ଗ୍ରାମାଞ୍ଚଳର ବିକାଶ ଦେଖି ରାଜ୍ୟ ସରକାରଙ୍କୁ ଉଚ୍ଚ ପ୍ରଶଂସା କଲେ ସଂସଦୀୟ ସ୍ଥାୟୀ କମିଟି ସଦସ୍ୟ
- ସଂସଦୀୟ ସ୍ଥାୟୀ କମିଟି ସଦସ୍ୟଙ୍କ ପିପିଲି ପରିଦର୍ଶନ
- ଗ୍ରାମୀଣ ବ୍ୟାୟାମ ଶାଳାରେ ବ୍ୟାୟାମ କଲେ, ପ୍ରକଳ୍ପ ବୁଲିଲେ, ଲୋକନୃତ୍ୟରେ ବିଭୋର ହେଲେ
- ଗ୍ରାମୀଣ ପାଠାଗାରରେ ହିନ୍ଦୀ ଓ ଇଂରାଜୀ ପୁସ୍ତକ ପାଇଁ ଆର୍ଥିକ ସହାୟତା ଦେଲେ
ପିପିଲି:କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ସଂସଦୀୟ ସ୍ଥାୟୀ କମିଟିର ୩୧ଜଣିଆ ସଦସ୍ୟ ସୋମବାର ପିପିଲି ବ୍ଲକ ପରିଦର୍ଶନ କରିବା ଅବସରରେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ଏହି ଅବସରରେ ଗ୍ରାମୀଣ ବ୍ୟାୟାମ ଶାଳାରେ କେତେକ ସାଂସଦ ବ୍ୟାୟାମ କରିଥିବା ବେଳେ ଦୁଇଟି ଗ୍ରାମୀଣ ପାଠାଗାରରେ ହିନ୍ଦି ଓ ଇଂରାଜୀ ପୁସ୍ତକ ରଖିବା ପାଇଁ ବ୍ୟକ୍ତିଗତ ସ୍ତରରେ ସେମାନେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଓଡିଶାରେ ଗ୍ରାମାଞ୍ଚଳର ବିକାଶ ଦେଖି ସେମାନେ ଖୁସି ପ୍ରକଟ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରିଥିଲେ।
କମିଟିର ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ଶ୍ୟାମସିଂ ଯାଦବଙ୍କ ନେତୃତ୍ୱରେ ଏହି ସଂସଦୀୟ ଦଳ ପ୍ରଥମେ ପିପିଲି ବ୍ଲକ ଅନ୍ତର୍ଗତ ହାଟସାହି ପଞ୍ଚାୟତର ଅମ୍ରିତ ସରୋବର ଓ ସେଠାରେ ଥିବା ଗ୍ରାମୀଣ ପାର୍କ ଓ ଗ୍ରାମୀଣ ପାଠାଗାରକୁ ପରିଦର୍ଶନ କରିଥିଲେ। ଗ୍ରାମୀଣ ପାଠାଗାରରେ ହିନ୍ଦି ଓ ଇଂରାଜୀ ପୁସ୍ତକ ରଖିବା ପାଇଁ ଶ୍ରୀଯାଦବ ଓ ରାଜ୍ୟସଭା ସାଂସଦ ଏମ୍. ମହମ୍ମଦ ଅବଦୁଲ୍ଲା ୫ହଜାର ଟଙ୍କା ଲେଖାଏଁ ସରପଞ୍ଚ ଗଣେଶ ବେହେରାଙ୍କୁ ପ୍ରଦାନ କରିଥିଲେ। ପରେ ସେମାନେ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତ ପରିଦର୍ଶନରେ ଆସି ଦାଣ୍ଡମୁକୁନ୍ଦପୁର ଠାରୁ ରାଜତେଇ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମିତ ସଡକକୁ ଅନୁଧ୍ୟାନ କରିଥିଲେ। ପରେ ସେଠାରେ ଥିବା ଗ୍ରାମୀଣ ବ୍ୟାୟାମ ଶାଳାକୁ ସେମାନେ ପରିଦର୍ଶନ କରିଥିଲେ। ୬ଜଣ ସାଂସଦ ସେଠାରେ ବ୍ୟାୟାମ କରିବା ଅବସରରେ ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ସେଠାରେ ଥିବା ମା ମମତା ଉତ୍ପାଦକ ଗୋଷ୍ଠୀର କାର୍ଯ୍ୟାଳୟ ଓ ଉତ୍ପାଦନ କେନ୍ଦ୍ରକୁ ବୁଲି ଦେଖିଥିଲେ। ଗ୍ରାମାଞ୍ଚଳରେ ଏଭଳି ବିକାଶ ପାଇଁ ସେମାନେ ସ୍ଥାନୀୟ ବିଡିଓ ରଶ୍ମିତା ନାଥ ଓ ସରପଞ୍ଚ ପରେଶ ମିଶ୍ରଙ୍କୁ ସାଧୁବାଦ ଜଣାଇଥିଲେ। ଏହା ପରେ ସେମାନେ ଦୁର୍ଗାଦାଶପୁର ପଞ୍ଚାୟତ ପରିଦର୍ଶନରେ ଯାଇ ସେଠାକାର ପଞ୍ଚାୟତ କାର୍ଯ୍ୟାଳୟ, କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ, ମାର୍କେଟ କଂପ୍ଲେକ୍ସ, ଗ୍ରାମୀଣ ପାଠାଗାର ଆଦିକୁ ପରିଦର୍ଶନ କରିଥିଲେ। ଗ୍ରାମୀଣ ପାଠାଗାରରେ ହିନ୍ଦି ଓ ଇଂରାଜୀ ପୁସ୍ତକ ରଖିବା ପାଇଁ ସରପଞ୍ଚ ବିଭୂତି ଭୂଷଣ ନାଥଙ୍କୁ ରାଜ୍ୟସଭା ସାଂସଦ ଏମ୍. ମହମ୍ମଦ ଅବଦୁଲ୍ଲା ୫ହଜାର ଟଙ୍କା ପ୍ରଦାନ କରିଥିଲେ। ଜାତୀୟ ସାମାଜିକ ସହାୟତା ଯୋଜନାରେ (ଏନ୍ଏସ୍ଏପି) ଉପକୃତ ହେଉଥିବା ୫ଜଣ ହିତାଧିକାରୀଙ୍କ ସହ ଉକ୍ତ ସହାୟତା ବାବଦରେ ପଚାରି ବୁଝିଥିଲେ।
ପରେ ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଞ୍ଚଳର କଳାକାରମାନେ ଚଇତି ଘୋଡା ନୃତ୍ୟ ପରିବେଷଣ କରିଥିଲେ। ଯାହାକୁ ଦେଖି ସେମାନେ ବିଭୋର ହୋଇଯାଇଥିଲେ। ଏହି ଅବସରରେ ଗଣମାଧ୍ୟମକୁ କମିଟିର ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ଶ୍ୟାମସିଂ ଯାଦବ କହିଥିଲେ ଯେ, ଓଡିଶା ବାବଦରେ ଅଲଗା କିଛି ଶୁଣିଥିଲି, କିନ୍ତୁ ଏବେ ଓଡିଶାକୁ ଦେଖିବା ପରେ ମୋର ଧାରଣା ସଂପୂର୍ଣ୍ଣ ବଦଳି ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାର ବହୁତ ଉନ୍ନତି ହୋଇଛି। ଏଠାକାର ଗ୍ରାମାଞ୍ଚଳର ଚିତ୍ର ସଂପୂର୍ଣ୍ଣ ବଦଳି ଯାଇଛି। ବିକାଶ କ୍ଷେତ୍ରରେ ଓଡିଶା ଏବେ ବହୁ ଆଗରେ। ଶିକ୍ଷା, ଗମନାଗମନ, ପର୍ଯ୍ୟଟନ ଆଦି କ୍ଷେତ୍ରରେ ଓଡିଶାରେ ବହୁତ ବିକାଶ ହୋଇଛି ବୋଲି ସେ କହିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନି, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ, ଏସ୍ଏସ୍ଇପିଡି ବିଭାଗର ସଚିବ ଭାସ୍କର ଜ୍ୟୋତି ଶର୍ମା, କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ, ମିଶନ ଶକ୍ତି (ଏସ୍ଏମ୍ଡି) ନିର୍ଦ୍ଦେଶକ ଡ଼ଃ ଏନ୍. ଥିରୁମାଲା ନାୟକ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ପୁରୀର ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିଶଙ୍କର ମହାପାତ୍ର, ପିପିଲି ବିଡିଓ ରଶ୍ମିତା ନାଥ, ପିପିଲି ତହସିଲଦାର ପୁନମ ମହାପାତ୍ର, ପୁରୀର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଅଭିମନ୍ୟୁ ନାୟକ, ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ସୁଶାନ୍ତ କୁମାର ମଲ୍ଲିକ, ସରପଞ୍ଚ ପରେଶ ମିଶ୍ର, ବିଭୂତି ଭୂଷଣ ନାଥ, ସତ୍ୟନାରାୟଣ ବସ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.