କର୍ଣ୍ଣାଟକ ବିଧାନସଭା ନିର୍ବାଚନ; ଏପ୍ରିଲ୍‌ରେ କଂଗ୍ରେସର ନିର୍ବାଚନୀ ଇସ୍ତାହାର ଘୋଷଣା

0

ବେଙ୍ଗାଲୁରୁ : କର୍ଣ୍ଣାଟକରେ କ୍ଷମତା ବଜାୟ ରଖିବା ନିମନ୍ତେ କଂଗ୍ରେସ ତତ୍ପର ହୋଇଉଠିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦଳ ପକ୍ଷରୁ ଏପ୍ରିଲରେ ଦଳୀୟ ନିର୍ବାଚନୀ ଇସ୍ତାହାର ଘୋଷଣା କରାଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଦଳର ଜାତୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜେ ଏହି ଇସ୍ତାହାର ଘୋଷଣା କରିବେ ବୋଲି କୁହାଯାଉଛି। ଇତିମଧ୍ୟରେ ନିର୍ବାଚନ ଇସ୍ତାହାର ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦିନେ ଦୁଇ ଦିନ ମଧ୍ୟରେ ଏହାର ରୂପରେଖ ଚୂଡାନ୍ତ ହୋଇଯିବ। ତେବେ ଦଳର ରାଷ୍ଟ୍ରୀୟ ମୁଖ୍ୟ କୌଣସି ରାଜ୍ୟରେ ନିର୍ବାଚନୀ ଇସ୍ତାହାର ଘୋଷଣା କରିବାରେ ଏହା ପ୍ରଥମ ଘଟଣା ହେବ ବୋଲି କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଜି. ପରମେଶ୍ୱର କହିଛନ୍ତି।
ପରମେଶ୍ୱରଙ୍କ ନେତୃତ୍ୱରେ ବୁଧବାର ଅନୁଷ୍ଠିତ ବୈଠକରେ ନିର୍ବାଚନୀ ଇସ୍ତାହାର ସମ୍ବନ୍ଧରେ ଆଲୋଚନା ହୋଇଥିଲା। ଏଥିରେ ବରିଷ୍ଠ ସାଂସଦ ଏମ୍‌. ବୀରପ୍ପା ମୋଇଲିଙ୍କ ସମେତ ବହୁ ପ୍ରମୁଖ ନେତା ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମ ତଥା ପ୍ରସଙ୍ଗକୁ ଇସ୍ତାହାରରେ ସମ୍ମିଳିତ କରିବା ଉପରେ ଆଲୋଚନା କରିଥିଲେ। ମୋଇଲି କହିଛନ୍ତି, ଦଳ ‘ନବ କର୍ଣ୍ଣାଟକ’ର ସ୍ଲୋଗାନ ଦେଇଆସୁଛି। ଏହି ସ୍ଲୋଗାନ ସହିତ ମେଳ ଖାଉଥିବା ପ୍ରସଙ୍ଗକୁ ଇସ୍ତାହାରରେ ସ୍ଥାନ ଦିଆଯିବ। ଗତ ବିଧାନସଭା ନିର୍ବାଚନରେ ଦଳ ଭୋଟରଙ୍କୁ ୧୬୫ଟି ପ୍ରତିଶ୍ରୁତି ପ୍ରଦାନ କରିଥିଲା। ଚଳିତଥର ଏହି ସଂଖ୍ୟା ବୃଦ୍ଧି ପାଇବ। ଅପରପକ୍ଷେ ବରିଷ୍ଠ ମନ୍ତ୍ରୀ କାଗୋଡୁ ଥିମାପ୍ପା, ରାମଲିଙ୍ଗା ରେଡ୍ଡୀ, ଟି. ବି. ଜୟଚନ୍ଦ୍ର, ଏ. ମଞ୍ଜୁ, ଆର୍‌. ରୋଶନ ବୈଗ୍‌ ଏବଂ ଦଳର ବରିଷ୍ଠ ନେତା ମାର୍ଗାରେଟ ଆଲଭାଙ୍କ ସମେତ ଅନ୍ୟ ବହୁ ନେତା ସେମାନଙ୍କ ସନ୍ତାନଙ୍କ ନିମନ୍ତେ ଟିକଟ ଦାବି କରୁଥିବା କୁହାଯାଉଛି। ଏଣୁ ଏହି ନିଷ୍ପତ୍ତି ଦଳର ହାଇକମାଣ୍ଡଙ୍କ ଉପରେ ଛାଡି ଦେବା ଲାଗି ବୁଧବାର ବୈଠକରେ ନିଷ୍ପତ୍ତି ହୋଇଛି। କିନ୍ତୁ ପଶୁସମ୍ପଦ ମନ୍ତ୍ରୀ ଏ. ମଞ୍ଜୁ ନିଜ ପୁଅ ପାଇଁ ଟିକଟ୍‌ ଦାବି ପ୍ରସଙ୍ଗକୁ ଅସ୍ୱୀକାର କରିଛନ୍ତି।

Leave A Reply