ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ସଂଗ୍ରହାଳୟରେ ସ୍ଥାପନ ହେଲା ପୁରୀ ରଥ ଚକ

ବୌଦ୍ଧ  : ଶୈବ, ବୈଷ୍ଣବ ଓ ବୌଦ୍ଧ ଧର୍ମର ମିଳନ ସ୍ଥଳ ଐତିହାସିକ ବୌଦ୍ଧଜିଲାରେ ଶ୍ରୀଜଗନ୍ନାଥଙ୍କ ପ୍ରତି ଜନସାରଧାଣଙ୍କ ଅପାର ଅସ୍ଥା ରହିଥିବାର ପରିଲକ୍ଷିତ ହୁଏ । ଜିଲାରେ ଶହେରୁ ଅଧିକ ଶ୍ରୀଜଗନ୍ନାଥ ମନ୍ଦିର ରହିଥିବାବେଳେ ପ୍ରତିବର୍ଷ ଛୋଟ ବଡ ରଥଯାତ୍ରା ପାଳିତ ହୋଇଥାଏ । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପରେ ରାଜାଙ୍କ ଶାସନ ସମୟରୁ ଏବଂ ତାଙ୍କରି ପୃଷ୍ଠପୋଷକତାରେ ବୌଦ୍ଧରେ ପାଳିତ ରଥଯାତ୍ରାର ପ୍ରସିଦ୍ଧି ରହିଛି । ଶ୍ରୀଜଗନ୍ନାଥଙ୍କ ଉପରେ ଗଭୀର ଆସ୍ଥା ଯୋଗୁଁ ପୁରୀରେ ରଥ ନିର୍ମାଣର ଆବଶ୍ୟତାକୁ ଦେଖି ବୌଦ୍ଧ ଜିଲାର ବିଭିନ୍ନ ସ୍ଥାନରେ ଗଜପତି ମହାରାଜାଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ସୃଷ୍ଟି କରାଯାଇଥିଲା। ବୌଦ୍ଧ ବନ ବିଭାଗର ପ୍ରତକ୍ଷ୍ୟ ତତ୍ୱାବଧାନରେ ଏବଂ ଲୋକଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ରହିଥିବା ଭକ୍ତିଭବନା ଯୋଗୁଁ ମହାନଦୀ କୂଳେ କୂଳେ ସୃଷ୍ଟି ହୋଇଥିବା ଏହି ଶ୍ରୀଜଗନ୍ନାଥ ବନ ପ୍ରକଳ୍ପରେ ୫ ଲକ୍ଷ ରୁ ଅଧିକ ଗଛ ସୁରକ୍ଷିତ ରହିଛି । ପୁରୀର ରଥ ନିର୍ମାଣ ପାଇଁ ପ୍ରତିବର୍ଷ ବୌଦ୍ଧ ଜିଲାରୁ ଶହ ଶହ ସଂଖ୍ୟାରେ କାଠ ଯୋଗାଇ ଦିଆଯାଉଅଛି । ଫଳରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ପୁରୀ ଓ ବୌଦ୍ଧ ମଧ୍ୟରେ ଏକ ନିବିଡ ସଂପର୍କ ସୃଷ୍ଟି ହେବା ସହିତ ବୌଦ୍ଧଜିଲାର ପୁରପଲ୍ଲୀରେ ଶ୍ରୀଜଗନ୍ନାଥଙ୍କ ପ୍ରତି ଆସ୍ଥା ବୃଦ୍ଧି ପାଇବାରେ ଲାଗିଛି। ଗବେଷକମାନଙ୍କ ମତରେ ଷଷ୍ଠ ଶତାବ୍ଦୀର ଉତ୍ତରାର୍ଦ୍ଧରେ ବୌଦ୍ଧରେ ଶାସନ କରୁଥିବା ଭଞ୍ଜ ବଂଶୀୟ ରାଜାମାନେ ଯବନମାନଙ୍କ ଆକ୍ରମଣରୁ ଶ୍ରୀଜଗନ୍ନାଥଙ୍କୁ ରକ୍ଷା କରିବା ପାଇଁ ନିଜ ଅଞ୍ଚଳକୁ ଆଣି ୧୪୪ ବର୍ଷ ଧରି ଲୁଚାଇ ରଖିଥିଲେ। ବୌଦ୍ଧର ବାମଣ୍ଡା ନିକଟବର୍ତ୍ତୀ ନାୟକପଡା ଗୁମ୍ଫାରେ ଠାକୁରମାନଙ୍କୁ ଲୁଚାଇ ରଖାଯାଇଥିବା ଦାବି କରାଯାଉଥିବାବେଳେ ଏବେ ମଧ୍ୟ ଏହି ବିଷୟ ଗବେଷଣା ସାପେକ୍ଷ ହୋଇ ରହିଛି।

prayash

ତେବେ ପୁରୀ ଓ ଐତିହାସିକ ବୌଦ୍ଧ ସହର ମଧ୍ୟରେ ରହିଥିବା ନିବିଡ ସଂପର୍କକୁ ଅଧିକ ସୁଦୃଢ କରିଛି ଠାକୁରଙ୍କ ରଥଯାତ୍ରା ସ୍ମୃତି ଚିହ୍ନ ଭାବରେ ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ସଂଗ୍ରହାଳୟରେ ରଥଚକ ସ୍ଥାପନ । ବୌଦ୍ଧ ବିଧାୟକ ତଥା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ଉଦ୍ୟମ ଫଳରେ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିଛି । ପୁରୀ ବଡଠାକୁରଙ୍କ ତାଳଧ୍ୱଜ ରଥର ଏକ ଚକକୁ ମନ୍ତ୍ରୀ ଶ୍ରୀଅମାତଙ୍କ ଉଦ୍ୟମ କ୍ରମେ ବୌଦ୍ଧ ଅଣାଯାଇ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ଥାପନ କରାଯାଇଛି । ପୁରୀରୁ ରଥଚକକୁ ବୌଦ୍ଧ ଅଣାଯିବା ରାସ୍ତାରେ ସୀମାନ୍ତ ବଦଲାଗ୍ରାମ ଠାରେ ମନ୍ତ୍ରୀ ଶ୍ରୀଅମାତଙ୍କ ଦ୍ୱାରା ପୂର୍ଚ୍ଚାର୍ଚ୍ଚନା ଓ ସ୍ୱାଗତ କରାଯାଇଥିଲା । ଏକ ଭବ୍ୟ ଶୋଭାଯାତ୍ରାରେ ରଥ ଚକକୁ ବୌଦ୍ଧ ଅଣାଯିବା ରାସ୍ତାରେ ବିଭିନ୍ନ ଗ୍ରାମରେ ତୋରଣ ମାନ କରାଯାଇ ଓ ଘର ସମ୍ମୁଖରେ କଳସୀ ସ୍ଥାପନ କରି ସଂକିର୍ତ୍ତନ ମଣ୍ଡଳୀମାନଙ୍କ ଉପସ୍ଥିତିରେ ସ୍ୱାଗତ କରାଯାଇଥିଲା । ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ମନ୍ତ୍ରୀ ଶ୍ରୀଅମାତଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ ଓ ମହିଳା ପୁରୁଷ ସାମିଲ ହୋଇଥିଲେ। ରଥ ଚକକୁ ଭବ୍ୟ ଶୋଭାଯାତ୍ରାରେ ବୌଦ୍ଧ ସହର ପରିକ୍ରମା କରାଯିବା ପରେ ଶ୍ରୀଜଗନ୍ନାଥ ମନ୍ଦିରକୁ ଅଣାଯାଇ ସଂଗ୍ରହାଳୟ ମଧ୍ୟରେ ସ୍ଥାପନ କରାଯାଇଥିଲା। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତ ଠାକୁରଙ୍କ ରଥ ଚକକୁ ଛୁଇଁ ଏବଂ ମଥା ଲଗାଇ ପ୍ରଭୁ କୃପା ଭିକ୍ଷା କରୁଥିବା ଦେଖାଯାଇଥିଲା। ଏକ ଭକ୍ତିମୟ ଓ ଭାବବିହ୍ୱଳ ପରିବେଶ ମଧ୍ୟରେ ରଥଚକ ସ୍ଥାପନ କାର୍ଯ୍ୟ ସମାପନ ପରେ ସମସ୍ତ ଭକ୍ତମାନଙ୍କ ପାଇଁ ମନ୍ଦିରରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଆଗାମୀ ରଥଯାତ୍ରା ପରେ ଶ୍ରୀଜଗନ୍ନାଥ ଓ ସୁଭଦ୍ରାଙ୍କ ରଥର ଚକ ମଧ୍ୟ ବୌଦ୍ଧ ଅଣାଯାଇ ଏକାଠି ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି । ତେବେ ଏହା ଦ୍ୱାରା ପୁରୀ ଓ ବୌଦ୍ଧର ପ୍ରସିଦ୍ଧ ରଥଯାତ୍ରା ସହିତ ଭକ୍ତମାନଙ୍କ ମଧ୍ୟରେ ସଂପର୍କ ଅଧିକ ନିବିଡ ହୋଇପାରିଥିବା ମତପ୍ରକାଶ ପାଇଥିବାବେଳେ ମନ୍ତ୍ରୀ ଶ୍ରୀଅମାତଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଛି।

Comments are closed.