ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି ମହିଳା ଗୋଷ୍ଠୀର ସଦସ୍ୟା

ପାଟଣା : ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ସୁରକ୍ଷା ଏକାନ୍ତ ଆବଶ୍ୟକ। ଏଣୁ ଏବେ ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ମହିଳା ମାନେ ।  କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ଉପରଡିହା ପଞ୍ଚାୟତ ଅନ୍ତର୍ଗତ ପାଲବଣି ସାହିର ୫ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସଏଚଜି)ର ସଦସ୍ୟା ମାନେ ଏହି ଜଙ୍ଗଲ ସୁରକ୍ଷା ଦାୟିତ୍ୱ ନେଇଛନ୍ତି। ଗ୍ରାମ ନିକଟରେ ଥିବା ଅଟେଇ ସରଂକ୍ଷିତ ଜଙ୍ଗଲକୁ କାଠ ମାଫିଆ ମାନଙ୍କ କବଳରୁ ରକ୍ଷା କରିବା, ଜଙ୍ଗଲୀ ଜୀବଜନ୍ତୁ ଶିକାର ରୋକିବା ଓ ଜଙ୍ଗଲରେ ରୋପଣ କରାଯାଇଥିବା ବିଭିନ୍ନ ମୂଲ୍ୟବାନ ଗଛର ଯତ୍ନ ମଧ୍ୟ ନେଉଛନ୍ତି ଏହି ଗ୍ରାମର ଏସଏଚଜି ମହିଳା ସଦସ୍ୟା ମାନେ । ଆମ ଜଙ୍ଗଲ ଯୋଜନାରେ ବନସୁରକ୍ଷା ସମିତିରେ ଗ୍ରାମର ୫ ଗୋଟି ଏସଏଚଜି ମହିଳାଙ୍କୁ ସାମିଲ କରାଯାଇଛି । ରାତି ପାହିଲା ମାତ୍ରେ ମହିଳା ମାନେ ଘରକାମ ସାରି ବାହାରି ଯାଇଥାନ୍ତି ଜଙ୍ଗଲକୁ ସୁରକ୍ଷା ଦେବାପାଇଁ । ପ୍ରତେକ ଦିନ ଏହି ସଦସ୍ୟ ମାନେ ପାଳି କରି ହାତରେ ଠେଙ୍ଗାବାଡି ଧରି ଅଟେଇ ଜଙ୍ଗଲରେ ପ୍ରହରା ଦେଇଥାନ୍ତି । ଅଟେଇ ଜଙ୍ଗଲରେ ଅନେକ ବିରଳ ବନ୍ୟଜନ୍ତୁ ଓ ବିଭିନ୍ନ କିସମର ମୃଲ୍ୟବାନ ବୃକ୍ଷ ରହିଛି । ତେଣୁ ବିଭିନ୍ନ ସମୟରେ କାଠ ମାଫିଆ ବହୁ ମୂଲ୍ୟବାନ ଗଛ ବାହାରକୁ ଚାଲାଣ କରିଥାନ୍ତି ଏବଂ ଶିକାରୀ ମାନେ ମଧ୍ୟ ବନ୍ୟଜନ୍ତୁ ଶିକାର କରିବାର ନଜିର ରହିଛି । କିନ୍ତୁ ଏବେ ମହିଳା ମାନଙ୍କ ଏଭଳି ପ୍ରୟାସ ଏସବୁ ରୋକିବାରେ ବେଶ ସହାୟକ ହୋଇଛି । ଜଙ୍ଗଲ ସୁରକ୍ଷା ନେଇ ମହିଳାଙ୍କ ଏଭଳି କାର୍ଯ୍ୟରେ ସଦସ୍ୟ ସଚିବ ଶ୍ରବଣ କୁମାର ପାତ୍ର ଓ ଏନଜିଓ ସଦସ୍ୟ ରଞ୍ଜିତ ପଲେଇଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଜଣାପଡିଛି । ତେବେ ପାଲବଣି ସାହିର ଏସଏଚଜି ମହିଳାଙ୍କ ଏଭଳି ପ୍ରୟାସକୁ ଘଟଗାଁ ବନାଞ୍ଚଳ ପ୍ରଭାତ କୁଅଁର ବେଶ ପ୍ରଶଂସା କରିଛନ୍ତି।

Comments are closed.