ଫୁଲବାଣୀ/ଫିରିଙ୍ଗିଆ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ବାଦ ପଡିବାରୁ ରାଜରାସ୍ତାକୁ ଓହ୍ଲାଇ ରାସ୍ତାରୋକ କରିଛନ୍ତି ଜଣେ ଅସହାୟ ଯୁବକ ଓ ତାଙ୍କ ପରିବାର। ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତରେ। ଗତ କିଛି ଦିନ ହେଲା ସରକାର ଏହି ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଗରିବ ହିତାଧିକାରୀ ମାନଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଷ ବଣ୍ଟନ କରିଥିବା ବେଳେ ଏହି ଡିଣ୍ଡିରା ଗାଁ ପଞ୍ଚାୟତରେ ମଧ୍ୟ ସମୁଦାୟ ୭୪ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ତେବେ ଏହି ପଞ୍ଚାୟତର ବନ୍ଧସାହିରେ ରହି ଆସୁଥିବା ସୁନିଲ କୁମାର ନାୟକ ନାମକ ଜଣେ ଯୁବକ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ବହୁ ବାର ଆବେଦନ କରି ଆସୁଥିଲେ ମଧ୍ୟ ତାଙ୍କୁ ଘର ଖଣ୍ଡେ ମିଳି ପାରିନାହିଁ।
ସୁନିଲ ଶନିବାର ସକାଳ ପ୍ରାୟ ଆଠଟା ସମୟରୁ ଦିନ ୧୧ ଟା ପର୍ଯ୍ୟନ୍ତ ଫୁଲବାଣୀ ଫିରିଙ୍ଗିଆ ମୁଖ୍ୟରାସ୍ତାର ଡିଣ୍ଡିରା ଗାଁ ସ୍କୁଲ ନିକଟରେ ନିଜ ପରିବାର ସହ ରାସ୍ତା ଅବରୋଧ କରିଥିଲେ। ତେବେ ତିନି ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରେ ଯିବା ଆସିବା କରୁଥିବା ଗାଡି ସବୁ ଅଟକି ରହିଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲ। ଅନ୍ୟପଟେ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ପହଁଞ୍ଚି ରାସ୍ତାରୋକ କରିଥିବା ପରିବାରକୁ ବୁଝାସୁଝା କରିବା ପରେ ସମ୍ପୃକ୍ତ ପରିବାର ଲୋକେ ରାସ୍ତାରୋକରୁ ହଟିଥିଲେ। ତେବେ ହିତାଧିକାରୀ ସୁନିଲ ନାୟକଙ୍କ ଅଭିଯୋଗ ପ୍ରକାରେ ସେ ଜଣେ ଗରିବ ଶ୍ରେଣିର ଲୋକ ହୋଇଥିବା ବେଳେ କୁଲି ମଜୁରି କରି ପରିବାର ପ୍ରତି ପୋଷଣ କରିଆସୁଛନ୍ତି ଓ ବର୍ତମାନ ସେ ଏକ ଭଙ୍ଗା ଦଦରା ଝାଟିମାଟି କୁଡିଆରେ ତାଙ୍କ ପରିବାର ସହ ପଲିଥିନ ଟାଣି ରହୁଛନ୍ତି।



