ବାନ୍ଧି ଜାଣିଲେ ଗଭା ସୁନ୍ଦର
ବାହ୍ୟ ଚାକଚକ୍ୟ ,ଏ ଚକ୍ମା ଯେ ଅଳ୍ପ ଆୟୁର, ଏ କଥା ସରକାର ଓ ଏ ଅନୁଷ୍ଠାନ ମୁଣ୍ଡିଆଳମାନେ ବୁଝନ୍ତି।
କୌଣସିର ମୂଲ୍ୟାୟନ ବା କିସମ ନିର୍ଦ୍ଧାରଣ ଏତେ ସହଜ ଓ ସରଳ ବ୍ୟାପାର ନୁହଁ। ନିର୍ଦ୍ଧାରଣକାରୀ ବା ପରୀକ୍ଷକର ପାଣ୍ଡିତ୍ୟ, ସାଧୁତା ନ ରହିଲେ, ଏ ନିର୍ଦ୍ଧାରଣ ଭ୍ରମାତ୍ମକ କେବଳ ନୁହଁ; ଢେର କ୍ଷତିକାରକ ବହୁ ଲୋକଙ୍କ ପାଇଁ ହୋଇଥାଏ। ‘ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ।’ ମାତ୍ର ବଣିଆର ଏ ଚିହ୍ନୋଟ ସବୁବେଳେ ସଚ୍ଚା ହୋଇଥାଏ କି!! ନା, ଆଦୌ ନୁହଁ, ସେମିତି ସବୁ କଥା। ‘ଦୂରତଃ ଶୋଭତେ ମୂେର୍ଖା ଲମ୍ବଶାଟ- ପଟାବୃତଃ ତାବତ୍ ଶୋଭତେ ମୂେର୍ଖା ଯାବତ୍ କିଞ୍ଚିନ୍ନଭାଷତେ।’ ଚିକିଚିକିଆ ପୋଷାକ ପିନ୍ଧି ଝଲମଲିଆ ଦିଶୁଥିବା ମୂର୍ଖ, କିଛି ନ କହିଲା ପର୍ଯ୍ୟନ୍ତ ମୂର୍ଖ ବୋଲି ଜଣାପଡ଼ିନଥାଏ। ବିଶ୍ବବିଦ୍ୟାଳୟ ପ୍ରମାଣପତ୍ରରୁ ଜଣେ ଜ୍ଞାନୀ, ବିଦ୍ୟାବାନ୍ ବୋଲି କଳନା କରି ହେବନି। ଆଜିର ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟରୁ ଉତୁରୁଥିବା ‘ଶିକ୍ଷିତ’ କ’ଣ ବିନମ୍ର, କ’ଣ ଉଦାର, କ’ଣ ପ୍ରଶସ୍ତ ଭାବର? ଯଦି ନୁହେଁ ସେମାନେ ଡିଗ୍ରୀ (ଉପାଧି) ଧାରୀ ଫମ୍ପା ମାଠିଆ। କୁହାଯାଉଛି ପରା, ‘ନମ୍ରନ୍ତି ଫଳିନୋ ବୃକ୍ଷାଃ, ନମ୍ରନ୍ତି ଗୁଣିନୋ ଜନାଃ ା’ ଏ ଦୁର୍ଗୁଣ ଭରା ଜନତା ଢେର ସିଧା ଡେଙ୍ଗା। ନୋଇଁବା ଭାବ ହିଁ ନାହିଁ। ବରଂ ଏମ୍.ଏ. ଡିଗ୍ରୀରେ ଫାଟି ପଡୁଛନ୍ତି। ନା ମାତୃଭୂମି, ନା ମାତୃଭାଷା କାହାରି ପ୍ରତି ମମତା ନାହିଁ। ଚିର ଶାଶ୍ବତ, ଆଶୀର୍ବାଦର ଗନ୍ତାଘର ବୃଦ୍ଧ ବାପମା’ ଏଇଲେ ଘରେ ଅଳିଆ, ସମସ୍ୟା ସୃଷ୍ଟିକାରୀ। ‘ଜରାନିବାସ’ ତାଙ୍କର ଠିକଣା। ପାଠର ପ୍ରଥମ ଶିକ୍ଷା ହେଲା, ‘ପିତାମାତା ପରି ଆଉ କେ ଅଛି ସଂସାରେ ଧନ୍ୟ ସେ ଯେ ଦିଏ ପ୍ରାଣ ତାଙ୍କରି ସେବାରେ।’ କାଇଁ ଗଲା ସେ ଶିକ୍ଷା? ଦିହରେ ନ ଭେଦି, ପଦ୍ମପତ୍ରରୁ ପାଣି ଗଡ଼ିଗଲା ପରି କୁଆଡ଼େ ଗଡ଼ିଗଲା ଏ ଶିକ୍ଷା? ଏମାନେ ଶିକ୍ଷିତ ! ଏ ଦେଶର ଶିକ୍ଷା ପ୍ରଣାଳୀ ସମ୍ପୂର୍ଣ୍ଣ ବିଫଳ ବୋଲି ଦଳେ ଚିଲୋଉଥିବାବେଳେ, ଆଉ ଦଳେ ତାଙ୍କ ଶିକ୍ଷା ମାପ ଯନ୍ତ୍ର ଚାଲୁ ରଖିଛନ୍ତି।
ଆରେ ଦି ମହଲା କୋଠା, ହେମାଳ ଯନ୍ତ୍ର ପୁଞ୍ଜା ପୁଞ୍ଜା ଖଞ୍ଜା, ପୁଅ ଓ ଝିଅଙ୍କ ବେକଫିତା (ଟାଇ) ଓ ପେଅଣ୍ଟ, କୁର୍ତ୍ତା ପିନ୍ଧାରୁ ଏ ବିଦ୍ୟାଳୟ, ମହାବିଦ୍ୟାଳୟ କି ବିଶ୍ବବିଦ୍ୟାଳୟ କେତେ ଉଠୁଛି, ଉଠିଛି କଳନା ହେଉଛି। ମହାବିଦ୍ୟାଳୟ ସରଘରେ ବା ଦୋକାନରେ ନିରାପଦ ଯୌନସୁଖ ସାମଗ୍ରୀ ରିଆତି ମୂଲ୍ୟରେ ଯୋଗାଇ ଦିଆଯାଉଥିବା, ଏ ଅନୁଷ୍ଠାନର ସଫଳତା ମାପର ଗୋଟିଏ ଗୋଟିଏ ଆଧାର (ପଏଣ୍ଟ)। ଏବେ ବେପାରପତ୍ରରେ ସମ୍ବାଦ ପ୍ରକାଶ ପାଇଛି ଯେ ଗୋଟେ କ’ଣ ‘ଏନ୍ଆଇଆର୍ଏଫ୍’ ତାଲିକାରେ ଶ୍ରେଷ୍ଠ ୧୦୦ରୁ ଓଡ଼ିଶାର ଚାରିଟି ମାତ୍ର। ସେଥିରେ ପୁଣି ଭୁବନେଶ୍ବର ଏମ୍ସର ମାନ ବଢ଼ିଛି; ମାତ୍ର ଆଇଆଇଟି ସ୍ଥାନ ଖସିଛି। ସବୁଠୁ କୌତୂହଳର ବିଷୟ ହେଲା ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ମାନବୃଦ୍ଧି ବା ଉନ୍ନତି କରିଥିବାବେଳେ ସରକାରଙ୍କ କୌଣସି ଗୋଟିଏ ବି ଅନୁଷ୍ଠାନ ଏ ତାଲିକାରେ ସ୍ଥାନିତ ହେବା ଭଳି ସମ୍ମାନ ଲାଭ କରି ପାରିନାହାନ୍ତି। ପୂର୍ବପରି ୪ଟି ଅନୁଷ୍ଠାନ ତାଙ୍କ ଦଖଲ ବଜାୟ ରଖିଛନ୍ତି। ବିଶ୍ବବିଦ୍ୟାଳୟ ବର୍ଗରେ ସୋଆ ଏବଂ କିଟ୍ର ପ୍ରଦର୍ଶନ ଉଲ୍ଲେଖନୀୟ। ଯିଏ ଯାଇଛି ଏମିତି ଅନୁଷ୍ଠାନସବୁକୁ ପ୍ରଥମ ଭ୍ରମ ତା’ର ହୁଏ ଯେ, ଇୟେ ବୌଦ୍ଧିକ ବିକାଶର ଏକ ପୀଠ ନା ସମ୍ଭ୍ରାନ୍ତଶୀଳ(ଆରିଷ୍ଟୋକ୍ରାଟିକ୍) ପୀଠ! ଏଠି ପଢ଼ା ଖର୍ଚ୍ଚ କେତେ? ଏ ଦେଶର କେତେ ସାଧାରଣ ଜନତାର ପୁତ୍ର ସନ୍ତାନ ଏଥିରେ ଅଧ୍ୟୟନ କରୁଛନ୍ତି? ଆଇଆଇଟି ଭୁବନେଶ୍ବର ଗତବର୍ଷ ୬୫ତମ ସ୍ଥାନରେ ଥିବାବେଳେ ଏ ବର୍ଷ ୯୧ତମ ସ୍ଥାନକୁ ଖସିଛି। କ୍ରମାଗତ ଭାବେ ଆଇଆଇଟି ଭୁବନେଶ୍ବର ନୈରାଶ୍ୟଜନକ ସ୍ଥିତି ପ୍ରଦର୍ଶନ କରୁଛି। ଏମିତି କେତେ ଅନୁଷ୍ଠାନର ଭାଗ୍ୟଲିପି ପ୍ରକାଶ ପାଇଛି। ଯେଉଁ କ୍ବଚିତ୍ ଏ ସୌଭାଗ୍ୟ ଲାଭ କରିଛନ୍ତି, ସେଠି ସାଧାରଣ ଜନତାର ପିଲା ପାଠ ପଢ଼ିବା ଅସମ୍ଭବ। ଯେଉଁମାନେ ଏ ମୂଲ୍ୟାୟାନ କରୁଛନ୍ତି ସେମାନେ ଏ ସଂସ୍ଥାମାନଙ୍କର ଭାଗ୍ୟବିଧାତା। ଏମାନଙ୍କ ମତାମତ ଉପରେ ଏହି ଅନୁଷ୍ଠାନ ମାନଙ୍କର କିମତ୍ ହୁ ହୁ ବଢ଼ିଯାଏ। ପାଠପଢ଼ା ଶୁଳ୍କ ସେମିତି ବଢ଼ିଯାଇ ଏକ ବାୟବୀୟ ବିକାଶର ବଳୟ ସୃଷ୍ଟି ହୁଏ। ଏହି ଭାଗ୍ୟବିଧାତାମାନେ ଯେତେବେଳେ ପରିଦର୍ଶନରେ ଆସନ୍ତି, ତା’ର ଆଡ଼ମ୍ବର, ପଲଟଣ ଓ ସମ୍ପୃକ୍ତ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଧଇଁସଇଁ, କାନ ନାକ କୁଣ୍ଡା ଦେଖିଲେ ଜଣେ ବିସ୍ମିତ ହୋଇପଡ଼ିବ। କ’ଣ ଇଏ ଅନୁଧ୍ୟାନ, କ’ଣ ଇଏ ତଦନ୍ତ? ଏଠି କୋଉଠି ଛେନାରୁ ସେମାନେ ଚୋପା ଛଡ଼ାନ୍ତି ତ କୋଉଠି ଧୁଆ, ଅଧୁଆ ମୂଳା ସମାନ। ସାରା ଦେଶରେ ଯେଉଁ ପରିଦର୍ଶକେ ଆସୁଛନ୍ତି, ତାଙ୍କ ଚାଲିଚଳନ ହାବଭାବ ଦେଖ ହିଟ୍ଲର୍ କି ନେପୋଲିଅନଙ୍କୁ ବଳି। ଶିକ୍ଷା ତ ଏବେ ବେପାର ବନିଯାଇଛି। ଏ ଶିକ୍ଷା ବେପାରୀ କ’ଣ ସେମାନଙ୍କ ଦିହମୁଣ୍ଡ ସନ୍ଧି ଅସନ୍ଧି ସବୁ ତେଲ ପଚପଚ କରି ସାରିଲେଣି। କ’ଣ ଥିଲା ସେମାନଙ୍କ ମୂଳ ସମ୍ପତ୍ତି?? ଏବେ ଏତେ ନାଲି କେମିତି! ଏ କଥା ପରିଦର୍ଶକେ ବୁଝିଛନ୍ତି। ଗଛ ନ ଦୋହଲାଇଲେ କୋଳି ପଡ଼ିବ କେମିତି? ତେଣୁ ଇଏ ଗଛ ଦୋହଲା। କିଏ କେତେ ଦୋହଲିଲା ଓ କୋଳି ଓଜାଡ଼ିଲା ସେଇଟା ହେଲା ମୂଳ ସୂତ୍ର। ଆରେ ବାବୁ ତମେ ତ ଭୁବନେଶ୍ବର କି କଟକର କି କୋଉ ସଂସ୍ଥାକୁ ଆସିଛ, ମାତ୍ର ଚିଲିକା, ନନ୍ଦନକାନନ, ବାଘ ସଫାରୀ ଠି ତମ କାମ କ’ଣ? ହଁ, ସେଇଠି ହିଁ କାମ। ଅବଶ୍ୟ ଏ ଅଭିଯୋଗ ଶତକଡ଼ା ଶହେ ଠିକ୍ ନୁହଁ। ଯେଉଁ ଅନୁଷ୍ଠାନମାନ ଶିକ୍ଷାର ମାନ ରକ୍ଷା କରୁନାହାନ୍ତି, ତାଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ, ଏ ଅବନତି ବା ପତନ ଲାଗି ରହୁଛି।
ଶିକ୍ଷା-ବେପାରୀମାନେ ଟିକିଏ ସଚେତନ ହେଲେ, ଆୟର ସିଂହଭାଗ ନିଜ ଆଡ଼ମ୍ବର ପାଇଁ, ଗସ୍ତ ପାଇଁ ବ୍ୟୟ ନ କରି ଅନୁଷ୍ଠାନର ବିକାଶ ପାଇଁ ଖର୍ଚ୍ଚ କଲେ, କୁ ପରିଦର୍ଶକ ଏଥିରେ ନିଃଶଙ୍କ ହାତ ମାରି ପାରିବେ? ବାହ୍ୟ ଚାକଚକ୍ୟ ଏ ଚକ୍ମା ଯେ ଅଳ୍ପ ଆୟୁର, ଏ କଥା ସରକାର ଓ ଏ ଅନୁଷ୍ଠାନ ମୁଣ୍ଡିଆଳମାନେ ବୁଝନ୍ତି। ଶିକ୍ଷା ବିକାଶରେ, ସିଂହଭାଗ ବାଟମାରଣା ହେଉଥିବାରୁ ଏ ଅନୁଷ୍ଠାନମାନ ସେମିତି ପଡ଼ିରହୁଛି। ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତା, ସରକାର ବା ମୁଣ୍ଡିଆଳମାନଙ୍କ ଭାଷଣ କାର୍ଯ୍ୟକ୍ଷେତ୍ରରୁ ଢେର ଛାଡୁଛି। ତେଣୁ ଏ ଦଶା। ‘କାହାକୁ କହିବା କପାଳରେ ସିନା କର ମାରିବା।’ ଏମାନେ କହନ୍ତି ଯେଡ଼େ ନୁହନ୍ତି ତେଡ଼େ।
Comments are closed.