ଚନ୍ଦନ ଯାତ୍ରାରେ ଗଣ୍ଡଗୋଳ : ଚୌକି ଭଙ୍ଗାରୁଜା ଓ ମାଡପିଟ,୪ ଆହତ

ତିଗିରିଆ :  ତିଗିରିଆ ନୂଆପାଟଣା ଚନ୍ଦନ ଯାତ୍ରାରେ ଶନିବାର ରାତିରେ ଗଣ୍ଡଗୋଳ ଘଟିଛି। ଗ୍ରାମର ଆରାଧ୍ୟ ପ୍ରଭୁ ମଦନମୋହନଙ୍କ ବଡ଼ ଚନ୍ଦନ ଯାତ୍ରା ପାଳନ କରାଯାଉଥିବା ବେଳେ ଏହି ଅବସରରେ ବିଭିନ୍ନ ସାହିରେ ରାତିକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ସେଥିମଧ୍ୟରେ ଗ୍ରାମର ତଳସାହିରେ ସାମାଜିକ ନାଟକ ପରିବେଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରାରମ୍ଭରେ ମେଲୋଡ଼ି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ବାହାର ଗ୍ରାମର କେତେକ ଯୁବକ ମହିଳା କଳାକାରଙ୍କ ପ୍ରତି ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିଥିଲେ। ଏହାକୁ ଯାତ୍ରା ପରିଚାଳନା କମିଟି ପକ୍ଷରୁ ବାରଣ କରାଯାଇଥିଲା। ଏଥିରେ ଯୁବକମାନେ ଉତକ୍ଷିପ୍ତ ହୋଇ ପେଣ୍ଡାଲ କଡ଼ରେ ଥିବା ଚୌକି ଫିଙ୍ଗା ଫୋପଡ଼ା କରିଥିଲେ। ଏହା ନକରିବା ପାଇଁ ପରିଚାଳନା କମିଟି ସଦସ୍ୟ ଯେତେ ବୁଝାସୁଝା କରିଥିଲେ ମଧ୍ୟ କେହି ମାନିବାକୁ ପ୍ରସ୍ତୁତ ନଥିଲେ। ପରବର୍ତ୍ତୀ ସମୟରେ ଏହା ଭୀଷଣ ଗଣ୍ଡଗୋଳର ରୂପ ନେଇଥିଲା। ଏଥିରେ ନୂଆପାଟଣାର ୪ ଜଣ ଯୁବକ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକତ୍ସିତ ହୋଇ ଘରକୁ ଫେରିଥିବା ଜଣା ପଡ଼ିଛି। ଏହି ଘଟଣା ପରେ ଯାତ୍ରା ପରିଚାଳନା କମିଟି ପକ୍ଷରୁ କାର୍ଯ୍ୟକ୍ରମକୁ ବନ୍ଦ କରି ଦିଆଯାଇଥିଲା। ଏହାକୁ ନେଇ ନୂଆପାଟଣା ଗ୍ରାମ ପରିଚାଳନା କମିଟି ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ଥାନା ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅପର ପକ୍ଷରେ ନୂଆପାଟଣା ମୌଜା ପକ୍ଷରୁ ଶାନ୍ତି କମିଟି ଦ୍ଵାରା ଘଟଣାର ଆପୋଷ ବୁଝାମଣା କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଯାତ୍ରାବେଳେ ଆଇନଶୃଙ୍ଖଳା ନ ବିଗିଡିବା ପାଇଁ ପରିସ୍ଥିତି ଉପରେ ପୁଲିସ ପକ୍ଷରୁ ନଜର ରଖାଯାଇଛି ବୋଲି ଥାନା ଅଧିକାରୀ ସୁଚିତ୍ରା ଜେନା ସୂଚନା ଦେଇଛନ୍ତି।

Comments are closed.