଷ୍ଟେସନ ନିକଟ ଆମ୍ବଧରା ନାଳ ଏବଂ କୋଠଘାଟି ମଧ୍ୟବର୍ତ୍ତୀ ଟ୍ରେନ୍ ଲାଇନରେ। ଘଟଣାସ୍ଥଳରେ ବନ ବିଭାଗ ଓ ରେଳ ବିଭାଗର ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ବାରମ୍ବାର ଏଭଳି ଘଟଣା ଘଟି ଚାଲିଥିବା ବେଳେ ସରକାରଙ୍କ ହାତୀ ସୁରକ୍ଷା ପ୍ରତି ଗ୍ରହଣ କରାଯାଉଥିବା ପଦକ୍ଷେପକୁ ନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦୁଝର ଜିଲ୍ଲା ଦୈତାରୀ ରେଞ୍ଜ ଅନ୍ତର୍ଗତ ଟାଙ୍ଗିରିଆପାଳ ଷ୍ଟେସନ ନିକଟ ଆମ୍ବଧରା ନାଳ ଏବଂ କୋଠଘାଟି ମଧ୍ୟବର୍ତ୍ତୀ ଟ୍ରେନ୍ ଲାଇନ ନିକଟରେ ଏକ ମାଈ ହାତୀ ମରି ପଡିଥିବାର ସୂଚନା ପାଇ ଘଟଣା ସ୍ଥଳରେ ଆନନ୍ଦପୁର ଡିଏଫ୍ଓ ଅଭୟ କୁମାର ଦଳେଇ ଓ ବନ କର୍ମଚାରୀ ମାନେ ପହଞ୍ଚିଥିଲେ।
ବନବିଭାଗକୁ ଶଗଡପଟା ଷ୍ଟେସନ ମାଷ୍ଟର ଆଜି ସକାଳୁ ହାତୀ ମୃତ୍ୟୁ ସମ୍ପର୍କରେ ବନବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିବା ପରେ ଘଟଣାର ଅନୁଧ୍ୟାନ ସମୟରେ କିଛି ବାଟ ଦୂରରେ ଅନ୍ୟ ଏକ ମାଈ ହାତୀର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡିଥିଲା। ସୂଚନା ଅନୁଯାୟୀ ଗତ ରାତି ପ୍ରାୟ ୯ଟା ପରେ ପରେ ୫ ଟିକିଆ ହାତୀ ପଲ ଟ୍ରେନ ଲାଇନ ପାର ହେଉଥିବା ବେଳେ ଏକ ମାଲବାହୀ ଟ୍ରେନ ହାତୀପଲଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରୁ ଗୋଟିଏ ହାତୀ ୨୦ ଫୁଟ ଦୂରକୁ ଛିଟିକି ପଡି ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ହାତୀଟି ପାଖାପାଖି ୫୦ ଫୁଟ ତଳକୁ ଖସିପଡି ମୃତ୍ୟୁବରଣ କରିଛି। ଏହି ଦୁର୍ଘଟଣାରେ ଅନ୍ୟ ଏକ ହାତୀ ମଧ୍ୟ ଆହତ ହୋଇଛି। ଗୁରୁତର ହାତୀକୁ ବନବିଭାଗ ଠାବ କରି ତାର ସୁରକ୍ଷା ପ୍ରତି ଧ୍ୟାନ ଦେଉଥିବା ଜଣାପଡିଛି।



