ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ; ଖଡ଼ଗେ ବାଛିବେ ନେତା
କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ?
ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବାକୁ ଦାବିଦାର ହୋଇଛି। ଘୋଷିତ ନିର୍ବାଚନ ଫଳ ଅନୁଯାୟୀ ବିଧାନସଭାର ମୋଟ ୨୨୪ ଆସନରୁ କଂଗ୍ରେସ ୧୩୫ଟି ଆସନରେ ବିଜୟୀ ହୋଇଛି। କଂଗ୍ରେସ ସରକାର ଗଠନ କରିବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ପଦରେ କିଏ ଅଧିଷ୍ଠିତ ହେବେ ତାହା ଚୂଡାନ୍ତ ହୋଇପାରି ନାହିଁ। ଏପରିସ୍ଥିତିରେ ରବିବାର କଂଗ୍ରେସ ବିଧାୟକ ଦଳ ବୈଠକ ବେଙ୍ଗାଲୁରୁରେ ଶେଷ ହୋଇଛି। ବିଧାୟକ ଦଳ ବୈଠକରେ ନେତା ନିର୍ବାଚନ ପୂର୍ବକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯିବାକୁ ଥିବା ବେଳେ ଏହା ସ୍ଥିର ହୋଇପାରି ନାହିଁ। ବିଧାୟକ ଦଳ ବୈଠକରେ ନେତା ନିର୍ବାଚନ ହୋଇ ନପାରିବାରୁ ଏହାର ଦାୟିତ୍ବ ଦଳର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଉପରେ ନ୍ୟସ୍ତ କରାଯାଇଛି। ନିର୍ବାଚିତ ବିଧାୟକମାନେ ସର୍ବସମ୍ମତିକ୍ରମେ ଖଡଗେଙ୍କୁ ନେତା ବାଛିବାର କ୍ଷମତା ପ୍ରଦାନ କରିଛନ୍ତି। ଆଜିର ବିଧାୟକ ଦଳ ବୈଠକ ପରିଚାଳନା ନିମନ୍ତେ ସୁଶୀଲ କୁମାର ସିନ୍ଦେ, ଜିତେନ୍ଦ୍ର ସିଂହ ଓ ଦୀପକ ବାବରିଆଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା। ପର୍ଯ୍ୟବେକ୍ଷକମାନେ ବିଧାୟକ ଦଳ ବୈଠକରେ ଗୃହୀତ ପ୍ରସ୍ତାବ ସମ୍ପର୍କରେ ସଭାପତିଙ୍କୁ ଅବଗତ କରାଇବେ। ପ୍ରସ୍ତାବ ଆଧାରରେ ସଭାପତି ମୁଖ୍ୟମନ୍ତ୍ରୀ ପଦ ଲାଗି ନାମ ଘୋଷଣା କରିବେ।
ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାର ଓ ବିଦାୟୀ ବିଧାନସଭାର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ପ୍ରମୁଖ ଦାବିଦାର ରହିଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ଥିବା ଡିକେ ଶିବକୁମାର ୮ମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେହିପରି ସିଦ୍ଧରମେୟା ମଧ୍ୟ ୯ମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଦୁଇ ନେତା ମୁଖ୍ୟମନ୍ତ୍ରୀ ହେବା ନେଇ ବିଭିନ୍ନ ସମୟରେ ଘୋଷଣା କରିଛନ୍ତି। ମାତ୍ର କଂଗ୍ରେସ ଉଭୟଙ୍କୁ ଏକଜୁଟ୍ କରି ନିର୍ବାଚନରେ ବିଜୟୀ ହେବାରେ ସଫଳ ହୋଇଛି। ଏବେ ସରକାର ଗଠନ ହେବାକୁ ଯାଉଥିବାବେଳେ କାହାକୁ ମୁଖ୍ୟମନ୍ତ୍ରୀ ପଦରେ ବସାଯିବ ତାକୁ ନେଇ କଂଗ୍ରେସ ନେତୃବୃନ୍ଦ ଅଡୁଆରେ ପଡିଛନ୍ତି। ଶିବକୁମାର ରାଜ୍ୟ କଂଗ୍ରେସର ସଂକଟମୋଚନକାରୀ ଭାବେ ବିବେଚିତ ହୋଇଆସିଛନ୍ତି। ସେହିପରି ସିଦ୍ଧରମେୟା ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ରହିଥିଲେ। ତାଙ୍କ ମନ୍ତ୍ରିମଣ୍ଡଳରେ ଶିବକୁମାର ସଦସ୍ୟ ରହିଥିଲେ। ବୈଠକ ସ୍ଥଳ ବାହାରେ ଶିବକୁମାରଙ୍କ ସମର୍ଥକମାନେ ନାରାବାଜି କରିଛନ୍ତି। ସେମାନେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ନେତାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଦେଖାଯାଇଥିବାବେଳେ ଶିବକୁମାର କହିଛନ୍ତି ଯେ ସିଦ୍ଧରମେୟାଙ୍କ ସହିତ ତାଙ୍କର କୌଣସି ମତଭେଦ ନାହିଁ। ରବିବାର ଟୁମକୁରରେ ସାମ୍ବାଦିକ ସମ୍ମିଳନୀରେ ଶିବକୁମାର କହିଛନ୍ତି ଯେ ସେ ଅନେକ ବାର ଦଳ ପାଇଁ ନିଜ ସ୍ବାର୍ଥକୁ ତ୍ୟାଗ କରିଛନ୍ତି। ସିଦ୍ଧରମେୟା ଓ ଦଳର ସ୍ବାର୍ଥକୁ ସାଧନ କରିବା ଲାଗି ସେ ସର୍ବଦା ସହାୟତା କରିଛନ୍ତି। ସିଦ୍ଧରମେୟାଙ୍କ ସରକାରରେ ମନ୍ତ୍ରୀ ଥିବା ସମୟରେ ସେ ଧୈଯ୍ୟର ସହ କାମ କରିଥିବା ଶିବକୁମାର କହିଛନ୍ତି।
Comments are closed.